ଦୁଇ ଦିନିଆ ‘ଓଡ଼ିଶା ସହରାଞ୍ଚଳ ସମ୍ମିଳନୀ’ ଆରମ୍ଭ

ଭୁବନେଶ୍ୱର :  ଓଡ଼ିଶା ସରକାରଙ୍କ ଗୃହନିର୍ମାଣ ଓ ନଗରଉନ୍ନୟନ ବିଭାଗ ଦ୍ୱାରା ଆୟାଜିତ ଦୁଇ ଦିନିଆ ଓଡ଼ିଶା ସହରାଞ୍ଚଳ ସମ୍ମିଳନୀ-୨୦୨୫ ଆଜି ଭୁବନେଶ୍ୱରରେ ଉଦଘାଟିତ ହୋଇଛି । ଏଥିରେ ଓଡ଼ିଶାର ସହରଗୁଡ଼ିକୁ ସ୍ମାର୍ଟ, ସମାବେଶୀ ଏବଂ ସ୍ଥାଯ଼ୀ ସହରାଞ୍ଚଳ ଭବିଷ୍ୟତ ଦିଗରେ ଆଗେଇ ନେବାର ଲକ୍ଷ୍ୟ ରହିଛି । ଏହି ସମ୍ମିଳନୀ ହେଉଛି ଏକ ରଣନୈତିକ ପଦକ୍ଷେପ ଯାହା ୨୦୩୬ ସୁଦ୍ଧା ଏକ ବିକଶିତ ଓଡ଼ିଶା ଓ ୨୦୪୭ ସୁଦ୍ଧା ଏକ ବିକଶିତ ଭାରତର ଦୀର୍ଘକାଳୀନ ବିକାଶ ଲକ୍ଷ୍ୟ ସହିତ ମେଳ ଖାଉଛି । ଏହି ସମ୍ମିଳନୀରେ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା, ସରକାରୀ ବିଭାଗ, ନୀତିଗତ ଅନୁଷ୍ଠାନ, ସହରାଞ୍ଚଳ ଯୋଜନାକାରୀ, ପ୍ରଯୁକ୍ତି ପ୍ରଦାନକାରୀ, ଆର୍ଥିକ ଅନୁଷ୍ଠାନ ଏବଂ ଏକାଡେମିକ୍‌ ବିଶେଷଜ୍ଞଙ୍କ ପ୍ରମୁଖ ଅଂଶୀଦାରମାନଙ୍କୁ ଏକାଠି କରାଯାଇଛି ।

     ଗୃହନିର୍ମାଣ ଓ ନଗରଉନ୍ନୟନ ବିଭାଗର ପ୍ରମୁଖ ସଚିବ ଉଷା ପାଢୀ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରି ସମ୍ମିଳନୀ ଆୟୋଜନ ଲକ୍ଷ୍ୟ ଉପରେ ଆଲୋକପାତ କରି ରାଜ୍ୟର ସହରାଞ୍ଚଳ ବିକାଶ ରୋଡମ୍ୟାପ ଓ ଭବିଷ୍ୟତ ପ୍ରସ୍ତୁତ ସହର ହାସଲ ପାଇଁ ସହଯୋଗୀ ଶାସନ, ନାଗରିକ-କୈନ୍ଦ୍ରିକ ଯୋଜନା ଏବଂ ବୈଷଯ଼ିକ ଜ୍ଞାନ କୌଶଳ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଗୃହନିର୍ମାଣ ଓ ନଗରଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର ଏହି ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ତାଙ୍କ ବକ୍ତବ୍ୟରେ ଡକ୍ଟର ମହାପାତ୍ର ସ୍ଥାଯ଼ୀ ସହରାଞ୍ଚଳ ଭିତ୍ତିଭୂମି, ଦକ୍ଷ ସେବା ପ୍ରଦାନ ଏବଂ ଜୀବନ୍ତ ସହରାଞ୍ଚଳ କେନ୍ଦ୍ର ନିର୍ମାଣରେ ସ୍ଥାନୀୟ ଶାସନକୁ ସଶକ୍ତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ପୌରସଂସ୍ଥାମାନେ ସହରାଞ୍ଚଳର ସ୍ୱଚ୍ଛତା ଉପରେ ପ୍ରଧାନ୍ୟ ଦେଇ କାର୍ଯ୍ୟ କରିବା ସହ କ୍ଷେତ୍ର ଭ୍ରମଣ କରି ସମସ୍ୟାର ଅନୁଧ୍ୟାନ ଏବଂ ସମାଧାନ ଦିଗରେ ତ୍ୱରିତ ପଦକ୍ଷେପ ଗ୍ରହଣ ନେଇ ପରାମର୍ଶ ଦେଇଛନ୍ତି । ଉପଯୁକ୍ତ ବିକଳ୍ପ ସୁବିଧା ଯୋଗାଇ ଦେବା ସହ ନୂତନ ବସ୍ତି ଯେଭଳି ସୃଷ୍ଟି ନହେବ ସେ ଦିଗରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରାରମ୍ଭରେ ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।  ଓଡ଼ିଶା ସହରାଞ୍ଚଳ ସମ୍ମିଳନୀ  ଜ୍ଞାନ ବାଣ୍ଟିବା, ଭାଗିଦାରୀ ନିର୍ମାଣ ଏବଂ ନୀତି ଆଲୋଚନା ପାଇଁ ଏକ ଜୀବନ୍ତ ମଞ୍ଚ ଭାବରେ କାର୍ଯ୍ୟ କରେ । ଯାହାର ଲକ୍ଷ୍ୟ ହେଉଛି ସମାବେଶୀ ଓ ସ୍ଥାୟୀ ସହରୀକରଣ ଦିଗରେ ଓଡ଼ିଶାର ଯାତ୍ରାକୁ ତ୍ୱରାନ୍ୱିତ କରିବା । ନାଗରିକ-ପ୍ରଥମ, ଭବିଷ୍ୟତ-ପ୍ରସ୍ତୁତ ସହର ସୃଷ୍ଟି ପାଇଁ ରାଜ୍ୟର ପ୍ରତିବଦ୍ଧତାକୁ ଦୋହରାଇବାରେ ଏହା ଗୁରୁତ୍ୱପୂର୍ଣ୍ଣ ।