ଜରାଜୀର୍ଣ୍ଣ ଅବସ୍ଥାରେ ‘ଔ’ ନାଳ ପୋଲ
ତାଳଚେରରୁ ଅକ୍ଷୟ ମହାରଣା : ତାଳଚେର ପୌରପରିଷଦ ଅନ୍ତର୍ଗତ ୱାର୍ଡ଼ ନଂ-୧୬ ଗୋପୀନାଥପୁର ଗ୍ରାମର ଶ୍ମଶାନଘାଟକୁ ଲାଗି ରହିଥିବା ବହୁ ପୁରାତନ ‘ଔ’ନାଳ ପୋଲ ଏବେ ବିକାଶ ଠାରୁ ବହୁ ଦୂରରେ । ପୌରପରିଷଦ ପକ୍ଷରୁ ବିଭିନ୍ନ ବିକାଶମୂଳକ କ୍ଷେତ୍ରରେ ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ଏହି ବହୁ ପୁରାତନ ରାଜା ରାଜୁଡ଼ା ଅମଳର ପୋଲ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଥିବା ଦେଖିବାକୁ ମିଳିଛି । ବିଶେଷ କରି ଏହି ପୋଲର ଅବସ୍ଥା ଏତେ ଶୋଚନୀୟ ଏହା ଉପରେ କୌଣସି ଗାଡ଼ିମଟର ଚାଲିଗଲେ ଏହା ଦୋହଲିବା ଭଳି ଅବସ୍ଥା ଦେଖାଦେଉଛି । ଗୋପୀନାଥପୁରର ଗ୍ରାମର ଶତାଧିକ ପୁରୁଷ, ମହିଳା, ସ୍କୁଲ, କଲେଜ ଛାତ୍ରଛାତ୍ରୀ, ମେଡ଼ିକାଲ, ବିଭିନ୍ନ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ବ୍ୟବସାୟ ଇତ୍ୟାଦି ପ୍ରତ୍ୟେକ ଦିନ ଏହି ପୋଲଦେଇ ଯାତାୟତ କରିଥାନ୍ତି । ଏବଂ ତାଳଚେର ସହରବାସୀଙ୍କ ସମେତ ବିଭିନ୍ନ ଗାଁଗଣ୍ଡାରୁ ଲୋକମାନେ ବିବାହ, ବ୍ରତ, ଜନ୍ମଦିନ, ପିଣ୍ଡଦାନ, ପୂଜାପାଠ କରିବା ଉଦେ୍ଦଶ୍ୟରେ ତାଳଚେରର ଐତିହାସିକ ପଶ୍ଚିମେଶ୍ୱର ଶୈବପୀଠକୁ ଯିବାକୁ ହେଲେ ଏହି ‘ଔ’ନାଳ ପୋଲ ହେଉଛି ଏକମାତ୍ର ବିକଳ୍ପର ସୂତ୍ରଧାର । ଏହି ପୋଲକୁ ଲାଗି ରହିଥିବା ଶାନ୍ତିଧାମ ଶ୍ମଶାନଘାଟ ରହିଛି । ଏହି ବିପଦପୂର୍ଣ୍ଣ ବାଡ଼ାନଥିବା ପୋଲ ଉପରେ କୋକେଇ ଧରି ଲୋକମାନେ ମଧ୍ୟ ଶବଦାହ କରିବା ନିମନ୍ତେ ଯାଇଥାନ୍ତି । ବଡ଼ବଜାର ଛକ ଠାରୁ ମଣ୍ଡାପାଳ ହସ୍ପିଟାଲ ଦେଇ ଯାଇଥିବା ଏକ ସିଙ୍ଗଲ କଙ୍କି୍ରଟ ରୋଡ଼ ରହିଛି, ଯାହାକି ଏହି ‘ଔ’ନାଳ ପୋଲକୁ ସଂଯୋଗ କରୁଛି । ଏହି ରୋଡ଼ର ଅବସ୍ଥା ଏତେ ଶୋଚନୀୟ ନକହିବା ଭଲ । ରାସ୍ତାର ଉଭୟପାଶ୍ୱର୍ରେ ଖାଲଖମଣ, ଆବଡ଼ାଖାବଡ଼ା, ଦୁଇକଡ଼ରେ ବାଲିଭର୍ତ୍ତି ହୋଇ ରହିଛି । ଯାହାଫଳରେ ଲୋକ ଯାତାୟତ କରିବା ପାଇଁ ନାନାଦି ଅସୁବିଧାର ସମ୍ମୁଖିନ ହେଉଛନ୍ତି । ନିର୍ବାଚନ ସମୟରେ ନେତା ମନ୍ତ୍ରୀ ଆସି ଅନେକ ପ୍ରତିଶ୍ରୁତି ଦେଇ ଭୋଟ ହାତେଇଥାନ୍ତି । ଏବଂ ନିର୍ବାଚନ ସରିବା ପରେ ସେମାନଙ୍କ ଆଉ ଦେଖା ଦର୍ଶନ ମିଳିନଥାଏ । ଦେଶ ଯେତେ ବିକାଶ ପଥରେ ଗଲେ ମଧ୍ୟ ଗାଁଗଣ୍ଡାର ଏପରି ଦୁର୍ଦ୍ଦଶା ପରିବର୍ତ୍ତନ ହେବାର ନା ନେଉନାହିଁ । ରାଜ୍ୟରେ ପୁରୁଣା ସରକାର ଯାଇ ଏବେ ଡ଼ବଲ ଇଞ୍ଜିନ ସରକାର କାମ କରୁଛି । ହେଲେ ନୂଆ ସରକାର ଗଢ଼ିବା ଦିନ ଠାରୁ ଏପର୍ଯ୍ୟନ୍ତ କୌଣସି ନେତା ଏପୋଲ ଉପରେ ଦୃଷ୍ଟି ଦେଇନାହନ୍ତି । ସେମିତି ଭଙ୍ଗାଦଦରା ଅବସ୍ଥା ଓ ବିପଦପୂର୍ଣ୍ଣ ଭାବେ ଲୋକମାନେ ଏହି ପୋଲ ଉପରେ ଚଳପ୍ରଚଳ କରୁଛନ୍ତି । ସହର ଠାରୁ ଗୋପୀନାଥପୁର ଗ୍ରାମଦେଇ ପଶ୍ଚିମେଶ୍ୱର ଶୈବପୀଠକୁ ପ୍ରାୟ ୩କିମି ବ୍ୟାପୀ ଏକ ରୋଡ଼ ଯାଇଛି ଯାହାର ଅବସ୍ଥା ବଡ଼ ସଂକଟାପନ୍ନ । ଦର୍ଶନାର୍ଥୀ ଶୈବପୀଠକୁ ଦର୍ଶନ କରିବାକୁ ଗଲେ ଦହଗଞ୍ଜ ହେଉଥିବା ଅନେକ ସମୟରେ ଅଭିଯୋଗ ହୋଇ ଆସୁଥିଲେ ହେଁ ଏହାର ସୁଧାର ଆଜି ପର୍ଯ୍ୟନ୍ତ ପ୍ରଶାସନିକ ସ୍ତରରେ କରାଯାଇ ନାହିଁ ବୋଲି ଗ୍ରାମବାସୀ ମତ ଦେଉଛନ୍ତିି । ତେବେ ଏସବୁ ସମସ୍ୟା ଓ ଲୋକଙ୍କ ସ୍ୱାର୍ଥକୁ ସରକାର କେବେ ଦୃଷ୍ଟି ଦେଉଛନ୍ତି ତାହା ଆଗାମୀ ଦିନରେ ଜଣାପଡ଼ିବ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ତେବେ ପ୍ରଶାସନ କାଳବିଳମ୍ବ ନକରି ତୁରନ୍ତ ଏହି ‘ଔ’ନାଳ ପୋଲର ବିକାଶ ଓ ନିର୍ମାଣ କାର୍ଯ୍ୟ କରାଯାଇ ଲୋକଙ୍କ ଗମନାଗମନରେ ସୁଧାର ଆଣିବାକୁ ଉଭୟ ସହର ଓ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି ।