ଦେବାଶିଷଙ୍କ ବିସ୍ଫୋରଣ  :  ‘ନବୀନ ଏବେ ଗୃହବନ୍ଦୀ'

ଦେବାଶିଷଙ୍କ ବିସ୍ଫୋରଣ  :  ‘ନବୀନ ଏବେ ଗୃହବନ୍ଦୀ'
  • ଉପସଭାପତି ପଦ ଛାଡ଼ିଲେ
  • ନବୀନ ଥିବା ଯାଏଁ ବିଜେଡ଼ିରେ ରହିବି
  • ଏବେବି ଭୈରବ ଚଳାଉଛନ୍ତି ବିଜେଡ଼ି

ଭୁବନେଶ୍ୱର : ବେଶ୍‌ କିଛିଦିନ ଗୁମସୁମ୍‌ ରହିବା ପରେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ପୁଣି ବିସ୍ଫୋରକ ବୟାନ ଦେଇଛନ୍ତି । ସିଧାସିଧା କହିଛନ୍ତି, ନବୀନ ଏବେ ଗୃହବନ୍ଦୀ ଅଛନ୍ତି । ସେ ବିଜେଡ଼ି ସଂକ୍ରାନ୍ତୀୟ କୌଣସି ଖବର ପାଉନାହାନ୍ତି । ସେହିପରି ସେ ଉପସଭାପତି ପଦବୀରୁ ଇସ୍ତଫା ଦେଇଛନ୍ତି । ଗଣମାଧ୍ୟମ ଆଗରେ ପୁଣି ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ଉପରେ ରୋଷ ଝାଡ଼ିବା ସହ ଏବେବି ସେ ଦଳ ଚଳାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି । ତେବେ ଏବେ ସେ ଦଳ ଛାଡ଼ିବେନି । ଯେଯାଏଁ ନବୀନ ଦଳର ନେତୃତ୍ୱ ନେଉଥିବେ ସେପର୍ଯ୍ୟନ୍ତ ସେ ବିଜେଡ଼ିରେ ରହିବେ ବୋଲି କହିଛନ୍ତି । 


     ଦେବାଶିଷ ଆଜି ପତ୍ର ମାଧ୍ୟମରେ ନବୀନଙ୍କୁ ଉପସଭାପତି ପଦରୁ ଅବ୍ୟାହତି ଦେବା ପାଇଁ ଅନୁରୋଧ କରିଛନ୍ତି । ଦଳରେ ସବୁକିଛି ଠିକ୍‌ ଚାଲୁନାହିଁ ବୋଲି ପରୋକ୍ଷରେ ସୂଚାଇବା ସହ କ୍ଷୋଭ ବି ପ୍ରକାଶ କରିଛନ୍ତି । ପରେ ଗଣମାଧ୍ୟମକୁ କହିଛନ୍ତିଯେ, ଉପସଭାପତି ପଦ ମିଳିବା ପରେ ମୁଁ ସାଙ୍ଗେସାଙ୍ଗେ ଚିଠି ଲେଖି ଜଣାଇଥିଲି । ସାର ତାହା ପଢ଼ିଛନ୍ତି ବୋଲି ଆଦିତ୍ୟ ମହାପାତ୍ର କହିଲେ । ସେ ଏବେ ଅସୁସ୍ଥ ଅଛନ୍ତି, ସୁସ୍ଥ ହେବାପରେ ଦେଖା କରି କଥା ହେବେ । ତେବେ ଏକଥା ବାହାରେ  ପ୍ରକାଶ ନକରିବାକୁ କହିଥିଲେ । ନବୀନ ବାବୁ ମୋତେ ନିଜେ ଫୋନ୍‌ କରିଥିଲେ । ଋଷି ତୁମେ ଉପରାଷ୍ଟ୍ରପତି ଭୋଟିଂରେ ଅନୁପସ୍ଥିତ ରହିବ । ମୁଁ ସାରଙ୍କ କଥାରେ ଅନୁପସ୍ଥିତ ରହିଲି । ୱାକଫ ବିଲକୁ ବିରୋଧ କରିବା ପାଇଁ ନବୀନ ବାବୁ ତିନି ଥର କହିଛନ୍ତି । ଆମେ ବି କେନ୍ଦ୍ରରେ ବିରୋଧୀ ଦଳ ସହ ଥିଲୁ । ଅନ୍ୟମାନେ ଆମକୁ ପଚାରୁଥିଲେ, ବିଜେଡ଼ି କ’ଣ ସତରେ ବିରୋଧୀରେ ରହିବ । ବିରୋଧୀ ଦଳର ନେତାମାନେ ଜାଣିଥିଲେ ବିଜେଡ଼ି ୱାକଫରେ ସମର୍ଥନ କରିବ । କିନ୍ତୁ ବିବେକାନୁମୋଦିତ ଭୋଟ ହେବାରୁ ଆମକୁ ସମସ୍ତେ ତାତ୍ସଲ୍ୟ କଲେ । ଅନ୍ୟ ରାଜ୍ୟସଭା ସାଂସଦମାନେ ସପକ୍ଷରେ ଭୋଟ୍‌ ଦେଇଦେଲେ । ଦିଲ୍ଲୀରେ ଅନ୍ୟ ନେତାମାନେ ଭାବିଲେ, ଆମ ସାଂସଦଙ୍କର କିଛି ମୂଲ୍ୟ ନାହିଁ ।


     ଆମର ଯେଉଁ ବିରୋଧୀ ଭାବେ ସମ୍ମାନ ଥିଲା ତାହା ପଳାଇଲା । ଅଶ୍ୱିନୀ ବୈଷ୍ଣବ ଓ ସସ୍ମିତ ପାତ୍ର ବୁଲିବୁଲି ଭୋଟ୍‌ ପ୍ରଚାର କରିବା ପରେ ମୁଁ ଚକିତ ହୋଇଗଲି । ୟାକୁ ତାକୁ ତେଲ ମାରିକି ଯେଉଁମାନେ ରାଜ୍ୟସଭାକୁ ଯାଇଛନ୍ତି ସେମାନେ କହିବେ । ମୁନା ଖାଁ, ଲକି ଖୁଣ୍ଟିଆ ଦଳ ପାଇଁ କାମ କରିକି ଯାଇଛନ୍ତି । ସସ୍ମିତ ପାତ୍ର ମୁଖପାତ୍ର ଥିଲେ, ଭଲ କହୁଥିଲେ । ଭୈରବ ଆମ ଦଳ ଚଳାଉଥିଲେ । ଏବେବି ଚଳାଉଛନ୍ତି । ଏବେ ବିଜେଡ଼ି ରିମୋର୍ଟ କଂଟ୍ରୋଲରେ ଚାଲିଛି ବୋଲି ଦେବାଶିଷ କହିଛନ୍ତି । ସେ କହିଛନ୍ତିଯେ, ନବୀନ ବାବୁଙ୍କ ସହ ମୋତେ ଦେଖା କରାଇଦେଲେନି। ସେଥିପାଇଁ ବାଧ୍ୟହୋଇ ଚିଠି ଲେଖିଲି । ଆମକୁ ଦିଆଯାଇଥିବା ପଦରେ ଲେଖାହୋଇଛି, ଇନ ଦ ର‍୍ୟାଙ୍କ ଅଫ ଭାଇସ ପ୍ରେସିଡେଣ୍ଟ। ପ୍ରସନ୍ନ ଆଚାର୍ଯ୍ୟଙ୍କ ପାଇଁ ବି ସେମିତି ଲେଖାହୋଇଛି । ଏହା ପ୍ରଶାସନିକ କ୍ଷେତ୍ରରେ ବ୍ୟବହାର ହୋଇଥାଏ । ଦଳ ଗୁରୁତ୍ୱ ଦେଉନଥିବାରୁ ମୁଁ ପଦ ଛାଡ଼ିଲି । ଦଳ ମୁଁ ଛାଡ଼ିବାର ନାହିଁ । ନବୀନ ନେତୃତ୍ୱ ନେଉଥିବା ପର୍ଯ୍ୟନ୍ତ ମୁଁ ବିଜେଡ଼ିରେ ଅଛି । ମୁଁ ନବୀନ ବାବୁଙ୍କ ସହ ସିଧା କଥା ହେଉଥିଲି । ପରେ ବନ୍ଦ କରି ଦିଆଗଲା । ନବୀନ ସୁସ୍ଥ ଅଛନ୍ତି, ପ୍ରଚାରକୁ ଯାଉଛନ୍ତି । ହେଲେ ମୋତେ ନବୀନଙ୍କ ସହ ସାକ୍ଷାତ କରାଇ ଦିଆଯାଉନି । ଭୈରବ ତା’ର ଗୋଟେ ଲୋକ ନବୀନ ନିବାସରେ ଛାଡ଼ିକି ଯାଇଛି ବୋଲି ଦେବାଶିଷ କହିଛନ୍ତି ।