ଜୁନ ୨୯ରେ ହାଜର ହେବାକୁ ଆତିଶୀଙ୍କୁ କୋର୍ଟଙ୍କ ସମନ

ଜୁନ ୨୯ରେ ହାଜର ହେବାକୁ  ଆତିଶୀଙ୍କୁ  କୋର୍ଟଙ୍କ ସମନ

ବଢ଼ିଲା ଆପ୍‌ ନେତ୍ରୀ ତଥା ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା ଆତିଶୀଙ୍କ ଅଡ଼ୁଆ। ତାଙ୍କୁ ଦିଲ୍ଲୀର ଗୋଟିଏ କୋର୍ଟ ହାଜର ହେବାକୁ ସମନ କରିଛନ୍ତି। ଦିଲ୍ଲୀ ବିଜେପିର ମିଡିଆ ମୁଖ୍ୟ ପ୍ରବୀଣ ଶଙ୍କର କପୁର ରୁଜୁ କରିଥିବା ମାନହାନୀ କେସ୍‌ରେ କୋର୍ଟ ଏପରି ସମନ କରିଛନ୍ତି। କୋର୍ଟ ଆଜି ଆତିଶୀଙ୍କୁ ଜୁନ ୨୯ରେ ହାଜର ହେବାକୁ ସମନ କରିଛନ୍ତି।

ବିଜେପି ଦିଲ୍ଲୀର କ୍ଷମତାସୀନ ଆପ୍‌ର କିଛି ବିଧାୟକଙ୍କୁ ଟଙ୍କା ଦେଇ କିଣିବାକୁ ଚେଷ୍ଟା କରୁଥିବା ଆତିଶୀ ଅଭିଯୋଗ କରିଥିଲେ। ଏନେଇ ତାଙ୍କ ପାଖରେ ଫୋନ କଲ ରେକର୍ଡ ରହିଥିବା ମଧ୍ୟ ସେ ଦାବି କରିଥିଲେ।

ଆପ୍‌ର ଏପରି ଅଭିଯୋଗକୁ ବିଜେପି ଖଣ୍ଡନ କରିଥିଲା। ଦଳ ପକ୍ଷରୁ ପ୍ରମାଣ ଉପସ୍ଥାପନ କରିବାକୁ ଆପ୍‌କୁ ଚ୍ୟାଲେଞ୍ଜ ଦିଆଯାଇଥିଲା। ଏଥିସହ ପ୍ରବୀଣ ଶଙ୍କର କପୁର କୋର୍ଟରେ ପହଞ୍ଚି ଆତିଶୀଙ୍କ ବିରୋଧରେ ମାନହାନୀ କେସ୍‌ କରିଥିଲେ।

ସେ ମାନହାନୀ କେସ୍‌ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନାଁ ମଧ୍ୟ ଉଲ୍ଲେଖ କରିଥିଲେ। ପ୍ରବୀଣ କହିଛନ୍ତି ଯେ ଆତିଶୀ ଓ ଆପର ଘୋଡ଼ା ବେପାର ଅଭିଯୋଗ ତାଙ୍କର ଓ ତାଙ୍କ ଦଳର ସମ୍ମାନକୁ କ୍ଷତି ପହଞ୍ଚାଇଛି। କୋର୍ଟ ଏହାର ବିଚାର କରି ଆତିଶୀଙ୍କୁ ଅଭିଯୁକ୍ତ ଭାବେ ବିବେଚନା କରିଛନ୍ତି ଓ ତାଙ୍କୁ ଜୁନ ୨୯ରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।