ପଦ୍ମ ଧରିବେ ଦିଲ୍ଲୀପ ରାୟ !
ଭୁବନେଶ୍ୱର : ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ପୁଣିଥରେ ପଦ୍ମ ଧରିବେ । ବିଜେପିରୁ ହିଁ ସେ ରାଉରକେଲାରେ ନିର୍ବାଚନ ଲଢ଼ିବେ । ସେ ପଦ୍ମ ଧରିବା ନେଇ ତାଙ୍କ ପୁଅ ସନ୍ଦୀପ ରାୟ ସଂକେତ ଦେଇଛନ୍ତି । ନିଜ ପ୍ରୋଫାଇଲ ପେଜରେ ସେ ବାପାଙ୍କ ଫଟୋ ସହ ପଦ୍ମଫୁଲର ଫଟୋ ରଖିଛନ୍ତି । ଫଳରେ ଦିଲୀପ ରାୟ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ୨୦୧୮ ନଭେମ୍ବରରେ ଦିଲ୍ଲୀପ ବିଜେପି ଛାଡ଼ିବା ସହ ବିଧାୟକ ପଦରୁ ବି ଇସ୍ତଫା ଦେଇଥିଲେ । ପରେ ସେ ନବୀନ ନିବାସ ଯାଇ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ବି ସାକ୍ଷାତ କରିଥିଲେ । ତେବେ କେତେକ କାରଣରୁ ସେ ବିଜେଡ଼ିରେ ଯୋଗଦେବା ପାଇଁ ଆଗ୍ରହ ପ୍ରକାଶ କରିନଥିଲେ ।
ସୋମବାର ଦିଲ୍ଲୀ ହାଇକୋର୍ଟରେ ତାଙ୍କ ଦଣ୍ଡାଦେଶ ଉପରେ ସ୍ଥଗିତାଦେଶ ଲାଗିଥିଲା । କୋଇଲା ଦୁର୍ନୀତି ମାମଲାରେ ତାଙ୍କୁ ୩ ବର୍ଷ ଦଣ୍ଡାଦେଶ ମିଳିଥିଲା । ଯାହାଫଳରେ ସେ ନିର୍ବାଚନ ଲଢ଼ିବାକୁ ଯୋଗ୍ୟ ହୋଇପାରିନଥା’ନ୍ତେ । ତେବେ କୋର୍ଟ ତାଙ୍କ ଦଣ୍ଡାଦେଶକୁ ସ୍ଥଗିତ କରିଦେବାପରେ ନିର୍ବାଚନ ଲଢ଼ିବା ପାଇଁ ବାଟ ଖୋଲିଛି । ସେହିପରି ସେ ବିଧାନସଭା ନିର୍ବାଚନ ଲଢ଼ିବାକୁ ଚାହୁଁଛନ୍ତି ବୋଲି କୋର୍ଟରେ ମଧ୍ୟ ଦର୍ଶାଇଛନ୍ତି । ତାଙ୍କର ଲମ୍ବା ରାଜନୀତିକ କ୍ୟାରିୟରକୁ ଦେଖି ହାଇକୋର୍ଟ ମଧ୍ୟ ଏଭଳି ରାୟ ଶୁଣାଇଛନ୍ତି । ତେବେ ସେ ବିଜେପିକୁ ଯିବେ ନା ବିଜେପିକୁ ଯିବାର ସମ୍ଭାବନା ଦେଖାଇ ବିଜେଡ଼ି ସହ କିଛି ଆଲୋଚନା କରିପାରନ୍ତି ତାହାକୁ ନେଇ ଚର୍ଚ୍ଚା ହେବା ସ୍ୱାଭାବିକ । ଦିଲ୍ଲୀପ ଏନେଇ ମୁହଁ ଖୋଲୁନଥିବାରୁ ଏନେଇ କିଛି ସ୍ପଷ୍ଟ ସୂଚନା ମିଳୁନାହିଁ ।