ନଦୀରୁ କମିଲାଣି, ଗାଁ ଏବେବି ଜଳବନ୍ଦୀ
ଭୁବନେଶ୍ୱର : ନଦୀରେ ଜଳସ୍ତର ହ୍ରାସ ପାଇଛି । ବିପଦ ସଂକେତ ତଳକୁ ବି ଖସିଗଲାଣି । ହେଲେ ଗାଁରୁ କିନ୍ତୁ ପାଣି ଛାଡୁନି । ଫଳରେ ବାଲେଶ୍ୱର ଓ ମୟୂରଭଞ୍ଜର କେତେକ ଗାଁ ଏବେବି ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ସେପଟେ ବିଡ଼ିଓ ଓ ତହସିଲଦାରଙ୍କ ଭଳି ଅଫିସରମାନେ ଛୁଟିରେ ରହିଥିବାରୁ ଲୋକମାନେ ଏବେ ଦହଗଞ୍ଜ ହେଉଛନ୍ତି । ସେହିପରି ପର୍ଯ୍ୟାପ୍ତ ପରିମାଣର ରିଲିଫ ମିଳିନଥିବାରୁ ଜନ ଅସନ୍ତୋଷ ବି ପ୍ରକାଶ ପାଇଛି ।
ମିଳିଥିବା ସୂଚନାନୁସାରେ, ବାଲେଶ୍ୱରର ଭୋଗରାଇ, ଜଳେଶ୍ୱର, ବସ୍ତା ଓ ବାଲିଆପାଳ ବ୍ଳକର ଶହ ଶହ ଗାଁରେ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଯାଇଛି । ଗାଁ ମଝିରେ ବି ଆଣ୍ଠୁଏ ପାଣି । ଘର ଭିତରେ ବି ପାଣି ପଶିଯାଇଛି । ଅନେକ ସ୍ଥାନରେ ରାସ୍ତା ଘାଟ ବି ଭାଙ୍ଗିଯାଇଛି । ବିଶେଷକରି ପିଇବା ପାଣି ମୁନେ୍ଦ ଠିକରେ ମିଳିପାରୁନାହିଁ । ମହିଳାମାନେ ଅଣ୍ଟାଏ ପାଣିରେ ଅନ୍ୟସ୍ଥାନରୁ ପିଇବା ପାଣି ଆଣିବାକୁ ବାଧ୍ୟ ହେଉଛନ୍ତି । ରାସ୍ତାରେ ଘାଇ ସୃଷ୍ଟି ହୋଇଥିବାରୁ କେତେକ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ।
ଏନେଇ ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ କହିଛନ୍ତିଯେ, ଗାଁରେ ଏବେ ପାଣି ଛାଡ଼ିନାହିଁ । ନଦୀରେ କିନ୍ତୁ ଜଳସ୍ତର କମିଥିବାରୁ ଟିକେ ଆଶ୍ୱସ୍ତି ମିଳିଛି । ଅନେକ ଗାଁ ଏବେ ଜଳବନ୍ଦୀ ଅବସ୍ଥାରେ ରହିଛି । ପ୍ରଶାସନ ପକ୍ଷରୁ ଯେଉଁ ରିଲିଫ ଦିଆଯାଉଛି ତାହା ସମୁଦ୍ରକୁ ଶଙ୍ଖେ ଭଳି । ଶୁଖିଲା ଖାଦ୍ୟ, ଗୋଖାଦ୍ୟର ତୁରନ୍ତ ବ୍ୟବସ୍ଥା କରିବାକୁ ସେ ଦାବି କରିଛନ୍ତି । ଓଡ଼ିଶାରେ ଏବେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି । ଫଳରେ ଆସନ୍ତା ୫ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ଅଛି । ଆଜି ସମ୍ବଲପୁର, ସୁନ୍ଦରଗଡ଼, କୋରାପୁଟ, ମାଲକାନଗିରି, କଳାହାଣ୍ଡି, ମୟୂରଭଞ୍ଜ, କେନ୍ଦୁଝର ଓ ନବରଙ୍ଗପୁରରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆସନ୍ତାକାଲି ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ ୩୦ରୁ ୪୦ କିମି ବେଗରେ ଝଟକା ପବନ ବହିବ । ସେଥିପାଇଁ ଉକ୍ତ ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଅପରପକ୍ଷରେ ଦେବଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, ବରଗଡ଼ରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରିହୋଇଛି ।