ବିଏମ୍ସି ଅଫିସ ଗୁଣ୍ଡାଗିରି ଗିରଫ ହେଲେ ସଂଜୀବ ଓ ସଚ୍ଚିକାନ୍ତ
ଭୁବନେଶ୍ୱର/ବ୍ରହ୍ମପୁର: ଗଞ୍ଜାମରେ ଆଇନ ଶୃଙ୍ଖଳା ସ୍ଥିତି ଦିନକୁ ଦିନ ଭୁଷୁଡ଼ିବାରେ ଲାଗିଛି । ସଂଘବଦ୍ଧ ଆକ୍ରମଣ, କୁକର୍ମ, ହତ୍ୟା ଆଦି ନିୟମିତ ଘଟଣାରେ ପରିଣତ ହୋଇଗଲାଣି । ଯାହାକୁ ନେଇ ପୁଲିସର ପାରିବାପଣିଆ ଉପରେ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠିଛି । ପୂର୍ବରୁ ଏହା ନବୀନଙ୍କ ଜିଲ୍ଲା ହୋଇଥିବାରୁ ମାଛି ପଡ଼ିଲେ ନବଖଣ୍ଡ ହେବାର ଭୟ ଥିଲା । ଏବେ ସେହି ଭୟ ଚାଲିଯାଇଥିବାରୁ ଅପରାଧିଙ୍କ ଉତ୍ପାତ ବଢୁଥିବା ସାଧାରଣରେ ଆଲୋଚନା ହେଉଛି ।
ଆଜି ବି ନୂଆଁପଲ୍ଲୀରେ ଜଣେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା କରାଯାଇଛି । ବେଗୁନିଆପଡା ଥାନା ଅନ୍ତର୍ଗତ କେ. ବରିଡା ପଞ୍ଚାୟତର ବି.ନୂଆଁପଲ୍ଲୀରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା କରିଥିବା ନେଇ ବେଗୁନିଆପଡ଼ା ଥାନାରେ ଲିଖିତ ଅଭିଯୋଗ ହୋଇଛି । ସୋମବାର ବିଳମ୍ବିତ ରାତିରେ ନିରାକାର ଦାସ ନାମକ ଯୁବକଙ୍କୁ ହତ୍ୟା କରାଯାଇଛି । ଘଟଣା ପରେ ବେଗୁନିଆପଡ଼ା ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସେପଟେ ପରିବାର ଲୋକେ ବେଗୁନିଆପଡ଼ା ଥାନାରେ ଏତଲା ଦେଇଛନ୍ତି । ପୋଲିସ ଘଟଣାରେ ୪ ଯୁବକଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।
ସେହିପରି ଛତ୍ରପୁରରେ ବି ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି । ଛତ୍ରପୁର ଥାନା ଅଧିନ ଗୋବା ଗ୍ରାମ ନିକଟରେ ସଂଘବଦ୍ଧ ଆକ୍ରମଣରେ ଜଣେ ମୃତୁ୍ୟ ହୋଇଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି । ମୃତକ ଜଣକ ହେଲେ ଗୋବା ଗ୍ରାମର ତୋଫାନ ସ୍ୱାଇଁ (୨୫) । ସୂଚନାଥାଉକି ଆଜି ସକାଳୁ ଗୋବା ଗ୍ରାମ ନିକଟରେ ୧୦ରୁ ଉଦ୍ଧ୍ୱର୍ ବ୍ୟକ୍ତି ବାଇକରେ ଆସି ତୋଫାନ ସମେତ କିଛି ବ୍ୟକ୍ତିଙ୍କୁ ଆକ୍ରମଣ କରିଥିଲେ । ଏହି ଖବର ଶୁଣି ସମ୍ପର୍କୀୟ ଭାଇ ସୁଧିର ସ୍ୱାଇଁ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ । ଆହତ ଚାରି ଜଣକୁ ଛତ୍ରପୁର ମେଡିକାଲକୁ ଚିକିସôା ପାଇଁ ଅଣାଯାଇଥିଲା । ଆହତମାନେ ହେଲେ ଗୋବା ଗ୍ରାମର ତୋଫାନ ସ୍ୱାଇଁ, ସୁଧିର ସ୍ୱାଇଁ, ନନ୍ଦ ବାରିକ ଓ ରାହୁଲ ସ୍ୱାଇଁ । ସେମାନଙ୍କୁ ଖଣ୍ଡା, ହକିଷ୍ଟିକ, ଲୁହା ରଡ ଓ ବ୍ଳେଡ଼ରେ ଆକ୍ରମଣ କରାଯାଇଥିବା କହିଥିଲେ । ତୋଫାନଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ପଠାଯାଇଥିବା ବେଳେ ଅନ୍ୟ ତିନି ଜଣ ସାମାନ୍ୟ ଆହତ ହୋଇଥିଲେ । ବ୍ରହ୍ମପୁର ମେଡିକାଲରେ ତୋଫାନଙ୍କ ମୃତୁ୍ୟ ଘଟିଛି । ଆକ୍ରମଣକାରୀମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଅନ୍ୟପକ୍ଷରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଜଣକୁ ଥାନାରେ ଅଟକ ରଖାଯାଇ ତଦନ୍ତ କରୁଛି । ବିଗତ କିଛି ବର୍ଷ ହେଲା ଗୋବା ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହୁଥିଲା । ବହୁବାର ଥାନାରେ ଏହାର ସମାଧାନ ମଧ୍ୟ ହେଉଥିଲା । ତେବେ ନିକଟରେ ଗାଁରେ ଏକ ଟେଣ୍ଡର କାର୍ଯ୍ୟକୁ ନେଇ ଦୁଇ ଗୋଷ୍ଠୀ ମୁହାମୁହିଁ, ପୂର୍ବଶତ୍ରୁତା ଓ ବାଲିଚାଲାଣ ଆଦିକୁ ନେଇ ବିବାଦ ବଢ଼ିଥିବାବେଳେ ଏବେ ତାହାର କରୁଣ ପରିଣତି ଦେଖିବାକୁ ମିଳିଛି । ସେହିପରି ବ୍ରହ୍ମପୁରର ଗୀତାଞ୍ଜଳୀ ଲଜ୍ରେ ଜଣେ ଯୁବତୀଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି । ଥାନାରେ ଅଭିଯୁକ୍ତ ଆତ୍ମସମର୍ପଣ କରିଥିବାବେଳେ ଏନେଇ ବ୍ରହ୍ମପୁର ଏସପି ଘଟଣାର ଅନୁଧ୍ୟାନ କରୁଥିବା ଜାଣିବାକୁ ମିଳିଛି ।