ନବୀନଙ୍କୁ ନେଇ ଆମେ ଅପମାନିତ କଲୁ : ଭୂପିନ୍ଦର

ନବୀନଙ୍କୁ ନେଇ ଆମେ ଅପମାନିତ କଲୁ : ଭୂପିନ୍ଦର

୩୨ ବୁଥରେ ୩୦ ଭୋଟ ନପାଇବା କଷ୍ଟଦାୟକ

ଭୁବନେଶ୍ୱର : ନୂଆପଡ଼ା ବିପର୍ଯ୍ୟୟକୁ ନେଇ ବିଜେଡ଼ି ଶିବିର କାଲୁଆ ପଡ଼ିଯାଇଛି । ଦାୟିତ୍ୱରେ ଥିବା ନେତାମାନେ ମୁହଁ ଖୋଲୁନାହାନ୍ତି । ହେଲେ ନୂଆପଡ଼ା ପାଇଁ ଡକରା ପାଇନଥିବା ନେତାମାନେ ଏବେ ମୁହଁ ଖୋଲିବା ସହ ଅସନ୍ତୋଷ ଝାଡୁଥିବା ଲକ୍ଷ୍ୟ କରାଯାଉଛି ।


    ପ୍ରଫୁଲ୍ଲ ସାମଲ, ସମ୍ବିତ ରାଉତରାୟଙ୍କ ପରେ କଡ଼ା କଥା ଶୁଣାଇଛନ୍ତି  ବରିଷ୍ଠ ନେତା ଭୂପିନ୍ଦର ସିଂହ । ଭୂପିନ୍ଦର କହିଛନ୍ତିଯେ, ନୂଆପଡା ଉପ-ନିର୍ବାଚନରେ ପ୍ରାର୍ଥୀ ଚୟନରେ ଭୁଲ ରହିଗଲା । ସ୍ଥାନୀୟ ଜଣେ ନେତାଙ୍କୁ ପ୍ରାର୍ଥୀ କରିଥିଲେଯେ, ଆମେ ଜିତି ଯାଇଥା’ନ୍ତୁ, ସେଥିରେ ବି ମୁଁ ଏକମତ ନୁହେଁ । ଉପ-ନିର୍ବାଚନରେ ଆମେ ନିଶ୍ଚିତ ଭାବେ ସହାନୁଭୂତି ଭୋଟ୍‌ ପାଇଥା’ନ୍ତୁ । ରାଜୁ ଢୋଲକିଆ ସେଠାରେ ତାଙ୍କ ନିଜର ଭୋଟ୍‌ ବ୍ୟାଙ୍କ ତିଆରି କରିଥିଲେ । ରାଜନୀତି ସହିତ ସେ ସେଠାରେ ସମାଜ ସେବାରେ ନିଜକୁ ନିୟୋଜିତ କରିଥିଲେ । ଉପ-ନିର୍ବାଚନରେ ସହାନୁଭୂତି କାମ କରୁଛି । ଧାମନଗରରେ ବିଧାୟକ ବିଷ୍ଣୁ ସେଠୀଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ଜିତିଥିଲେ । ସେହିପରି ବିଧାୟକ ସୁବଳ ସାହୁଙ୍କ ମୃତ୍ୟୁ ପରେ ବିଜେପୁର ଉପ-ନିର୍ବାଚନରେ ବିଜେଡି ତାଙ୍କ ପତ୍ନୀ ରୀତା ସାହୁଙ୍କୁ ପ୍ରାର୍ଥୀ କରିଥିଲା ଓ ସେ ବିଜୟୀ ହୋଇଥିଲେ ।  


    ଶ୍ରୀ ସିଂହ କହିଛନ୍ତି, ଏଆଇସିସିରୁ ଅନୁମୋଦନ ଆସିବା ପୂର୍ବରୁ ଘାସିରାମ ମାଝୀଙ୍କୁ ଓଡିଶା ପ୍ରଦେଶ କଂଗ୍ରେସ କମିଟି ନୂଆପଡା ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଦେଲା । ଯେଉଁଦିନ ରାଜୁ ଢୋଲକିଆଙ୍କର ଅନ୍ତିମ ସଂସ୍କାର ହେଲା, ସେହିଦିନ ଜୟ ଢୋଲକିଆଙ୍କୁ ନୂଆପଡା ଉପ-ନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରି ଦେଇଥିଲେ କ’ଣ ଅସୁବିଧା ହୋଇଥା’ନ୍ତା ? ନୂଆପଡା ଅଞ୍ଚଳର ସାଧାରଣ ଲୋକେ କହୁଛନ୍ତି ବିଜେଡ଼ି କାହିଁକି ତାଙ୍କ ନାଁ ଆଗୁଆ ଘୋଷଣା କଲେ ନାହିଁ ? ତେଣୁ ବିଜେଡି ଟିକେଟ ଦେବ କି ନାହିଁ ବୋଲି ଜୟ ଢୋଲକିଆଙ୍କର ସନ୍ଦେହ ହେଲା । ତାଙ୍କ ପରିବାର ଲୋକେ ବି ସେହି ସନ୍ଦେହ କରିଥିଲେ । କାରଣ ରାଜୁ ଢୋଲକିଆ ଚେନ୍ନାଇରେ ଚିକିତ୍ସିତ ହେଉଥିବା ବେଳେ ବିଜେଡିର କୌଣସି ନେତା ତାଙ୍କୁ ଦେଖିବାକୁ ଯାଇନଥିଲେ କି ଫୋନ୍‌ ମଧ୍ୟ କରିନଥିଲେ । ଏସବୁ ଏବେବି ଲୋକଙ୍କ ଭିତରେ ଆଲୋଚନା ହେଉଛି । 


    ସେ କହିଛନ୍ତି, ବିଜେଡି ତୃତୀୟ ସ୍ଥାନରେ ରହିଲା ବୋଲି ଯେତିକି ଦୁଃଖ ଲାଗିଲା ନାହିଁ, ତା’ଠାରୁ ଅଧିକ ଦୁଃଖ ଲାଗିଲା ଯେତେବେଳେ ମୁଁ ଜାଣିବାକୁ ପାଇଲି ଯେ ୩୨ଟି ବୁଥ୍‌ରେ ବିଜେଡି ୩୦ରୁ କମ୍‌ ଭୋଟ୍‌ ପାଇଛି । କେଉଁ ବୁଥ୍‌ରେ ୩ଟି ଭୋଟ୍‌, କେଉଁ ବୁଥ୍‌ରେ ୫ଟି, ୮ଟି, ୧୧ଟି ତ ଆଉ କେଉଁ ବୁଥ୍‌ରେ ୧୩, ୧୫, ୧୭ ଓ ୧୮ଟି ଭୋଟ୍‌ ପଡିଛି ବିଜେଡି ସପକ୍ଷରେ । ଏହାକୁ ମୁଁ ବିଶ୍ୱାସ କରିପାରୁ ନାହିଁ । ବିଜେଡି ତ ଏଭଳି ସ୍ଥିତିରେ ନଥିଲା । ଦଳ ଏହା ଉପରେ ପ୍ରତିକ୍ରିୟା ଦେବା ଉଚିତ । ନୂଆପଡା ଅଞ୍ଚଳର ଲୋକେ ବି ମୋତେ ପ୍ରଶ୍ନ କରୁଛନ୍ତିଯେ, ବିଜେଡି କ’ଣ ସତରେ ବିଜେପିକୁ ହରାଇବାକୁ ଚାହୁଁଥିଲା ? ନୂଆପଡାରେ କ’ଣ ନେତା ନଥିଲେ ? ବାହାରୁ ଆଣି ଜଣଙ୍କୁ ପ୍ରାର୍ଥୀ କରାଗଲା । ଏହା କ’ଣ ସେମାନଙ୍କ ପ୍ରତି ଅପମାନ ନୁହେଁ । ମୁଁ ଏହା କହିବା ପରେ ଯଦି କହିବେ ଯେ ଭୂପିନ୍ଦର ସିଂହ ଦଳ ବିରୋଧରେ କହୁଛନ୍ତି, ତା’ହେଲେ ଆଉ କ’ଣ କହିବା । ବିରୋଧରେ କହିବାର କ’ଣ ଅଛି । ସବୁ ତ ସରିଗଲା । ଦଳର ସମ୍ମାନ, ମର୍ଯ୍ୟାଦା ସବୁ ସରିଗଲା । ଜନାଦେଶ ନୁହେଁ ଯନ୍ତ୍ରାଦେଶ ବୋଲି କେବଳ କହି ଦେଲେ ହେବ ନାହିଁ । ଏହାକୁ ପ୍ରମାଣିତ କରିବାକୁ ପଡିବ । 


    ସେହିପରି ନବୀନ ପଟ୍ଟନାୟକ ପ୍ରଚାର କରିବା ପାଇଁ ନୂଆପଡା ଯିବା କଥାକୁ ଭୂପିନ୍ଦର ବି ଗ୍ରହଣ କରିପାରିନାହାନ୍ତି । ନବୀନଙ୍କୁ ସେଠାକୁ ନେବା ଦ୍ୱାରା ବହୁତ ଭୁଲ୍‌ ବାର୍ତ୍ତା ଯାଇଛି । ଆମେ ତାଙ୍କୁ ସମ୍ମାନ କରୁଥିବା କଥା କହୁଛନ୍ତି । କିନ୍ତୁ ସେଠାକୁ ନେଇ ଆମେ ତାଙ୍କୁ ଅପମାନିତ କଲେ । ତାଙ୍କୁ କେଉଁ ସ୍ତରକୁ ନେଇଗଲେ ଆମେ ? ଯେଉଁ ବରିଷ୍ଠ ନେତାମାନେ ଦଳ ଗଢ଼ିଛନ୍ତି ଓ ନବୀନ ବାବୁଙ୍କୁ ଆଣି ସଭାପତି କରିଛନ୍ତି, ସେମାନଙ୍କୁ ଯଦି ସଂପୂର୍ଣ୍ଣ ଭାବେ ବାହାର କରିଦେବେ, ତା’ହେଲେ କେମିତି ହେବ । ସେମାନଙ୍କ ମଧ୍ୟରୁ ଅନେକ କହିଛନ୍ତି ଯେ ନବୀନ ବାବୁ ନୂଆପଡା ଯିବା ଠିକ୍‌ ହୋଇନି । ଏକ ନକାରାତ୍ମକ ବାର୍ତ୍ତା ଗଲା । ସେ ପ୍ରଚାର କରିବା ସତ୍ତେ୍ୱ ଦଳ ପାଇଁ କିଛି ଫରକ ପଡିଲାନି । 


   ୨୦୨୪ ସାଧାରଣ ନିର୍ବାଚନରେ କଳାହାଣ୍ଡି ଲୋକସଭା ଆସନରୁ  ଲମ୍ବୋଦର ନିଆଲଙ୍କୁ ଟିକେଟ୍‌ ମିଳିଲା । ସେ ନିଜେ ଲୋକସଭା ଟିକେଟ ଚାହୁଁନଥିଲେ । ଟିକେଟ ପାଇଲା ପରେ ସେ କାନ୍ଦିଥିଲେ । ସେ ବିଧାନସଭା ନିର୍ବାଚନ ଲଢ଼ବା ପାଇଁ ଚାହୁଁଥିଲେ । କିନ୍ତୁ ତାଙ୍କୁ ଟିକେଟ ଦେଲେ ନାହିଁ । ରାଜୁ ଢୋଲକିଆ ବି ଚାହୁଁଥିଲେ ଯେ ଲମ୍ବୋଦର ନିଆଲଙ୍କୁ ଟିକେଟ ମିଳୁ । ସେଥିପାଇଁ ଢୋଲକିଆ ପରିବାରକୁ ସମର୍ଥନ କରି ଏବେ ଲମ୍ବୋଦର ବିଜେପିକୁ ପଳେଇଲେ ।