ନବୀନଙ୍କ ଅସ୍ତ୍ରୋପଚାର ସଫଳ ହସପିଟାଲରେ ୫ ଦିନ ରହିବେ


 ଭୁବନେଶ୍ୱର :  ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କର ସର୍ଭାଇକାଲ୍ ଆଥ୍ରାଇଟିସ୍ ଅପରେସନ୍ ସଫଳ ହୋଇଛି  । ମୁମ୍ବାଇର କୋକିଳାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଡାକ୍ତର ରମାକାନ୍ତ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଏହି ଅପରେସନ୍ ଦୁଇଘଣ୍ଟା ଧରି ଚାଲିଥିଲା  । ସ୍ପାଇନ୍ ସ୍ପେସିଆଲିଷ୍ଟ ଡାକ୍ତର ରାଜଶେଖର ଅପରେସନ୍ କରିଥିଲେ  । ଏସିଆନ ହାର୍ଟ ଇନଷ୍ଟିଚୁ୍ୟଟର ବିଶେଷଜ୍ଞମାନେ ଅପରେସନ୍ରେ ସହଯୋଗ କରିଥିଲେ  । ହସ୍ପିଟାଲ୍ର ଷୋହଳତମ ମହଲାରେ ଅପରେସନ୍ ହୋଇଥିବାବେଳେ ନବୀନଙ୍କ ବଡଭାଇ ପ୍ରେମ ପଟ୍ଟନାୟକ ଏବଂ ଭାଉଜ ମଧ୍ୟ ଉପସ୍ଥିତ ଥିବା ଜାଣିବାକୁ ମିଳିଛି  ।
ଏନେଇ ଡାକ୍ତର ପଣ୍ଡାଙ୍କ କହିଛନ୍ତିଯେ, ମହାପ୍ରଭୁଙ୍କ ଆଶୀର୍ବାଦରୁ ଅପରେସନ ସଫଳ ହୋଇଛି  । ସେ ସୁସ୍ଥ ଅଛନ୍ତି ଏବଂ ଭଲ ଭାବେ କଥା ହୋଇପାରୁଛନ୍ତି  । ଦୁଇରୁ ୩ ଦିନ ଅବଜରଭେସନ୍ରେ ରହିବେ  । ୫ ରୁ ୭ ଦିନ ଭିତରେ ଡିସଚାର୍ଜ ହେବେ ବୋଲି କହିଛନ୍ତି  ।
ନବୀନଙ୍କ ଅପରେସନ୍ର ଦାୟିତ୍ୱ ନେଇଥିବା ରାଜନୈତିକ ସଚିବ ଡ. ସଂତୃପ୍ତ ମିଶ୍ର କହିଛନ୍ତି, ନବୀନଙ୍କୁ ଭେଟିବାକୁ ବହୁ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଫୋନ୍ ଆସୁଛି  । ମାତ୍ର ସଂକ୍ରମଣର ଭୟ ଥିବାରୁ ସମସ୍ତଙ୍କୁ ଅପେକ୍ଷା କରିବାକୁ କୁହାଯାଇଛି  । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ, ୪୮ ଘଣ୍ଟା ପରେ ଯାଇ ଭେଟିବାକୁ ଅନୁମତି ମିଳିବ  । ତାଙ୍କର କୌଣସି ଅସୁବିଧା ନାହିଁ ଏବଂ ସେ ସୁସ୍ଥ ଅଛନ୍ତି ବୋଲି ଡ. ମିଶ୍ର କହିଛନ୍ତି  । ଅପରପକ୍ଷରେ ନବୀନଙ୍କ ଆଶୁ ଆରୋଗ୍ୟ କାମନା କରି ରାଜ୍ୟବ୍ୟାପୀ ବିଜେଡି ତଥା ଅନ୍ୟାନ୍ୟ ସଂଗଠନ ପକ୍ଷରୁ ପୂଜାର୍ଚ୍ଚନା କରାଯିବା ସହ ଦୀପ ଜାଳି ପ୍ରାର୍ଥନା କରାଯାଉଛି  । ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିରରେ ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ଏବଂ ଅଶୋକ ପଣ୍ଡାଙ୍କ ନେତୃତ୍ୱରେ ଦୀପ ଜାଳି ପୂଜାର୍ଚ୍ଚନା କରାଯାଇଥିଲା  । ସେହିପରି ମା’ ବିରଜାଙ୍କ ନିକଟରେ ପ୍ରଣବ ପ୍ରକାଶ ଦାସ ହୋମ କରିବା ସହ ପୂଜାର୍ଚ୍ଚନା କରିଥିଲେ  ।