ରାଜଭବନରେ ୨ ରାଜ୍ୟର ପ୍ରତିଷ୍ଠା ଦିବସ ପାଳିତ: ବିବିଧତାରେ ଏକତା ଭାରତର ବିଶେଷତ୍ୱ : ରାଜ୍ୟପାଳ

 ଭୁବନେଶ୍ୱର:  ରାଜଭବନର ନୁ୍ୟ ଅଭିଷେକ ହଲ୍ ଠାରେ ଅରୁଣାଚଳ ପ୍ରଦେଶ ଓ ମିଜୋରାମ ରାଜ୍ୟର ପ୍ରତିଷ୍ଠା ଦିବସ ପାଳନ ହୋଇଛି । ଏହି ପ୍ରତିଷ୍ଠା ଦିବସ ବିବିଧତାରେ ଏକତା ଭାରତର ବିଶେଷତ୍ୱକୁ ବୁଝାଉଛି ବୋଲି ଏ ଅବସରରେ ପ୍ରକାଶ କରିଛନ୍ତି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି । ଉତ୍ସବ ମୁଖରିତ ପରିବେଶରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟପାଳ ଅରୁଣାଚଳ ପ୍ରଦେଶ ଓ ମିଜୋରାମ ରାଜ୍ୟର ଅଧିବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ସୁଖ ସମୃଦ୍ଧି କାମନା କରିଥିଲେ । ରାଜ୍ୟପାଳ କହିଥିଲେ ଯେ, ବିବିଧତା ଆମ ଗୌରବ । ଏପରି କାର୍ଯ୍ୟକ୍ରମ ‘ଏକ ଭାରତ ଶ୍ରେଷ୍ଠ ଭାରତ’ର ଭାବନାକୁ ସୁଦୃଢ଼ କରୁଛି ଏବଂ ବିବିଧ ସାଂସ୍କୃତିକ ପରଂପରା ଓ ଆକାଂକ୍ଷାକୁ ଏକ ଜାତୀୟ ପରିଚୟରେ ଏକତ୍ରିତ କରୁଛି ।
ଏତଦ୍ବ୍ୟତୀତ ଓଡ଼ିଶାରେ ଶିକ୍ଷା ଲାଭ କରୁଥିବା ଅରୁଣାଚଳ ପ୍ରଦେଶ ଓ ମିଜୋରାମ ରାଜ୍ୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଜ୍ଞାନର ସଂପର୍କ ସେତୁ ନିର୍ମାଣ ଓ କର୍ମକ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିବିଶେଷଙ୍କ ଓଡ଼ିଶାର ବୌଦ୍ଧିକ ଓ ସାଂସ୍କୃତିକ ବିକାଶରେ ଅଂଶ ଗ୍ରହଣ ଓ ଅବଦାନକୁ ରାଜ୍ୟପାଳ ପ୍ରଶଂସା କରିଥିଲେ । ଏହି ଅବସରରେ ମିଜୋରାମ ରାଜ୍ୟର ରାଜ୍ୟପାଳ ଜେନେରାଲ ଡ. ବିଜୟ କୁମାର ସିଂହଙ୍କ ଶୁଭେଚ୍ଛା ଭିଡିଓ ବାର୍ତ୍ତା ପ୍ରଦର୍ଶିତ ହୋଇଥିଲା । ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନ୍ବିଏସ୍ ରାଜପୁତ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅରୁଣାଚଳ ପ୍ରଦେଶ ଓ ମିଜୋରାମ ରାଜ୍ୟର ବ୍ୟକ୍ତି ବିଶେଷ, ଛାତ୍ରଛାତ୍ରୀମାନେ ନିଜ ନିଜ ରାଜ୍ୟର କଳା, ସଂସ୍କୃତି, ଐତିହ୍ୟ ଏବଂ ମହାନତା ସଂପର୍କରେ ଅବତାରଣା କରିଥିଲେ । କାର୍ଯ୍ୟକ୍ରମରେ ଓଡ଼ିଶାରେ ଅଧ୍ୟୟନ କରୁଥିବା ଅରୁଣାଚଳ ପ୍ରଦେଶ ଓ ମିଜୋରାମର ଛାତ୍ରଛାତ୍ରୀମାନେ ବିବିଧତାରେ ଏକତା ଉପରେ ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।