‘ନଭେମ୍ବର ୭ ରୁ ୨୬’ ଓଡିଶା ଗାଇବ ‘ବନ୍ଦେ ମାତରମ୍‌’

‘ନଭେମ୍ବର ୭ ରୁ ୨୬’  ଓଡିଶା ଗାଇବ ‘ବନ୍ଦେ ମାତରମ୍‌’
  • ଭୁବନେଶ୍ୱର, ବ୍ରହ୍ମପୁର, ବାଲେଶ୍ୱର, କେନ୍ଦୁଝର ଓ ରାଉରକେଲାରେ ହେବ ଉଦଘାଟନୀ କାର୍ଯ୍ୟକ୍ରମ
  • ୮ରୁ ୨୬ ପ୍ରତି ବିଧାନସଭା କ୍ଷେତ୍ରରେ କାର୍ଯ୍ୟକ୍ରମ 

ଭୁବନେଶ୍ୱର : ଆସନ୍ତା ୭ରୁ ୨୬ ପର୍ଯ୍ୟନ୍ତ ସାରା ଓଡ଼ିଶା ଗାଇବ ‘ବନ୍ଦେ ମାତରମ୍‌’ । ଭୁବନେଶ୍ୱର, ବ୍ରହ୍ମପୁର, ବାଲେଶ୍ୱର, କେନ୍ଦୁଝର ଓ ରାଉରକେଲାରେ ଉଦଘାଟନୀ କାର୍ଯ୍ୟକ୍ରମ କରାଯିବ । ସେହିପରି ୮ରୁ ସବୁ ନିର୍ବାଚନମଣ୍ଡଳୀରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯିବ ବୋଲି ବରିଷ୍ଠ ବିଜେପି ନେତା ବିଷ୍ଣୁ ଦାସ ସୂଚନା ଦେଇଛନ୍ତି । ଶ୍ରୀ ଦାସ କହିଛନ୍ତିଯେ, ରାଷ୍ଟ୍ରଗୀତ ‘ବନ୍ଦେ ମାତରମ୍‌’କୁ ୭ ନଭେମ୍ବରରେ ୧୫୦ ବର୍ଷ ପୂରିବାକୁ ଯାଉଛି । ୧୮୭୫ ମସିହାରେ ବଙ୍କିମଚନ୍ଦ୍ର ଚାଟାର୍ଜୀ ଏହାକୁ ରଚନା କରିଥିଲେ । ୧୯୨୩ରେ କଂଗ୍ରେସ ଏହି ଗୀତ ଗାଇବାକୁ କୁଣ୍ଠାବୋଧ କଲା । ପରେ କଂଗ୍ରେସ ବିଭିନ୍ନ କାର୍ଯ୍ୟକ୍ରମରେ ଏହି ଗୀତ ନଗାଇବା ପାଇଁ ଆନୁଷ୍ଠାନିକ ନିଷ୍ପତ୍ତି ନେଇଥିଲା । ଦେଶ ସ୍ୱାଧୀନ ହେଲାପରେ ୧୯୫୦ ମସିହାରେ ପ୍ରଥମ ରାଷ୍ଟ୍ରପତି ସ୍ୱର୍ଗତ ରାଜେନ୍ଦ୍ର ପ୍ରସାଦଜୀ ‘ବନ୍ଦେ ମାତରମ୍‌’କୁ ରାଷ୍ଟ୍ର ଗୀତର ମାନ୍ୟତା ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରା ଦେଶରେ ‘ବନ୍ଦେ ମାତରମ୍‌’ର ୧୫୦ ବର୍ଷକୁ ମହାସମାରୋହରେ ପାଳନ କରିବାକୁ ନିଷ୍ପତି ନେଇଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଉତ୍ସାହ ସହ ଏହି କାର୍ଯ୍ୟକ୍ରମ କରିବାକୁ ସ୍ଥିର କରିଛନ୍ତି । ବିଜେପି ଏହି ଗୀତକୁ ପ୍ରାଧାନ୍ୟ ଦେଇଆସିଛି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍‌ କୁମାର ଦାସ ଉପସ୍ଥିତ ଥିଲେ ।