ଉପର ପଡ଼ିଆରେ ବି ହେବ ବାଲିଯାତ୍ରା !

କଟକ : ଉପର ପଡ଼ିଆରେ ବି ହେବ ବାଲିଯାତ୍ରା । ଏନେଇ ହାଇକୋର୍ଟଙ୍କୁ ସତ୍ୟପାଠ ଦିଆଯିବ ବୋଲି ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ କହିଛନ୍ତି । ଏହାର ରୂପରେଖ କ’ଣ ହେବ, ସେ ନେଇ ହାଇକୋର୍ଟକୁ ଅବଗତ କରାଯିବ । ଆସନ୍ତା ୯ ତାରିଖରେ ହାଇକୋର୍ଟରେ କଟକ ସହର ସଂପର୍କିତ ମାମଲାର ଶୁଣାଣି ରହିଛି । ସେହିଦିନ ଉପର ପଡ଼ିଆରେ ବାଲିଯାତ୍ରା ହେବା ନେଇ ହାଇକୋର୍ଟକୁ ଅବଗତ କରାଯିବ । ଆଜି ଲୋକ ପ୍ରତିନିଧିଙ୍କୁ ନେଇ ଜିଲ୍ଲାପାଳଙ୍କ ଆବାସିକ ବାସଭବନରେ ଅନୁଷ୍ଠିତ ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି । ଐତିହ୍ୟ ଓ ପରମ୍ପରାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ହୋଇଥିବା ଜିଲ୍ଲାପାଳ କହିଛନ୍ତି । ପୂର୍ବରୁ କେବଳ ତଳ ପଡ଼ିଆରେ ବାଲିଯାତ୍ରାକୁ ନେଇ ବିବାଦ ଉଠିଥିଲା । ସୂଚନାଯୋଗ୍ୟ, ନଭେମ୍ବର ୫ ରୁ ୧୨ ତାରିଖ ଯାଏ ବାଲିଯାତ୍ରା ଅନୁଷ୍ଠିତ ହେବ । ଚଳିତ ବର୍ଷ ଉପର ପଡ଼ିଆରେ ବାଲିଯାତ୍ରା ଆୟୋଜନ ନକରିବା ନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଥିଲା । ଯାହାକୁ ନେଇ ବିଭିନ୍ନ ମହଲରେ ଜିଲ୍ଲା ପ୍ରଶାସନର ନିଷ୍ପତ୍ତିକୁ ତୀବ୍ର ବିରୋଧ କରାଯାଇଥିଲା । କେବଳ ତଳ ପଡ଼ିଆରେ ବାଲିଯାତ୍ରା ହେବ ବୋଲି ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ପରେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ, କଟକ ମେୟର ସୁବାସ ସିଂହ, ବାରବାଟୀ କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋଷ ଓ କଟକ ଜିଲ୍ଲା ବିଜେପି ସଭାପତି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଉଭୟ ତଳ ଓ ଉପର ପଡ଼ିଆରେ ବାଲିଯାତ୍ରା ଆୟୋଜନ ପାଇଁ ଦାବି କରିଥିଲେ । ଆଉ ଏବେ ଉପର ପଡ଼ିଆରେ ବାଲିଯାତ୍ରା କରିବାକୁ ହାଇକୋର୍ଟକୁ ଅବଗତ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।