କାହିଁକି ନୂଆପଡ଼ା କଥା ବୁଝିଲେନି ପାଣ୍ଡିଆନ୍ ?
ଭୁବନେଶ୍ୱର : ନୂଆପଡ଼ା ଉପନିର୍ବାଚନ ତାତି ରାଜ୍ୟ ରାଜନୀତିକୁ ତତେଇ ଦେଇଛି । ବିଜେଡ଼ି ହେଉକି ବିଜେପି ଅବା କଂଗ୍ରେସ, ସବୁ ଦଳରେ କିଛି ନା କିଛି କେଁ ରହିଛି । ତେବେ ଉପନିର୍ବାଚନ ପାଇଁ ସମସ୍ତେ ଏବେ ନୀରବ । ନଭେମ୍ବର ୧୪ ପରେ ନିଶ୍ଚିତ ଭାବେ କେଁକଟର ସମସ୍ତେ ଶୁଣିବାକୁ ପାଇବେ । ଏସବୁ ଭିତରେ ସମସ୍ତେ ଭିକେ ପାଣ୍ଡିଆନଙ୍କୁ ହିଁ ଖୋଜୁଛନ୍ତି । ସକ୍ରିୟ ରାଜନୀତିରୁ ଅବସର ନେଇଥିଲେବି ସେ କିଭଳି ବିଜେଡ଼ି ଚଳାଉଥିଲେ ତାହା ସମସ୍ତେ ଜାଣନ୍ତି । ହେଲେ ‘ନୂଆପଡ଼ା’ ଉପନିର୍ବାଚନ ବେଳେ ଏହାର ସୋର ଶବ୍ଦ ବି ମିଳୁନାହିଁ । କାହିଁକି ପାଣ୍ଡିଆନ୍ ବୁଝିଲେନି ? ସେ ନବୀନ ନିବାସରେ ନା ଦିଲ୍ଲୀରେ ନା ଆମେରିକାରେ ଅଛନ୍ତି ? ଯଦି ପାଣ୍ଡିଆନ୍ ବୁଝୁନାହାନ୍ତି ତେବେ ନୂଆପଡ଼ା କଥା ଏବେ କିଏ ବୁଝୁଛନ୍ତି ? ଦଳର ରଣନୀତି କିଏ ନିର୍ଦ୍ଧାରଣ କରୁଛନ୍ତି ? ରାଜନୀତିକ ମହଲରେ ଏମିତି ପ୍ରଶ୍ନ ସ୍ୱାଭାବିକ ଭାବେ ଘୂରି ବୁଲୁଛି ।
ବିଜେଡ଼ି ରାଜନୀତିକୁ ନିରିଖେଇକୁ ଅନୁଶୀଳନ କରିବା ପରେ ଏହାର କିଛି ଉତ୍ତର ମିଳିଥିଲା । ପ୍ରଥମ କଥାଟି ହେଉଛି, ପାଣ୍ଡିଆନଙ୍କୁ ନେଇ ଦଳରେ ଅନେକ ନେତା କ୍ଷୁବ୍ଧ ଅଛନ୍ତି । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଯେତେ ସଫେଇ ଦେଲେବି ପାଣ୍ଡିଆନ୍ ଭିଲିଆନ୍ ବୋଲି ଅନେକ ନେତାଙ୍କ ମନରେ ବଦ୍ଧ ଧାରଣା ରହିଛି । ଦଳର ଯୁବ ଓ ଛାତ୍ର ନେତାମାନେ ବି ପାଣ୍ଡିଆନଙ୍କ ମାମଲତିକାରକୁ ନେଇ ବାରବାର ପ୍ରଶ୍ନ ଉଠାଉଛନ୍ତି । ଯଦି ନୂଆପଡ଼ାରେ ବିଜେଡ଼ି ନିଶ୍ଚିତ ବିଜୟ ହାସଲ କରିବାର ଥାଆନ୍ତା ତେବେ ପାଣ୍ଡିଆନ୍ ନିଶ୍ଚିତ ଭାବେ ମାମଲତି କରିଥା’ନ୍ତେ । ସେ ଜାଣିଛନ୍ତି, ଦଳ ଟିକେ ଭିଡ଼ ସ୍ଥିତିରେ ରହିଛି । ଖାତା କଲମ ଧରି ଅନୁଶୀଳନରେ ସେ ମାହିର । ବିଧାନସଭା ନିର୍ବାଚନରେ ବିଜେଡ଼ି ଜିତିଥିଲେବି ଲୋକସଭା ନିର୍ବାଚନରେ ନୂଆପଡ଼ାରେ ବିଜେପି ବହୁ ଅଧିକ ଭୋଟ୍ ପାଇଥିଲା । ସେହିପରି ସରକାରୀ ଦଳର ଯେଉଁ ସୁବିଧା ବିଜେଡ଼ି ପାଉଥିଲା ସେସୁବିଧା ତକ ବିଜେପି ପାଇବ । ବିଜେଡ଼ି ବ୍ୟାକ୍ଫୁଟ୍ରେ ଥିବାରୁ ପାଣ୍ଡିଆନ୍ ଆଉ ମାମଲତି କରି ରିସ୍କ ନେବାକୁ ଚାହିଁଲେ ନାହିଁ । ବିଜେଡ଼ି ହାରିଥିଲେ ତାଙ୍କ ମୁଣ୍ଡରେ ହିଁ ବିଜେଡ଼ିରେ ଥିବା ତାଙ୍କ ବିରୋଧୀମାନେ ନଡ଼ିଆ ବାଡେ଼ଇ ଥାଆନ୍ତେ । ସେହିପରି ପୁଣି ବିଜେପି ‘ଓଡ଼ିଆ ଅସ୍ମିତା’ କଥା ଉଠାଇ ଟାର୍ଗେଟ୍ କରିବାର ସୁଯୋଗକୁ ହାତଛଡ଼ା କରିନଥା’ନ୍ତା । ଏମିତିକି ଏହି ଉପନିର୍ବାଚନରେ ବିଜେଡ଼ିର ବିଜୟ ସୁନିଶ୍ଚିତ ହୋଇଥିଲେ ସୁଜାତା କାର୍ତ୍ତିକେୟନ ବି ପ୍ରଚାର ମଇଦାନକୁ ଓହ୍ଲାଇଥାଆନ୍ତେ । ନିର୍ବାଚନ ପ୍ରାରମ୍ଭରୁ ଦଳର ସ୍ଥିତି ଟଳମଳ ଥିବାରୁ ଉଭୟ ଭୈରବ ଓ ସୁଜାତା ଦୂରେଇ ରହିବାକୁ ଉଚିତ୍ ମନେ କରିଛନ୍ତି ।
ଯଦି ପାଣ୍ଡିଆନ୍ ଦୂରେଇ ରହିଛନ୍ତି, କିଛି ବୁଝୁନାହାନ୍ତି ତେବେ ରଣନୀତି କରୁଛନ୍ତି କିଏ ? ଏବେ ମୁଖ୍ୟ ରଣନୀତିକାର ପାଲଟିଛନ୍ତି ନବୀନ ପଟ୍ଟନାୟକ । ୱାରରୁମ୍ ହେଉଛି ନବୀନ ନିବାସ । ନବୀନଙ୍କ ବ୍ୟକ୍ତିଗତ ସଚିବ ଓ ଅନ୍ୟ ଅଧିକାରୀମାନେ ସେକଥା ବୁଝାବୁଝି କରୁଛନ୍ତି । ଉପନିର୍ବାଚନ ଲଢ଼ିବାର ସବୁ ରଣକୌଶଳକୁ ବ୍ୟବହାର କରାଯାଉଛି । ଅତୀତରେ ଦଳ ଉପନିର୍ବାଚନ ଯେଉଁ ଫର୍ମୂଲାରେ ଲଢୁଥିଲା ଏବେ ସମାନ ଫର୍ମୂଲା ହିଁ ଆପଣାଇଛି । ଏଇଯେମିତିକି, ବୁଥୱାରୀ ତଥ୍ୟ ଅନୁଶୀଳନ, ହାଇଭୋଲଟେଜ୍ ପ୍ରଚାର, ଡୋରଟୁଡୋର କ୍ୟାମ୍ପେନ ହେଉ ଅବା ସମାବେଶରେ ଅଧିକ ଲୋକ ଗଦେଇବା, ବିଧାୟକ ଓ ବରିଷ୍ଠ ନେତାମାନଙ୍କୁ ପଞ୍ଚାୟତ ଦାୟିତ୍ୱ ଦେବା, ବରିଷ୍ଠ ନେତାମାନଙ୍କୁ ବିଭିନ୍ନ ଜୋନ ଦାୟିତ୍ୱ ଧରେଇବା, ଟଙ୍କା ଖର୍ଚ୍ଚରେ କାର୍ପଣ୍ୟ ପ୍ରକାଶ ନକରିବା ଇତ୍ୟାଦି ।
ଏସବୁ ଭିତରେ ନବୀନ କିଭଳି ନୂଆପଡ଼ାକୁ ନେଇ ସିରିୟସ୍ ସେ ବିଷୟରେ ବି ଆଲୋକପାତ କରିବା ଉଚିତ୍ ହେବ । ନବୀନ ବାବୁ ଏବେ ଅସୁସ୍ଥ । ଆଗଭଳି ଦମ୍ଭ ବି ନାହିଁ । ହେଲେ କୋମନାରେ ସେ ପ୍ରଚାର କଲେ । ନୂଆପଡ଼ାରେ ବି ରୋଡ଼ଶୋ’ କରିବେ । ଦେହ ପଛ, ଦଳ ଆଗ ନୀତିରେ ସେ ଚାଲିଛନ୍ତି । ଖାଲି ସେତିକିନୁହେଁ, ପ୍ରତିଦିନ ସେ ଅପଡେ଼ଟ୍ ନେବା ସହ ଚାରି ପାଞ୍ଚ ଜଣ ନେତାଙ୍କୁ ଭିଡ଼ିଓ କଲ୍ ବି କରୁଛନ୍ତି । କାହାକୁ କେତେବେଳେ ଫୋନ୍ ଯିବ ତା’ର ମାନେ ମଧ୍ୟ ନାହିଁ । ନେତା ଯେଉଁଠି ଥିବେ ସେଠାରେ ତାଙ୍କୁ ଅପଡେ଼ଟ ଦେବେ । ବିଜେଡ଼ିର ଜଣେ ଆଗଧାଡ଼ିର ନେତା ଠିକ୍ରେ କାମ କରୁନଥିବାରୁ ତାଙ୍କୁ ସେ ସିଧାସଳଖ ତାଗିଦ୍ ବି କରିଥିଲେ । କେତେକ ପଞ୍ଚାୟତରେ ମିଟିଂ ହେଉଥିବାବେଳେ ସେ ଭିଡ଼ିଓ କଲରେ ମିନିଟିଏ ଦେଖା ଦେଇ ହାତ ହଲାଉଥିବାର ଦୃଶ୍ୟ ବି ଭାଇରାଲ୍ ହେବାରେ ଲାଗିଛି । ଗାଏମୋଟ୍ କହିଲେ ନବୀନଙ୍କ ନେତୃତ୍ୱରେ ବିଜେଡ଼ି ନେତାମାନେ ଲଢୁଥିବା ଦେଖିବାକୁ ମିଳୁଛି । ଦୂରରୁ ରହି ପାଣ୍ଡିଆନ୍ ନିଜ ଏଜେନ୍ସୀ ଜରିଆରେ କେବଳ ସ୍ଥିତି ଉପରେ ଅନୁଧ୍ୟାନ କରୁଛନ୍ତି । କିନ୍ତୁ କୌଣସି ନେତାଙ୍କ ସହ ସିଧାସଳଖ କଥା ହେଉନଥିବା ଜାଣିବାକୁ ମିଳିଛି ।