ନାବାଳିକା ଝିଅକୁ କୁକର୍ମ; ବାପାକୁ ୨୦ ବର୍ଷ ସଜ୍ଜା
ଭୁବନେଶ୍ୱର: ୧୩ ବର୍ଷର ନାବାଳିକା ଝିଅକୁ ବାରମ୍ବାର କୁକର୍ମ କରିଥିବା ଅଭିଯୁକ୍ତ କୁଳାଙ୍ଗାର ବାପାକୁ ୨୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଆଜି ଭୁବନେଶ୍ୱର ଫାଷ୍ଟ ଟ୍ରାକ୍ ସ୍ପେସିଆଲ୍ କୋର୍ଟ (ପୋକସୋ)ର ଆଡହକ୍ ଆଡିସନାଲ୍ ସେସନ୍ସ ଜଜ ସରୋଜ କୁମାର ସାହୁ ଏହି ସଜ୍ଜା ଶୁଣାଇଛନ୍ତି । ଗତ ୨୦୧୯ ନଭେମ୍ବରରେ ମଞ୍ଚେଶ୍ୱର ଥାନା ଅଞ୍ଚଳରେ ହୋଇଥିବା ନାବାଳିକା କୁକର୍ମ ମାମଲାରେ ଅଭିଯୁକ୍ତ ସୁଶାନ୍ତ ମଲ୍ଲିକକୁ ୨୦ ବର୍ଷ କାରାଦଣ୍ଡ ହୋଇଛି ।
ଉଲ୍ଲେଖଯୋଗ୍ୟ ଯେ, ଅଭିଯୋଗକାରିଣୀ ଜଣକ କନ୍ଧମାଳ ଜିଲ୍ଲାର ସ୍ଥାୟୀ ବାସିନ୍ଦା ହୋଇଥିବାବେଳେ, ପରିବାର ସହ ଘରଭଡା ନେଇ ମଞ୍ଚେଶ୍ୱର ଥାନା ଅଞ୍ଚଳରେ ରହିଆସୁଥିଲେ । ଏଠାରେ ରହି ସେ ଅନ୍ୟ ଘରେ କାମ କରି ନିଜର ଗୁଜୁରାଣ ମେଣ୍ଟାନ୍ତି । ଗତ ୨୦୧୯ ନଭେମ୍ବର ୧୭ରେ ସେ ତାଙ୍କ କାମ ପାଇଁ ଘରୁ ବାହାରି ଯାଇଥିଲେ । ପ୍ରାୟ ୮ଟା ୧୫ ସମୟରେ ସେ ଘରକୁ ଫେରି ତାଙ୍କ ସ୍ୱାମୀ ତଥା ଅଭିଯୁକ୍ତକୁ ସମ୍ପୂର୍ଣ୍ଣ ନିର୍ବସ୍ତ୍ର ଅବସ୍ଥାରେ ଶୋଇଥିବା ଦେଖିବାକୁ ପାଇଥିଲେ । ଘରେ ଥିବା ୧୩ ବର୍ଷ ବୟସ୍କା ନାବାଳିକା ଝିଅ ସହ କିଛି ଖରାପ କାମ କରିଥିବା ନେଇ ସନେ୍ଦହ ପ୍ରକଟ କରି ଅଭିଯୋଗକାରିଣୀ ଅଭିଯୁକ୍ତକୁ ଏନେଇ ପ୍ରଶ୍ନ କରିବାରୁ, ସେ ସେମିତି କିଛି କରିନଥିବା କହିଥିଲା । ଅଭିଯୋଗକାରିଣୀ ଏନେଇ ତାଙ୍କର ନାବାଳିକା ଝିଅ ତଥା ପୀଡିତାଙ୍କୁ ପ୍ରଶ୍ନ କରିବାରୁ, ଅଭିଯୁକ୍ତ ବାପା ତାଙ୍କୁ କୁକର୍ମ କରିଥିବା କହିଥିଲେ ।
ଅଭିଯୋଗକାରିଣୀ ଏନେଇ ଦିଲ୍ଲୀରେ ରହୁଥିବା ଘର ମାଲିକଙ୍କ ଝିଅ ସହିତ ଫୋନ୍ ମାଧ୍ୟମରେ ଯୋଗାଯୋଗ କରିବାରୁ, ଘଟଣା ବିଷୟରେ ଯାଞ୍ଚ କରିବା ଲାଗି ସେ ଭୁବନେଶ୍ୱରରେ ରହୁଥିବା ଏଲିନା ନାମକ ତାଙ୍କର ଜଣେ ଭଉଣୀଙ୍କୁ କହିଥିଲେ । ଉଭୟ ଅଭିଯୋଗକାରିଣୀ ଏବଂ ଏଲିନା ମିଶି ପୀଡିତା ନାବାଳିକାଙ୍କୁ ଘଟଣା ସମ୍ପର୍କରେ ପଚାରିବାରୁ, ଅଭିଯୁକ୍ତ ବାପା ଗତ ଏଗାର ମାସ ଧରି ଦୁଇରୁ ତିନି ଦିନର ବ୍ୟବଧାନରେ ତାଙ୍କୁ ନିୟମିତ ଭାବେ କୁକର୍ମ କରିଆସୁଥିବା କହିଥିଲେ । ଘଟଣା ସମ୍ପର୍କରେ ବାହାରେ ପ୍ରକାଶ କଲେ ସେ ତାଙ୍କୁ ଜୀବନରୁ ମାରିଦେବେ ବୋଲି ଧମକ ମଧ୍ୟ ଦେଉଥିଲେ । ଫଳରେ ସେ ଭୟଭୀତ ହୋଇ ଘଟଣା ସମ୍ପର୍କରେ କାହା ଆଗରେ କିଛି ପରିପ୍ରକାଶ କରୁନଥିଲେ । ଏନେଇ ଅଭିଯୋଗକାରିଣୀ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ । ପୀଡିତାଙ୍କ ଅଭିଯୋଗ ଆଧାରରେ ମଞ୍ଚେଶ୍ୱର ଥାନାରେ ଉପରୋକ୍ତ ମାମଲା ରୁଜୁ ହୋଇଥିଲା ଏବଂ ଏସଆଇ ବସୁଦ୍ଧା ଖୁଣ୍ଟିଆଙ୍କୁ ଏହାର ତଦନ୍ତ ଦାୟିତ୍ୱ ଦିଆଯାଇଥିଲା ।
ତଦନ୍ତକାରୀ ଅଧିକାରୀ ଏସଆଇ ଖୁଣ୍ଟିଆ ଏହି ମାମଲାର ତଦନ୍ତ କରିବାସହ ଅଭିଯୁକ୍ତ ସୁଶାନ୍ତ ମଲ୍ଲିକକୁ ଗତ ୨୦୧୯ ନଭେମ୍ବର ୧୮ରେ ଗିରଫ କରିଥିଲେ । ନିର୍ଦ୍ଧାରିତ ସମୟସୀମା ପୂର୍ବରୁ ଅଭିଯୁକ୍ତ ବିରୋଧରେ ଅଦାଲତରେ ଚାର୍ଜସିଟ୍ ଦାଖଲ କରିଥିଲେ । ଉପରୋକ୍ତ ମାମଲାର ବିଚାର କରି, ଅଦାଲତ ଘଟଣା ସହିତ ସଂପୃକ୍ତ ୧୧ ସାକ୍ଷୀ ଓ ୧୦୪ ଗୋଟି ପ୍ରଯୁଜ୍ୟ ଦସ୍ତାବିଜ ଆଧାରରେ ଅଭିଯୁକ୍ତ ସୁଶାନ୍ତ ମଲ୍ଲିକକୁୁ ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୭୬ (୨) (ଏଫ) ଓ (ଏନ)ଆଧାରରେ ୨୦ ବର୍ଷର ସଶ୍ରମ କାରାଦଣ୍ଡ ସହିତ ୫ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତ । ଜରିମାନା ଅନାଦେୟ କ୍ଷେତ୍ରରେ ଅତ୍ୟଧିକ ୩ ମାସର କାରାଦଣ୍ଡ ଆଦେଶ ମଧ୍ୟ ଦେଇଛନ୍ତି । ଏହି ମାମଲାକୁ ସରକାରଙ୍କ ତରଫରୁ ସ୍ପେସିଆଲ୍ ପବ୍ଲିକ୍ ପ୍ରୋସିକୁ୍ୟଟର ରାଜୀବ ଶାସମଲ୍ ଏବଂ ସହକାରୀ ପବ୍ଲିକ୍ ପ୍ରୋସିକୁ୍ୟଟର ବଳରାମ ଦେଓ ପ୍ରମୁଖ ପରିଚାଳନା କରିଥିଲେ । ଏତଦ୍ବ୍ୟତୀତ ଅଦାଲତ, ନାବାଳିକା ପୀଡିତାଙ୍କ ସହିତ ହୋଇଥିବା ଶାରୀରିକ ଏବଂ ମାନସିକ ଆଘାତକୁ ବିଚାର କରି, ସିଆରପିସିର ଧାରା ୩୭୫-ଏ ଆଧାରରେ ତଥା ଓଡ଼ିଶା ପୀଡିତା କ୍ଷତି ପୂରଣ ଯୋଜନା ଅନୁଯାୟୀ କ୍ଷତିପୂରଣ ବାବଦକୁ ୪ ଲକ୍ଷ ଟଙ୍କା ରାଶି ପ୍ରଦାନ ଲାଗି ଖୋର୍ଦ୍ଧାସ୍ଥିତ ଜିଲ୍ଲା ଆଇନଗତ ସେବା ପ୍ରାଧିକରଣକୁ ନିଦେ୍ର୍ଦଶ ଦେଇଛନ୍ତି ।