ନୂଆ GSTରେ ଓଡ଼ିଶାର ଲାଭ: ସୂଚନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସେପ୍ଟେମ୍ବର ୨୨ରୁ ଦେଶରେ ସାମଗ୍ରୀ ଓ ସେବାଗୁଡ଼ିକ ଉପରେ ଦୁଇଟି ଟିକସ ସ୍ଲାବ ଲଗାଯିବ। ନୂଆଦିଲ୍ଲୀରେ ଚାଲିଥିବା ୫୬ତମ ଜିଏସ୍ଟି କାଉନ୍ସିଲ ବୈଠକରେ ବୁଧବାର ରାତିରେ ଏ ସମ୍ପର୍କିତ ପ୍ରସ୍ତାବ ଅନୁମୋଦନ ଲାଭ କରିଛି। ତେବେ ଦିଲ୍ଲୀ ଗସ୍ତରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଡ଼ ସୂଚନା ଦେଇ କହିଛନ୍ତି, GST ସଂସ୍କାରରେ ଓଡ଼ିଶା ଲାଭାନ୍ବିତ ହେବ। ବିଶେଷ କରି ମଧ୍ୟବିତ୍ତ ଲୋକେ ଅଧିକ ଉପକୃତ ହେବେ। GST କ୍ଷେତ୍ରରେ ଐତିହାସିକ ପରିବର୍ତ୍ତନ ଆଣିଛନ୍ତି ମୋଦି ସରକାର। କେବଳ ୨ଟି ସ୍ଲାବ କାର୍ଯ୍ୟକାରୀ ଦ୍ବାରା ସମସ୍ତେ ଲାଭବାନ ହେବେ। ଓଡ଼ିଶାରେ ୧୦ ଲକ୍ଷରୁ ଅଧିକ କେନ୍ଦୁପତ୍ର ତୋଳାଳି ଉପକୃତ ହେବେ। କୋଇଲା କ୍ଷେତ୍ରରେ ଓଡ଼ିଶାକୁ ଅଧିକ ଲାଭ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କେନ୍ଦୁପତ୍ର ଉପରୁ ଜିଏସ୍ଟି ୧୮ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ ପାଇଛି । ଏହାଦ୍ବାରା ରାଜ୍ୟର ୨୨ ଜିଲାର ୧୦ ଲକ୍ଷ କେନ୍ଦୁପତ୍ର ତୋଳାଳୀଙ୍କୁ ଅଧିକ ଲାଭ ମିଳିବା ସହ ବିକ୍ରି ବଢିବ । କେବଳ କେନ୍ଦୁପତ୍ର ତୋଳାଳୀ ନୁହନ୍ତି ବରଂ ଜିଏସ୍ଟି ସ୍ଲାବରେ ପରିବର୍ତ୍ତନର ବଡ ଲାଭ ପାଇବେ ଚାଷୀ । ବିଭିନ୍ନ କୃଷି ଉପକରଣ, ଔଷଧ ସିଞ୍ଚନକାରୀ ଯନ୍ତ୍ର, ଟ୍ରାକ୍ଟର, ସାରରେ ବ୍ୟବହୃତ କଞ୍ଚାମାଲ ଉପରୁ ଜିଏସଟି ହ୍ରାସ ଦ୍ବାରା ଚାଷୀଙ୍କ ଉପରୁ ଆର୍ଥିକ ବୋଝ ହଟିବ ଓ ଆୟ ବୃଦ୍ଧିରେ ସହାୟକ ହେବ ।
ତଦନୁସାରେ ପୂର୍ବ ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇ ୫% ଏବଂ ୧୮% ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି) ବ୍ୟବସ୍ଥା କରାଯାଇଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସୂଚନା ଦେଇଛନ୍ତି। ଏଥିରୁ ଦେଶର ସାଧାରଣ ନାଗରିକ ଲାଭବାନ ହେବେ। କୃଷକଙ୍କଠାରୁ ନେଇ ଶ୍ରମିକଙ୍କ ପର୍ଯ୍ୟନ୍ତ ଧ୍ୟାନରେ ରଖି ସ୍ଲାବ୍ରେ ଏପରି ହ୍ରାସ କରାଯାଇଥିବା ସୀତାରାମନ କହିଛନ୍ତି। ସମୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏଥିରେ ସବୁ ରାଜ୍ୟର ଅର୍ଥମନ୍ତ୍ରୀ ସହମତି ପ୍ରକାଶ କରିଥିବା ପ୍ରାୟ ୧୧ ଘଣ୍ଟାର ମାରାଥନ ବୈଠକରୁ ଜଣାପଡ଼ିଛି। ତେବେ ଏଥିଯୋଗୁ ପ୍ରାୟ ୯୩,୦୦୦ କୋଟି ଟଙ୍କାର ରାଜସ୍ବ ନିଅଣ୍ଟ ହୋଇପାରେ। ରାଜ୍ୟଗୁଡ଼ିକ ସହିବାକୁ ଥିବା ରାଜସ୍ବ କ୍ଷତିର ଭରଣା ଲାଗି କୌଣସି ନିଷ୍ପତ୍ତି ନିଆଯାଇନାହିଁ।