ନୂଆପଡ଼ାରେ ବାଜି ମାରିଲା ବିଜେପି : ୮୩,୭୪୮ ଭୋଟରେ ଜୟ ଢେ଼ାଲକିଆ ବିଜୟ
ନୂଆପଡା : ସରିଲା ନୂଆପଡ଼ା ଉପନିର୍ବାଚନ ପାଇଁ ହୋଇଥିବା ମତଦାନର ମତଗଣନା । ନୂଆପଡ଼ାର ନୂଆ ବିଧାୟକ ହେଲେ ଜୟ ଢେ଼ାଲକିଆ । ୨୯ ତମ ରାଉଣ୍ଡର ଭୋଟ ଗଣତି ପରେ ନୂ୍ଆପଡାରେ ଭାରତୀୟ ଜନତା ପାର୍ଟି (ବିଜେପି) ବାଜି ମାରିଛି । ବିଜେପି ଏଠାରେ ବଡ ବ୍ୟବଧାନ ସହିତ ବିଜୟ ହାସଲ କରିଛି । ବିଜେପିର ବିଧାୟକ ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ୧,୨୩,୮୬୯ ଭୋଟ୍ ମିଳିଛି । ଅନ୍ୟପଟେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ୪୦,୧୨୧ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ୩୮,୪୦୮ଟି ଭୋଟ ପାଇଛନ୍ତି । ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୮୩,୭୪୮ ଭୋଟରେ ବିଜୟ ହାସଲ କରିଛନ୍ତି ।
ନୂଆପଡା ନିର୍ବାଚନରେ ବିଜୟ ହାସଲ କରିବା ପରେ ଓଡିଶା ବିଧାନସଭାରେ ବିଜେପିର ସଦସ୍ୟ ସଂଖ୍ୟା ୭୯ରେ ପହଞ୍ଚିଛି । ଅନ୍ୟପଟରେ ବିଜେଡିର ସଂଖ୍ୟା ୫୧ରୁ ୫୦କୁ ହ୍ରାସ ପାଇଛି । ବିଜେପି ଶିବିରରେ ଉତ୍ସାହ ଦେଖାଯାଇଛି । ନୂଆପଡାରୁ ଭୁବନେଶ୍ୱର ପର୍ୟ୍ୟନ୍ତ ନେତା, କର୍ମୀ ଉତ୍ସାହିତ ଅଛନ୍ତି । ବିଜେପିର ବରିଷ୍ଠ ନେତାଙ୍କ ଘରେ ବିଜୟର ମାହୋଲ ଦେଖାଯାଇଛି । ନୂଆପଡ଼ା ରେକର୍ଡ଼ ବିଜୟ ରାଜ୍ୟରେ ଦେଢ଼ ବର୍ଷର ବିଜେପି ସରକାରର ସ୍ଥିତିକୁ ବେଶ ମଜଭୁତ କରିବ । ଏହା ସହ ମୋହନ ମାଝୀଙ୍କ ନେତୃତ୍ୱରେ ଚାଲିଥିବା ସରକାରର ତୃଣମୂଳ ସ୍ତରରେ ସଫଳତା ପହଁଚିବାର ବାର୍ତ୍ତା ସାରା ରାଜ୍ୟକୁ ଯିବ ।