ନୂଆପଡ଼ା ଉପନିର୍ବାଚନ ପୂର୍ବରୁ କରାଯିବ ଏସ୍ଏସ୍ଆର୍
ଭୁବନେଶ୍ୱର : ନୂଆପଡା ବିଧାନସଭା ଆସନରେ ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କରାଯିବ। ଆଗକୁ ଏହି ବିଧାନସଭା ଆସନ ଲାଗି ହେବାକୁ ଥିବା ଉପନିର୍ବାଚନ ପୂର୍ବରୁ ହିଁ ଏସ୍ଏସ୍ଆର୍ କରାଯିବ। ନୂଆପଡ଼ା ଆସନରେ ଅନୁଷ୍ଠିତ ହେବାକୁ ଥିବା ଉପନିର୍ବାଚନ ପାଇଁ ଜନପ୍ରତିନିଧିତ୍ୱ ଆଇନ, ୧୯୫୦ର ଧାରା ୨୧ ଅନୁଯାୟୀ ଏସ୍ଏସ୍ଆର୍ କରିବାକୁ ଭାରତର ନିର୍ବାଚନ ଆୟୋଗ ୧ ଜୁଲାଇ ୨୦୨୫କୁ ଯୋଗ୍ୟତା ତାରିଖ ଧାର୍ଯ୍ୟ କରିଛନ୍ତି।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଶନିବାର ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ଏସ୍ଏସ୍ଆର ପାଇଁ କେତେଗୁଡ଼ିଏ କାର୍ଯ୍ୟସୂଚୀ ନିର୍ଦ୍ଧାରିତ କରାଯାଇଛି। ରବିବାର ଏହି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ମତଦାନ କେନ୍ଦ୍ରଗୁଡିକର ପୁନଃ ବ୍ୟବସ୍ଥାପନ ବା ପରିବର୍ତ୍ତନ କରାଯିବ। ସୋମବାର ସମନ୍ବିତ ଚିଠା ଭୋଟର ତାଲିକା ପ୍ରକାଶ କରାଯିବ। ଆସନ୍ତା ୧୫ରୁ ୨୯ ତାରିଖ ମଧ୍ୟରେ ଭୋଟରମାନେ ସେମାନଙ୍କ ଦାବି ଓ ଆପତ୍ତି ଜଣାଇପାରିବେ। ଅକ୍ଟୋବର ୭ ତାରିଖରେ ସବୁ ଦାବି ଏବଂ ଆପତ୍ତିର ସମାଧାନ କରାଯିବ। ଅକ୍ଟୋବର ୯ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ୨୦୨୪ ନିର୍ବାଚନରେ ନୂଆପଡ଼ା ବିଧାନସଭା କ୍ଷେତ୍ର(୭୧)ରୁ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆ ବିଜୟୀ ହୋଇଥିଲେ। ଗତ ୮ ତାରିଖରେ ତାଙ୍କର ଦେହାନ୍ତ ହୋଇଯାଇଛି। ଢୋଲକିଆଙ୍କ ଦେହାନ୍ତ ପରେ ଏହି ବିଧାନସଭା ନିର୍ବାଚନମଣ୍ଡଳୀର ଆସନ ଖାଲି ନେଇ ଗତ ୧୧ ତାରିଖରେ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇସାରିଛି। ନିୟମାନୁଯାୟୀ କୌଣସି ଆସନ ଖାଲି ହେବାର ୬ ମାସ ମଧ୍ୟରେ ସେଠାରେ ଉପନିର୍ବାଚନ କରାଯିବ। ସେହି କ୍ରମରେ ଏବେଠାରୁ ନୂଆପଡ଼ା ଉପନିର୍ବାଚନ ଲାଗି ନିର୍ବାଚନ କମିଶନ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି। ଆଗକୁ ବିହାର ନିର୍ବାଚନ ହେବାକୁ ଯାଉଛି। ତେଣୁ ବିହାର ନିର୍ବାଚନ ନେଇ ଘୋଷଣା ହେବାବେଳେ ନୂଆପଡ଼ା ଆସନର ଉପନିର୍ବାଚନ ତାରିଖ ମଧ୍ୟ ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ହେଉଛି।