ନୂତନ ବ୍ଲକ ଗଠନ ଦାବିରେ ବୈଠକ
କନ୍ଧମାଳ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ଗୋଛାପଡା ପଞ୍ଚାୟତ ଠାରେ ନୂତନ ବ୍ଲକ ଗଠନ ଦାବିରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସରକାର ବଦଳିବା ପରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୁଜାରୀ ରାଜ୍ୟରେ ନୂତନ ବ୍ଲକ ଗଠନ ପାଇଁ ଆହ୍ୱାନ ଦେଇଛନ୍ତି । ୧୯୯୫, ୨୦୧୦, ୨୦୧୮ ମସିହାମାନଙ୍କରେ କ୍ରମାଗତ ଭାବେ ଗୋଛାପଡାକୁ ବ୍ଲକ୍ ଘୋଷଣା କରିବାକୁ ଶାନ୍ତି ପୂର୍ଣ୍ଣ ଭାବେ ଏହି ଅଞ୍ଚଳବାସୀ ଦାବି ଜଣାଇ ଆସୁଛନ୍ତି । କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ ହେଉଛି ଦ୍ୱିତୀୟ ବୃହତ୍ତମ ବ୍ଲକ ଅଟେ । ଗୋଛାପଡା, ସଲାଗୁଡା, ପଲାବ୍ରୁଡି, କ୍ରାଣ୍ଡିବାଲି, ପକାରୀ, ବାଲନ୍ଧାପଡା, ଲୁଇସିଙ୍ଗି, ପାଇରାଜୁ, କୁଏରିମାଣ୍ଡୁ ଓ ପାଙ୍ଗା ପଞ୍ଚାୟତ ଏହି ଦଶ ଗୋଟି ପଞ୍ଚାୟତର କେନ୍ଦ୍ରସ୍ଥଳୀ ଗୋଛାପଡା ବ୍ଲକ ମାନ୍ୟତା ଦାବି ଜୋର୍ ଧରିଛି । ଗତକାଲି ସମାଜସେବୀ ଓ ଜିଲ୍ଲାର ଜଣାଶୁଣା କବି ଓ ବୁଦ୍ଧିଜୀବୀ ମୋହନ ଦିଗାଲଙ୍କ ଆହ୍ୱାନକ୍ରମେ ଗୋଛାପଡା ସରପଞ୍ଚ ଯୁଗାନ୍ତ କହଁର,ସଲାଗୁଡା ସରପଞ୍ଚ ରୋହିତ କହଁର, ନେତା ବିଷ୍ଣୁ ଚରଣ ମଲିକ,ସମାଜ ସେବୀ କୃଷ୍ଣ ଚନ୍ଦ୍ର କହଁର ପୂର୍ବତନ ବିଧାୟକ ଅଙ୍ଗଦ କହଁରଙ୍କ ସମେତ ଦଶ ଗୋଟି ପଞ୍ଚାୟତର ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦେଇଥିଲେ । ଏହି ଦଶ ଗୋଟି ପଞ୍ଚାୟତ ଫିରିଙ୍ଗିଆ ବ୍ଲକ ସଦର ମହକୁମା ଠାରୁ ୩୦କିମିରୁ ୮୦କିମି ଦୂରରେ ଅବସ୍ଥିତ ହେତୁ ଗମନାଗମନ, ଏବଂ ସରକାରୀ ସେବା ଠିକ୍ ଭାବରେ ପାଇ ପାରୁନାହାନ୍ତି । ବ୍ଲକ ମାନ୍ୟତା ଦାବି ନେଇ ଆସନ୍ତା ୩୦ ତାରିଖ ଦିନ ଅର୍ଥାତ୍ ଜାନୁଆରୀ ମାସ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ କନ୍ଧମାଳ ଜିଲ୍ଲାପାଳଙ୍କ ନିକଟରେ ଦାବି ଜଣାଇବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି ।