ବିଦୁ୍ୟତ୍ ଭିତ୍ତିଭୂମି ସୁଦୃଢ଼ କରୁଛି ଟିପିଏସ୍ଓଡିଏଲ୍
ବ୍ରହ୍ମପୁର: ଆସିକା ଅଞ୍ଚଳରେ ଗୁଣାତ୍ମକ ବିଦୁ୍ୟତ୍ ସେବା ଯୋଗାଣ ଉଦେ୍ଦଶ୍ୟ ନେଇ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବୁ୍ୟସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ନିକଟରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି । ଆସିକାରେ ଭରସାଯୋଗ୍ୟ ବିଜୁଳି ସେବା ଯୋଗାଇବା ପାଇଁ ଟିପିଏସ୍ଓଡିଏଲ୍ ଆସିକା ଅଞ୍ଚଳର ଉପଭୋକ୍ତାଙ୍କ ପାଇଁ ଏକ ସ୍ଥିର ବିଦୁ୍ୟତ୍ ଯୋଗାଣ ସୁନିଶ୍ଚିତ କରିବା ସହ ଏହାର ଭିତ୍ତିଭୂମିକୁ ସୁଦୃଢ଼ କରିଛି । କମ୍ପାନୀ ପକ୍ଷରୁ ଆସିକାର ବଡ଼ନଦୀ ଠାରେ ଏକ ନୂତନ ୟୁଆର+୬ ଟାୱାର ସ୍ଥାପନ କରାଯାଇଛି । ବନ୍ୟା ଭଳି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଭରସାଯୋଗ୍ୟ ବିଜୁଳି ଯୋଗାଣ ସୁନିଶ୍ଚିତ କରିବା ଏବଂ ବନ୍ୟା ସମୟରେ ସମ୍ଭାବ୍ୟ ବିଦୁ୍ୟତ୍ ଜନିତ ଦୁର୍ଘଟଣାରୁ ସ୍ଥାନୀୟ ବାସିନ୍ଦାଙ୍କୁ ସୁରକ୍ଷିତ ରଖିବା ପାଇଁ ଏହି ଭିତ୍ତିଭୂମି ସ୍ଥାପନ କରାଯାଇଛି । ପୂର୍ବରୁ ବଡ଼ନଦୀ ଉପରେ ପରିବାହୀର ଗ୍ରାଉଣ୍ଡ କ୍ଲିୟରାନ୍ସ କମ୍ ଥିଲା ଏବଂ ବନ୍ୟା ସମୟରେ ୩୩ କେଭି ବିଦୁ୍ୟତ୍ ଲାଇନ୍ ଜଳସ୍ତର ସଂସ୍ପର୍ଶରେ ଆସି ଦୁର୍ଘଟଣା ଘଟିବାର ଆଶଙ୍କା ରହିଥିଲା । କିନ୍ତୁ ବର୍ତ୍ତମାନ ବଡ଼ ନଦୀଠାରେ ନୂତନ ୟୁଆର+୬ ଟାୱାର ସ୍ଥାପନ ହେବା ପରେ ଗ୍ରାଉଣ୍ଡ କ୍ଲିୟରାନ୍ସ ୨୪ ମିଟରକୁ ବୃଦ୍ଧି ପାଇଛି, ଯାହା ଦ୍ୱାରା ୩୩ କେଭି ଲାଇନ କଣ୍ଡକ୍ଟର ଜଳସ୍ତର ଛୁଇଁବା ଆଶଙ୍କା ଯଥେଷ୍ଟ ମାତ୍ରାରେ ହ୍ରାସ ପାଇଛି ଏବଂ ଆଖପାଖ ବାସିନ୍ଦାଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିଛି । ଏହାବ୍ୟତୀତ ୟୁଆର+୬ ଟାୱାରର ଦୃଢ଼ତା ଯୋଗୁଁ ଯେକୌଣସି ଘୂର୍ଣ୍ଣିବଳୟ କିମ୍ବା ଝଡ଼ବର୍ଷା ସମୟରେ ବିଜୁଳି ଯୋଗାଣ ହୋଇ ପାରିବ । ଏହାଦ୍ୱାରା ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ୭ଟି ପଞ୍ଚାୟତର ପ୍ରାୟ ୧୩ ହଜାରରୁ ଅଧିକ ଉପଭୋକ୍ତା ଉପକୃତ ହେବେ ଏବଂ ବିଜୁଳି ସେବାର ଗୁଣବତ୍ତା ଓ ବିଶ୍ୱସନୀୟତାରେ ଯଥେଷ୍ଟ ଉନ୍ନତି ଘଟିବ । ନିରବଚ୍ଛିନ୍ନ ବିଜୁଳି ଯୋଗାଣ ଦିଗରେ ଦୃଢ଼ ପ୍ରତିବଦ୍ଧତାର ସହ ଟିପିଏସ୍ଓଡିଏଲ୍ ଆସିକା ଉପଖଣ୍ଡ ଡାକ୍ତରଖାନା (ଏସଡିଏଚ୍)ରେ ୧୧ କେଭି ରିଙ୍ଗ ମେନ୍ ୟୁନିଟ୍ (ଆରଏମୟୁ) ସ୍ଥାପନ କରିଛି । ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅମିତ କୁମାର ଗର୍ଗ କହିଛନ୍ତି, ଟିପିଏସ୍ଓଡିଏଲ୍ ଦକ୍ଷିଣ ଓଡ଼ିଶାର ବିଦୁ୍ୟତ୍ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ଉପଭୋକ୍ତାଙ୍କୁ ନିରବଚ୍ଛିନ୍ନ ବିଜୁଳି ଯୋଗାଣ କରିବା ଦିଗରେ ପ୍ରତିବଦ୍ଧ ରହିଆସିଛି । ଆସିକା ଠାରେ ନୂତନ ଭାବେ ସ୍ଥାପିତ ହୋଇଥିବା ୟୁଆର+୬ ଟାୱାର ସ୍ଥାନୀୟ ଅଞ୍ଚଳରେ ବିଶ୍ୱସନୀୟ ବିଜୁଳି ସେବା ସୁନିଶ୍ଚିତ କରିବା ଦିଗରେ ଆଉ ଏକ ଉଲ୍ଲେଖନୀୟ ପଦକ୍ଷେପ ।