ନେସନ୍ୟାଲ ହେରାଲ୍ଡ ମାମଲା : ସୋନିଆ ଓ ରାହୁଲଙ୍କୁ ହାଇକୋର୍ଟଙ୍କ ନୋଟିସ୍
ନୂଆଦିଲ୍ଲୀ : ନେସନ୍ୟାଲ ହେରାଲ୍ଡ ମାମଲାରେ ସୋନିଆ ଓ ରାହୁଲଙ୍କ ଅଡୁଆ ବଢିଛି । ଦିଲ୍ଲୀ ହାଇକୋର୍ଟ କଂଗ୍ରେସ ନେତା ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଓ ଅନ୍ୟମାନଙ୍କୁ ନ୍ୟାସନାଲ ହେରାଲ୍ଡ ମାମଲାରେ ଆଜି ନୋଟିସ କରିଛି । ସେମାନଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଗ୍ରହଣ କରିବାକୁ ମନା କରିଥିବା ଟ୍ରାଏଲ୍ କୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା କରାଯାଇଥିବା ଆବେଦନର ଜବାବ ଦେବାକୁ ଏହି ନୋଟିସ କରାଯାଇଛି ।
ବିଚାରପତି ରବିନ୍ଦର ଡୁଡେଜା ମୁଖ୍ୟ ଆବେଦନ ଓ ଡିସେମ୍ବର ୧୬ ତାରିଖର ଟ୍ରାଏଲ୍ କୋର୍ଟ ଆଦେଶ ଉପରେ ସ୍ଥଗିତାଦେଶ ପାଇଁ ଇଡିର ଆବେଦନ ଉପରେ ଗାନ୍ଧି ପରିବାର ଓ ଅନ୍ୟମାନଙ୍କୁ ନୋଟିସ ଜାରି କରିଛନ୍ତି । ଯେଉଁଥିରେ କୁହାଯାଇଥିଲା ଯେ ମାମଲାରେ ଏଜେନ୍ସିର ଅଭିଯୋଗର ବିଚାର "ଆଇନଗତ ଭାବରେ ଅବୈଧ’ କାରଣ ଏହା ଏକ ଏଫଆଇଆର ଉପରେ ପ୍ରତିଷ୍ଠିତ ନୁହେଁ । ହାଇକୋର୍ଟ ଆସନ୍ତା ମାର୍ଚ୍ଚ ୧୨ ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ମାମଲାକୁ ତାଲିକାଭୁକ୍ତ କରିଛନ୍ତି । ଏହି ମାମଲାରେ ସଲିସିଟର ଜେନେରାଲ ତୁଷାର ମେହଟା ଇଡି ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ବେଳେ ବରିଷ୍ଠ ଓକିଲ ଅଭିଷେକ ସିଂଘଭି ଓ ଆର.ଏସ୍. ଚିମା ଗାନ୍ଧି ପରିବାର ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ ।
ଟ୍ରଏଲ୍ କୋର୍ଟ ତାଙ୍କ ଆଦେଶରେ କହିଛନ୍ତି ଯେ ମନି ଲଣ୍ଡରିଂ ନିବାରଣ ଆଇନ (ପିଏମଏଲଏ) ର ସୂଚିରେ ଉଲ୍ଲେଖ କରାଯାଇଥିବା ଅପରାଧ ପାଇଁ ଏଫଆଇଆର ନଥିବା ସମୟରେ ମନି ଲଣ୍ଡରିଂ ସମ୍ପର୍କିତ ତଦନ୍ତ ଓ ପରବର୍ତ୍ତୀ ଅଭିଯୋଗ (ଚାର୍ଜସିଟ୍ ସହିତ ସମତୁଲ୍ୟ) ବିଚାରଯୋଗ୍ୟ ନୁହେଁ । ଏହା କହିଛନ୍ତି ଯେ ଏଜେନ୍ସିର ତଦନ୍ତ ଏଫଆଇଆର ନୁହେଁ ବରଂ ଏକ ବ୍ୟକ୍ତିଗତ ଅଭିଯୋଗରୁ ଆରମ୍ଭ ହୋଇଛି । ଇଡି ସୋନିଆ ଓ ରାହୁଲ ଗାନ୍ଧି, ସ୍ୱର୍ଗତ କଂଗ୍ରେସ ନେତା ମୋତିଲାଲ ଭୋରା ଓ ଅସ୍କାର ଫର୍ଣ୍ଣାଣ୍ଡିସ୍, ସୁମନ ଦୁବେ, ସାମ ପିଟ୍ରୋଡା ଏବଂ ଏକ ଘରୋଇ କମ୍ପାନୀ ୟଙ୍ଗ ଇଣ୍ଡିଆନ୍ ଉପରେ ଷଡ଼ଯନ୍ତ୍ର ଓ ମନି ଲଣ୍ଡରିଂ ଅଭିଯୋଗ ଆଣିଛି । ଅଭିଯୋଗ ହୋଇଛି ଯେ ସେମାନେ ନ୍ୟାସନାଲ୍ ହେରାଲ୍ଡ ଖବରକାଗଜ ପ୍ରକାଶନ କରୁଥିବା ଆସୋସିଏଟେଡ୍ ଜର୍ଣ୍ଣାଲ୍ସ ଲିମିଟେଡ୍ (ଏଜେଏଲ)ର ପ୍ରାୟ ୨,୦୦୦ କୋଟି ମୂଲ୍ୟର ସମ୍ପତ୍ତି ଦଖଲ କରିଛନ୍ତି । ତଦନ୍ତକାରୀ ସଂସ୍ଥା ଆହୁରି ଅଭିଯୋଗ କରିଛି ଯେ ୟଙ୍ଗ ଇଣ୍ଡିଆନ୍ରେ ଗାନ୍ଧି ପରିବାରର ଅଧିକାଂଶ ୭୬% ଅଂଶଧନ ଥିଲା, ଯାହା ୯୦ କୋଟି ଋଣ ପାଇଁ ପ୍ରତାରଣାମୂଳକ ଭାବରେ ଏଜେଏଲର ସମ୍ପତ୍ତି ହଡ଼ପ କରିଛନ୍ତି ।
Samir Kumar Rout