ନୟାହାଟ ନାଗପୁର ରାସ୍ତାକୁ ମିଳୁଛି ଜୀବନଦାନ

ଗୋପ : ବିଗତ ସରକାରଙ୍କ ସମୟରେ ଯେଉଁ ସବୁ କାର୍ଯ୍ୟର ଉନ୍ନତୀକରଣ ହୋଇ ନଥିଲା ଏବେ ତାହା ହେବାକୁ ଯାଉଛି । ପୁରୀ ଜିଲ୍ଲାର ଗୋପ ବ୍ଲକ ଅଧିନସ୍ତ ନାଗପୁରରୁ ନୟାହାଟକୁ ରାସ୍ତାର ନବୀକରଣ  ନିର୍ମାଣ ନିମନ୍ତେ  ଓଡିଶା ସରକାରଙ୍କ ପୂର୍ତ୍ତ ବିଭାଗକୁ ଦାୟିତ୍ୱ ହସ୍ତାନ୍ତର କରାଯାଇଛି । ବିଭାଗ ପକ୍ଷରୁ ପୁରୀ ଜିଲ୍ଲାର ଦୁଇ ପ୍ରମୁଖ ବ୍ୟବସାୟ କେନ୍ଦ୍ର ଗୋପ ବ୍ଲକ ନାଗପୁର ଠାରୁ ନୟାହାଟ ପର୍ୟ୍ୟନ୍ତ ରାସ୍ତା ଉନ୍ନତୀକରଣ କାର୍ଯ୍ୟ ଜୋରଦାର ଆରମ୍ଭ ହୋଇଛି । ଦୀର୍ଘ ବର୍ଷ ଧରି ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡିଥିଲା । ନାଗପୁର ଓ ନୟାହାଟ ଗୋପ ବ୍ଲକ ପ୍ରମୁଖ ବ୍ୟବସାୟ କେନ୍ଦ୍ର । ଏହି ଦୁଇ ବାଜରକୁ ସଂଯୋଗ କରୁଥିବା ୨୧ କିମି ରାସ୍ତା  ଉପରେ ହଜାର ହଜାର ଲୋକ ଦୈନିକ ନିର୍ଭର କରନ୍ତି । ରାସ୍ତା ଅବସ୍ଥା ଦୀର୍ଘ ବର୍ଷ ହେବ ପରିତ୍ୟକ୍ତ ହୋଇପଡିଥିଲା । ଗତ ଫେବୃୟାରୀ ୨୭ ତାରିଖରେ ଏହାର ଉନ୍ନତୀକରଣ କାର୍ଯ୍ୟ ପାଇଁ ଉପ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ୬ କୋଟି ୩୫ଲକ୍ଷ ବ୍ୟୟ ଅଟକଳରେ ହେଉଥିବା ଏହି କାର୍ଯ୍ୟକୁ ଗୁରୁତ୍ୱ ଭାବି ଠିକାଦାର ଏଜେନ୍ସି ପକ୍ଷରୁ ଜୋରଦାର କାର୍ଯ୍ୟ ଆରମ୍ଭ ହୋଇଛି । ବର୍ଷେ ମଧ୍ୟରେ ଏହା ଏକ ସୁନ୍ଦର ରାସ୍ତା ହେବା ସହ ଏହା ଉପରେ ନିର୍ଭର କରୁଥିବା ଲୋକଙ୍କ ଗମନାଗମନ ସୁବିଧା ହେବ । ତେଣୁ ରାସ୍ତା କାର୍ଯ୍ୟ ନିର୍ଦ୍ଧାରିତ ନିୟମ ଓ ସମୟ ଅନୁସାରେ ସମ୍ପନ୍ନ କରାଯିବ ବୋଲି ପୂର୍ତ୍ତ ବିଭାଗ ଅଧିକାରୀ ଓ ଯନ୍ତ୍ରୀ ପ୍ରକାଶ କରିଛନ୍ତି । କାର୍ଯ୍ୟରେ ନିୟୋଜିତ ସଂସ୍ଥା କୁ ତାଗିଦ କରିଛନ୍ତି ବିଭାଗୀୟ ଅଧିକାରୀ  ଯେପରି କୌଣସି ତ୍ରୁଟି ପରିଲକ୍ଷିତ ନ ହୁଏ ।