ପାକିସ୍ତାନର ଗୁଇନ୍ଦା ରାଣୀ


ପାକିସ୍ତାନ୍ ଆତଙ୍କବାଦୀମାନଙ୍କର ପହଲଗାମ୍ ଠାରେ ପର୍ଯ୍ୟଟକମାନଙ୍କ ହତ୍ୟାକାଣ୍ଡ ପରେ ଭାରତରେ ପାକିସ୍ତାନ୍ ପାଇଁ ଗୁଇନ୍ଦାଗିରି କରୁଥିବା ଅନେକ ଲୋକ ଧରା ପଡ଼ିଲେଣି । ବିଶେଷ କରି ୟୁଟୁ୍ୟବର୍ମାନେ ପାକିସ୍ତାନ୍ ଭ୍ରମଣରେ ଯାଉଥିବାରୁ ସରକାରଙ୍କ ନଜର ଏମାନଙ୍କ ଉପରେ ପଡ଼ିଛି । ତେବେ ଇତିମଧ୍ୟରେ ଆଉ ଏକ ଚାଞ୍ଚଲ୍ୟକର ଘଟଣା ପ୍ରକାଶ ପାଇଛି ଯେ ପାକିସ୍ତାନ୍ର ଜଣେ ମହିଳା ବ୍ୟବସାୟୀ ଭାରତର ୟୁଟୁ୍ୟବର୍ମାନଙ୍କୁ ଅର୍ଥ ମୋହରେ ଫସାଇ ସେମାନଙ୍କ ମାଧ୍ୟମରେ ଭାରତର ଗୋପନ ତଥ୍ୟ ନେବାରେ ଲାଗିଛନ୍ତି । ଏହି ମହିଳାଙ୍କ ନାଁ ହେଲା ନୋସାବା ସେହଜାଦ୍ । ସଂକ୍ଷେପରେ ତାଙ୍କ ମାଡ଼ାମ୍ ଏନ୍ ବୋଲି କୁହାଯାଉଛି । ପାକିସ୍ତାନ୍ର ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ନୋସାବାଙ୍କୁ ଏହି କାମରେ ଉତ୍ସାହିତ ମଧ୍ୟ କରୁଛି । ଏବେ ନିକଟରେ ଜ୍ୟୋତି ମାଲହୋତ୍ରା ନାମକ ଜଣେ ୟୁଟୁ୍ୟବର ପାକିସ୍ତାନ୍ ପାଇଁ ଗୁଇନ୍ଦାଗିରି କରି ଧରା ପଡ଼ିବା ପରେ ଅର୍ଥଲୋଭରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଉଥିବାର ଏକ ବିଶାଳ ନେଟ୍ୱାର୍କ୍ ଥିବା ଜଣାପଡ଼ିଲାଣି । ପାକିସ୍ତାନ୍ ପାଇଁ ଗୁଇନ୍ଦାଗିରି କରି ଧରା ପଡ଼ିଥିବା ୟୁଟୁ୍ୟବରମାନେ ଦେଇଥିବା ସୂଚନା ଆଧାରରେ ଜଣାପଡୁଛି ଯେ ଅନେକ ୟୁଟୁ୍ୟବର୍ଙ୍କ ସମେତ ପାଖାପାଖି ୫ ଶହ ଭାରତୀୟ ମାଡ଼ାମ୍ ଏନ୍ଙ୍କ ଚକ୍ରବୁ୍ୟହରେ ଫସିଛନ୍ତି । ସେମାନେ ସମସ୍ତେ ସେହଜାଦ୍ଙ୍କ କଥାରେ ପଡ଼ି ପାକିସ୍ତାନ୍ ପାଇଁ ଗୁଇନ୍ଦାଗିରି କରୁଛନ୍ତି । ଏହି ମହିଳାଙ୍କ ସ୍ୱାମୀ ପାକିସ୍ତାନ୍ ସରକାରର ଜଣେ ଅବସରପ୍ରାପ୍ତ ଅଧିକାରୀ । ପାକିସ୍ତନୀ ସେନା ଏବଂ ଆଇଏସ୍ଆଇ ପକ୍ଷରୁ ଗୁଇନ୍ଦାଗିରି ସମ୍ପର୍କିତ ତାଲିମ୍ ଏମାନେ ନେଇଛନ୍ତି । ଭାରତରେ ଥିବା ପାକିସ୍ତାନ୍ରେ ଥିବା ହାଇ କମିଶନ୍ର ଦପ୍ତରରେ ମଧ୍ୟ ସେହଜାଦ୍ଙ୍କ ପ୍ରଭାବ ଥିବା ଜଣାପଡ଼ିଲାଣି । ବିଭିନ୍ନ ଭାରତୀୟଙ୍କ ପାଇଁ ସେ ପାକିସ୍ତାନ୍ ହାଇ କମିଶନରଙ୍କ ଅଫିସ୍ରୁ ଭୀସା ପାଇବା ବ୍ୟବସ୍ଥା କରାଇ ଦେଉଥିବା ଜଣାପଡ଼ିଛି । ସବୁଠାରୁ ଚାଞ୍ଚଲ୍ୟକର କଥା ହେଲା ଗତ ୬ ମାସ ମଧ୍ୟରେ ସେହଜାଦ୍ ପ୍ରାୟ ୩ ହଜାର ଭାରତୀୟଙ୍କୁ ପାକିସ୍ତାନ୍ ଭ୍ରମଣରେ ଯିବା ପାଇଁ ସାହାଯ୍ୟ କରିଛନ୍ତି । ସେ ନିୟମିତ ଭାବରେ ଯେଉଁମାନଙ୍କୁ ପାକିସ୍ତାନ୍ ଆସିବା ଦରକାର ବୋଲି ଅନୁଭବ କରିଥିଲେ ସେମାନଙ୍କ ପାଇଁ ଗୋଟିଏ ଫୋନ୍ କଲ୍ରେ ତୁରନ୍ତ ଭିସା ମିଳିଯାଉଥିଲା । ଭାରତୀୟ ୟୁଟୁ୍ୟବର ଜ୍ୟୋତି ମାଲହୋତ୍ରାଙ୍କ ସହିତ ପାକିସ୍ତାନ୍ ଦୂତାବାସରେ ଥିବା ଜଣେ କର୍ମଚାରୀଙ୍କର ଭଲ ସମ୍ପର୍କ ଥିବା ଜଣାପଡ଼ିଛି । ଏହି କର୍ମଚାରୀଙ୍କୁ ଅପରେସନ୍ ସିନ୍ଦୂର ସମୟରେ ଭାରତ ସରକାର ଅବାଂଛିତ ଘୋଷଣା କରିଥିଲେ ଏବଂ ପରେ ତାଙ୍କୁ ଦେଶରୁ ବହିଷ୍କାର କରାଯାଇଥିଲା । ବର୍ତ୍ତମାନ ଯାହା ଜଣାପଡ଼ିଲାଣି ମାଡ଼ାମ୍ ଏନ୍ଙ୍କର ଜାଲ ଭିତରେ ଫସି ଯାଇଥିବା ୟୁଟୁ୍ୟବରମାନେ ଆଉ ମୁକୁଳିପାରିବେ କି ନାହିଁ ତାହା ସନେ୍ଦହଜନକ । 
ଭାରତରେ ଯୁବଗୋଷ୍ଠୀଙ୍କ ଭିତରେ ବେରୋଜଗାରୀ ବଢୁଥିବା ସମୟରେ ସାମାନ୍ୟ କିଛି ଅର୍ଥ ଏବଂ ପାକିସ୍ତାନ୍ ଭ୍ରମଣର ସୁଯୋଗ ମିଳିଲେ ଭାରତୀୟମାନେ ଭାରତ ବିରୋଧୀ କାର୍ଯ୍ୟ କରିବାକୁ ପଛଘୁଞ୍ଚା ଦେଉନାହାନ୍ତି । ପାକିସ୍ତାନ୍ରୁ କୌଣସି ନାଗରିକ ପାକିସ୍ତାନ୍ ବିରୁଦ୍ଧରେ ଗୁଇନ୍ଦାଗିରି କରି ଧରା ପଡ଼ିଲେ ସେମାନଙ୍କୁ ମୃତୁ୍ୟଦଣ୍ଡ ଦେବା କ୍ଷେତ୍ରରେ କୌଣସି ବିଳମ୍ବ କରାଯାଆନ୍ତା ନାହିଁ । ଅଥଚ ଭାରତରେ ଆଇନ୍ ଏତେ ଜଟିଳ ଯେ ଦେଶଦ୍ରୋହୀ କ୍ଷେତ୍ରରେ ମଧ୍ୟ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ପ୍ରମାଣ ଯୋଗାଡ଼ କରାଯାଉଥିବା ସତ୍ତ୍ୱେ ଦଣ୍ଡ ଦିଆଯାଇପାରୁନାହିଁ । ଅନ୍ତତଃପକ୍ଷେ ଭାରତରେ ଦେଶଦ୍ରୋହ କାର୍ଯ୍ୟକଳାପ ଗୁଡ଼ିକ କ୍ଷେତ୍ରରେ ପ୍ରମାଣ ଥିଲେ ଦୋଷୀମାନଙ୍କୁ କଠୋରରୁ କଠୋରତମ ଦଣ୍ଡ ଦେବା ପାଇଁ ବିଳମ୍ବ କରାଯିବା ଅନୁଚିତ୍ । 
ଦେଶ ଭିତରେ ଦେଶ ବିରୋଧୀ କାର୍ଯ୍ୟରେ ଲିପ୍ତ ରହିଥିବା ଲୋକଙ୍କ ସଂଖ୍ୟା ଏକ ଭଲ ଦିଗ ପ୍ରତି ସୂଚୀତ କରୁନି । ପାକିସ୍ତାନ୍ର ଜଣେ ମହିଳାଙ୍କ ଚକ୍ରବୁ୍ୟହରେ ୫ ଶହ ଭାରତୀୟ ରହିଥିବା ଏକ ଅତ୍ୟନ୍ତ ଗୁରୁତର ଘଟଣା । ଭାରତୀୟ ଯୁବଗୋଷ୍ଠୀଙ୍କ ଭିତରେ ଦେଶପ୍ରେମର ଭାବ ସୃଷ୍ଟି ନିମିତ୍ତ ଉଦ୍ୟମ ନହେଲେ ଭବିଷ୍ୟତରେ ଏ ପ୍ରକାରର ଘଟଣା ଆହୁରି ଅଧିକ ଘଟିବ ଏବଂ ଅର୍ଥଲୋଭରେ ଭାରତୀୟ ଯୁବଗୋଷ୍ଠୀ ପାକିସ୍ତାନୀମାନଙ୍କ ଜନ୍ତାରେ ପଡ଼ିଯିବେ ।