ବିଜ୍ଞାନର ଅଭିଯାନ ଓ ମାନବ ସଭ୍ୟତା

ବିଜ୍ଞାନର ଅଭିଯାନ ଓ ମାନବ ସଭ୍ୟତା

ଡ.ପୁରୁଷୋତ୍ତମ ବିଶ୍ୱାଳ : କାର୍ଲ ଏଡୱାଡ୍‌ ସାଗାନ ଥିଲେ ଜଣେ ବିଶ୍ୱ ପ୍ରସିଦ୍ଧ ମାର୍କିନ ବୈଜ୍ଞାନିକ ଓ ଲୋକପ୍ରିୟ ବିଜ୍ଞାନ ଲେଖକ । ବୈଜ୍ଞାନିକ ସାଗାନଙ୍କ ମତରେ - “ଆମେ ଏଭଳି ଏକ ସମାଜରେ ବାସ କରୁଛନ୍ତି, ଯାହା ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଉପରେ ସମ୍ପୂର୍ଣ୍ଣ ଭାବେ ନିର୍ଭରଶୀଳ । ମାତ୍ର ବିଜ୍ଞାନ ଓ ପ୍ରଯୁକ୍ତି ସମ୍ବନ୍ଧରେ ଅଧିକାଂଶ ଲୋକଙ୍କର ଜ୍ଞାନର ଅଭାବ ।” ବିଜ୍ଞାନର ପ୍ରଭୂତ ଅଗ୍ରଗତି, ବୈଜ୍ଞାନିକ ଆବିଷ୍କାର ଓ ଉଦ୍‌ଭାବନ ମାନବ ସଭ୍ୟତାର କ୍ରମବିକାଶର ଧାରାକୁ ନୂତନ ମାର୍ଗଦର୍ଶନ ପ୍ରଦାନ କରିଛି । ଏକ ସମୁଜ୍ଜ୍ୱଳ ମାନବବାଦ ପ୍ରତିଷ୍ଠା ଦିଗରେ ଆଧୁନିକ ବିଜ୍ଞାନ ଓ ପ୍ରଯୁକ୍ତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

       ବିଜ୍ଞାନ ବୋଧହୁଏ ଈଶ୍ୱରଙ୍କର ମାନବିକତା ପ୍ରତି ସବୁଠାରୁ ବଡ଼ ଅବଦାନ । ଏକ ଆଧୁନିକ ମାନବ ସଭ୍ୟତା ଓ ସଂସ୍କୃତି ଗଠନରେ ବିଜ୍ଞାନର ବରଦାନ ନିଶ୍ଚିତ ଭାବେ ସର୍ବଜନସ୍ୱୀକୃତ । ମାତ୍ର କେତେଶହ ବର୍ଷ ତଳେ ମାନବ ସମାଜ ଘୋର ଅଜ୍ଞାନ ଓ ଭୟଙ୍କର ବ୍ୟାଧି ମଧ୍ୟରେ ଜୀବନ ଅତିବାହିତ କରୁଥିଲା । ଏହି ଉଭୟ ସାମାଜିକ ପ୍ରତିବନ୍ଧକକୁ ଦୂର କରିବାରେ ବିଜ୍ଞାନ ଆଜି ସମର୍ଥ ହୋଇପାରିଛି । ବିଜ୍ଞାନ ମଣିଷକୁ ଦେଇଛି ଅପର୍ଯ୍ୟାପ୍ତ ଆନନ୍ଦ ଓ ଅପରିମିତ ସମୃଦ୍ଧି । କେଉଁ ଆଦିମକାଳରୁ ମଣିଷ ତାର ସର୍ଜନାତ୍ମକ ଚିନ୍ତା, ଚେତନା, ଜିଜ୍ଞାସା, ଅବବୋଧ ଓ ଅନୁସନ୍ଧିତ୍ସା ଯୋଗୁଁ ପ୍ରକୃତିର ରହସ୍ୟକୁ ଉଦ୍‌ଘାଟନ କରିବା ନିମନ୍ତେ ସକ୍ଷମ ହୋଇପାରିଛି । ସତ୍ୟର ଅନ୍ୱେଷଣ ନିମନ୍ତେ ମନୁଷ୍ୟର ନିରନ୍ତର ପ୍ରଚେଷ୍ଟା ବହୁବିଧ ବୈଜ୍ଞାନିକ ଆବିଷ୍କାର ଓ ଉଦ୍‌ଭାବନକୁ କାଳକ୍ରମେ ସମ୍ଭବ ହୋଇପାରିଛି । ଏସିରୀୟ, ବେବିଲୋନୀୟ ଓ ମିଶର ସଭ୍ୟତା କାଳରୁ ନିର୍ମିତ ଗୋଲାକାର ଚକ ପରବର୍ତ୍ତୀ ସମୟରେ ଅଷ୍ଟାଦଶ ଶତାବ୍ଦୀର ଶେଷଭାଗରେ ଶିଳ୍ପ ବିପ୍ଳବ ଓ ସାମ୍ପ୍ରତିକ ସମୟରେ ବ୍ୟାପକ ଶିଳ୍ପାୟନର ସମ୍ଭାବନା ସୃଷ୍ଟି କରିପାରିଛି ।

      ବିଜ୍ଞାନ ଓ ପ୍ରଯୁକ୍ତିର ଜୟଯାତ୍ରା ଏବେ ଦ୍ରୁତଗତିରେ ଆଗକୁ ଆଗେଇ ଚାଲିଛି । ଟେଲିଫୋନରୁ ଇଣ୍ଟନେଟ୍‌, କାଲକୁଲେଟରରୁ କମ୍ପ୍ୟୁଟର ଓ କାରରୁ ମଙ୍ଗଳଯାନ ସବୁକିଛି ସମ୍ଭବ ହୋଇପାରିଛି ବିଜ୍ଞାନର ଅଶେଷ ପ୍ରଗତି ଯୋଗୁଁ । ବିଜ୍ଞାନ ମାନବ ସମାଜକୁ ଦେଇଛି ଗଭୀର ଆତ୍ମବିଶ୍ୱାସ । ବିଜ୍ଞାନ କ୍ଷେତ୍ରରେ ଦେଖାଦେଇଥିବା ବିପ୍ଳବ ମଣିଷ ଜୀବନକୁ ଏକ ନୂତନ ମାର୍ଗ ପ୍ରଦାନ କରିଛି । ସମଗ୍ର ବିଶ୍ୱରେ ଶାନ୍ତି ଓ ବିକାଶର ବାର୍ତ୍ତା ପ୍ରସାରିତ କରିବାର ସଂକଳ୍ପ ନେଇ ପ୍ରତିବର୍ଷ ନଭେମ୍ବର ମାସ ୧୦ ତାରିଖ ଦିନ ବିଶ୍ୱ ବିଜ୍ଞାନ ଦିବସ ପାଳନ କରାଯାଉଛି । ମିଳିତ ଜାତିସଂଘର ଶିକ୍ଷା, ବିଜ୍ଞାନ ଓ ସାଂସ୍କୃତିକ ସଂଗଠନ ‘ୟୁନେସ୍କୋ’ ପକ୍ଷରୁ ଉକ୍ତ ଦିବସ ପାଳନର ଆହ୍ୱାନ ଦିଆଯାଇଛି । ମିଳିତ ଜାତିସଂଘର ପ୍ରତିଷ୍ଠା ପରେ ୧୯୪୬ ମସିହା ନଭେମ୍ବର ମାସ ୪ ତାରିଖ ଦିନ ୟୁନେସ୍କୋ’ ପକ୍ଷରୁ ଉକ୍ତ ଦିବସ ପାଳନର ଆହ୍ୱାନ ଦିଆଯାଇଥିଲା । ମିଳିତ ଜାତିସଂଘର ପ୍ରତିଷ୍ଠା ପରେ ୧୯୪୬ ମସିହା ନଭେମ୍ବର ମାସ ୪ ତାରିଖ ଦିନ ୟୁନେସ୍କୋ ପ୍ରତିଷ୍ଠିିତ ହୋଇଥିଲା । ଏହାର ମୁଖ୍ୟ କାର୍ଯ୍ୟାଳୟ ଫ୍ରାନ୍‌ସର ରାଜଧାନୀ ପ୍ୟାରିସଠାରେ ଅବସ୍ଥିତ । ମନୁଷ୍ୟର ଦୈନନ୍ଦିନ ଜୀବନରେ ବିଜ୍ଞାନର ଆବଶ୍ୟକତା ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଉକ୍ତ ଦିବସ ପାଳନର ଆଭିମୁଖ୍ୟ । ସମଗ୍ର ବିଶ୍ୱରେ ପ୍ରଥମଥର ପାଇଁ ୨୦୦୨ ମସିହା ନଭେମ୍ବର ମାସ ଦଶ ତାରିଖ ଦିନ ଉକ୍ତ ଦିବସ ପାଳନ କରାଯାଇଥିଲା । ବିଶ୍ୱର ବିଭିନ୍ନ ରାଷ୍ଟ୍ରର ପ୍ରତିଷ୍ଠିତ ସରକାର, ବେସରକାରୀ ସଂଗଠନ, ବିଜ୍ଞାନ ଗବେଷଣା ପ୍ରତିଷ୍ଠାନ, ପେସାଦାର ସଂଘ, ପୌରପାଳିକା, ବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଓ ଗଣମାଧ୍ୟମମାନଙ୍କ ଦ୍ୱାରା ବିଶ୍ୱ ବିଜ୍ଞାନ ଦିବସ ପାଳନ କରାଯାଉଛି । ବିଶ୍ୱ ବିଜ୍ଞାନ ଦିବସର ମୁଖ୍ୟ ଆଭିମୁଖ୍ୟ ହେଉଛି ସମଗ୍ର ବିଶ୍ୱରେ ଶାନ୍ତିପୂର୍ଣ୍ଣ ଧରଣୀୟ ସମାଜ ପ୍ରତିଷ୍ଠା ଦିବରେ ବିଜ୍ଞାନର ଅବଦାନ ସମ୍ପର୍କରେ ଜନସଚେତନତା ସୁଦୃଢ଼ କରିବା । ଜାତୀୟ ଓ ଅନ୍ତର୍ଜାତୀୟ ଏକତା ପ୍ରତିଷ୍ଠା ନିମନ୍ତେ ବିଭିନ୍ନ ରାଷ୍ଟ୍ର ମଧ୍ୟରେ ବିଜ୍ଞାନର ଉପକାରିତାକୁ ଭାଗ କରିବା ମଧ୍ୟ ଏହାର ଉଦ୍ଦେଶ୍ୟ ।

      ସମାଜର କଲ୍ୟାଣ ଦିଗରେ ବିଜ୍ଞାନର ସଦ୍‌ବ୍ୟବହାର ନିମନ୍ତେ ଜାତୀୟ ଓ ଅନ୍ତର୍ଜାତୀୟ ଅଙ୍ଗୀକାରବଦ୍ଧତାର ନବୀକରଣ ଏହି ଦିବସର ତାତ୍ପର୍ଯ୍ୟ । ବିଜ୍ଞାନ କ୍ଷେତ୍ରରେ ସୃଷ୍ଟି ହୋଇଥିବା ବହୁବିଧ ଆହ୍ୱାନ ପ୍ରତି ବିଶ୍ୱ ସମୁଦାୟର ଦୃଷ୍ଟି ଆକର୍ଷଣ କରିବା ସହିତ ବିଜ୍ଞାନ ସମ୍ମତ କାର୍ଯ୍ୟଧାରାର ବିକାଶ ନିମନ୍ତେ ସହାୟତା ପ୍ରଦାନ କରିବା ଦିଗରେ ଏହି ଆୟୋଜନ ଦୃଷ୍ଟି ଦେଇଥାଏ । ଉକ୍ତ ଦିବସ ପାଳନର ଅନ୍ୟ ଏକ ଉଦ୍ଦେଶ୍ୟ ହେଉଛି ବିଜ୍ଞାନର ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ସମ୍ପର୍କରେ ଜନସଚେତନତା ବୃଦ୍ଧି କରିବା ସହିତ ସମାଜ ଓ ବିଜ୍ଞାନ ମଧ୍ୟରେ ରହିଥିବା ବ୍ୟବଧାନକୁ ସଂକୁଚିତ କରିବା ।

      ବିଶ୍ୱରେ ଦେଖାଦେଇଥିବା ବୈଜ୍ଞାନିକ ଅଗ୍ରଗତିରେ ଭାରତୀୟ ବୈଜ୍ଞାନିକମାନଙ୍କର ଅବଦାନ କିଛି କମ ନୁହେଁ । ବହୁ ପ୍ରାଚୀନ କାଳରୁ ଆରମ୍ଭ କରି ଆଧୁନିକ ଯୁଗରେ ମଧ୍ୟ ଭାରତୀୟ ବୈଜ୍ଞାନିକମାନେ ବିଜ୍ଞାନର ପ୍ରଗତିରେ ସେମାନଙ୍କର ବହୁମୂଲ୍ୟ ଅବଦାନ କିଛି କମ୍‌ ନୁହେଁ । ବହୁ ପ୍ରାଚୀନ କାଳରୁ ଆରମ୍ଭ କରି ଆଧୁନିକ ଯୁଗରେ ମଧ୍ୟ ଭାରତୀୟ ବୈଜ୍ଞାନିକମାନେ ବିଜ୍ଞାନର ପ୍ରଗତିରେ ସେମାନଙ୍କର ବହୁମୂଲ୍ୟ ଅବଦାନ ଯୋଗାଇ ଦେଇଛନ୍ତି । ବୁଦ୍ଧାୟନ, ଶୁଶ୍ରୁତ, ଚରକ, ନାଗାର୍ଜୁନ, ଆର୍ଯ୍ୟଭଟ୍ଟ, ବ୍ରହ୍ମଗୁପ୍ତଙ୍କଠାରୁ ଆରମ୍ଭ କରି ଜଗଦୀଶ ଚନ୍ଦ୍ର ବୋଷ, ବିଶ୍ୱେଶ୍ୱରାୟ, ଚନ୍ଦ୍ରଶେଖର ଭେଙ୍କଟରମଣ, ହୋମିଭାବା ଓ ଏପିଜେ ଅବଦୁଲ କାଲାମଙ୍କ ଭଳି ବିଜ୍ଞ ବୈଜ୍ଞାନିକମାନେ ଅନ୍ତର୍ଜାତୀୟ ସ୍ତରରେ ବିଜ୍ଞାନ କ୍ଷେତ୍ରରେ ବିଶେଷ ଖ୍ୟାତି ଅର୍ଜନ କରିଛନ୍ତି । ଭାରତରେ ପ୍ରତିବର୍ଷ ଫେବୃୟାରୀ ମାସ ୨୮ ତାରିଖ ଦିନ ଜାତୀୟ ବିଜ୍ଞାନ ଦିବସ ପାଳନ କରାଯାଉଛି । ଭାରତର ନୋବେଲ ପୁରସ୍କାରପ୍ରାପ୍ତ ପଦାର୍ଥବିଜ୍ଞାନୀ ସାର ଚନ୍ଦ୍ରଶେଖର ଭେଙ୍କଟରମଣ ଏହି ଦିନ ୧୯୨୮ ମସିହାରେ ରମଣ ପ୍ରଭାବର ଆବିଷ୍କାର କରିଥିଲେ । 

       ବିଶ୍ୱ ବିଜ୍ଞାନ ଦିବସ ପାଳନ ସମୟରେ ପ୍ରତିବର୍ଷ ବହୁବିଧ ମହତ୍ତ୍ୱପୂର୍ଣ୍ଣ  ପ୍ରସଙ୍ଗ ଉପରେ ପ୍ରାଧାନ୍ୟ ଦିଆଯାଇଥାଏ । ସମଗ୍ର ବିଶ୍ୱ ଉକ୍ରଟ ଜଳସଂକଟର ସମ୍ମୁଖୀନ ହେଉଥିବାବେଳେ ବିଗତ ୨୦୧୩ ମସିହାର ବିଷୟ ରଖାଯାଇଥିଲା - “ଜଳ ସହଯୋଗ ନିମନ୍ତେ ବିଜ୍ଞାନ - ତଥ୍ୟ, ଜ୍ଞାନ ଓ ନବପ୍ରବର୍ତ୍ତନର ଅଂଶୀଦାରିତା ।” ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ଦେଖାଦେଇଥିବା ଜଳସଂକଟର ସମାଧାନ ନିମନ୍ତେ ବିଜ୍ଞାନ, ପ୍ରଯୁକ୍ତି ଓ ନବପ୍ରବର୍ତ୍ତନର ବିଶେଷ ଭୂମିକା ରହିଛି । ଜଳ ସମ୍ବନ୍ଧିତ ତଥ୍ୟ ଓ ପରିସଂଖ୍ୟାନର ସଂଗ୍ରହ, ମୂଲ୍ୟାୟନ ଓ ତଦାରଖ ପାଇଁ ଆବଶ୍ୟକ ରହିଛି । ଜଳ ସମ୍ବନ୍ଧୀୟ ଆହ୍ୱାନର ସମ୍ମୁଖୀନ ହେବା ପାଇଁ ବିଜ୍ଞାନଭିତ୍ତିକ ତଥ୍ୟ, ଜ୍ଞାନ ଓ ନବପ୍ରବର୍ତ୍ତନର ପରସ୍ପର ଅଂଶୀଦାରିତା ଏକାନ୍ତ ଜରୁରି । ୨୦୧୪ ମସିହାର ବିଷୟବସ୍ତୁ ରହିଥିଲା - “ଗୁଣବତ୍ତା ବିଜ୍ଞାନ ଶିକ୍ଷା ସମସ୍ତଙ୍କ ନିମନ୍ତେ ଧାରଣୀୟ ଭବିଷ୍ୟତ ସୁନିଶ୍ଚିତ କରିବା ।” ମାନବଜାତିର କଲ୍ୟାଣ ଦିଗରେ ବିଜ୍ଞାନର ସଦ୍‌ବ୍ୟବହାର ସୁନିଶ୍ଚିତ କରିବା ନିମନ୍ତେ ଗୁଣବତ୍ତା ବିଜ୍ଞାନ ଶିକ୍ଷାର ଆବଶ୍ୟକତା ଦେଖାଦେଇଛି । ଆଜିର ମଣିଷ ଜୈବବିବିଧତା ଓ ପରିବେଶ ସୁରକ୍ଷା ଦିଗରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ ନକଲେ ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱତାପନର କୁପ୍ରଭାବରେ ପରିବେଶ ଧ୍ୱଂସାଭିମୁଖୀ ହେବାକୁ ଯାଉଛି । ଉନ୍ନତମାନର ବିଜ୍ଞାନ ଶିକ୍ଷା ବିଜ୍ଞାନର ସଦ୍‌ବିନିଯୋଗ ନିମନ୍ତେ ଆବଶ୍ୟକ ବାତାବରଣ ସୃଷ୍ଟି କରିପାରିବ ।


      ୨୦୧୫ ମସିହାର ପ୍ରସଙ୍ଗ ରହିଥିଲା - “ନିରବଚ୍ଛିନ୍ନ ଭବିଷ୍ୟତ ନିମନ୍ତେ ବିଜ୍ଞାନର ଏକ ମାନବିକ ଅଧିକାର ।” ବିଗତ ୨୦୨୦ ମସିହାର ଆଲୋଚ୍ୟ ପ୍ରସଙ୍ଗ ରଖାଯାଇଥିଲା - “ବିଜ୍ଞାନ - ସମାଜ ସହିତ ଓ ସମାଜ ପାଇଁ ।”  ଯେତେବେଳେ ସମଗ୍ର ବିଶ୍ୱ କୋଭିଡ଼ ମହାମାରୀର ସମ୍ମୁଖୀନ ହୋଇଥିଲା ସେତେବେଳେ ମହାମାରୀର ମୁକାବିଲା ନିମନ୍ତେ ଚିକିତ୍ସା ବିଜ୍ଞାନର ଗବେଷଣା ଓ ଅନୁସନ୍ଧାନକୁ ସମଗ୍ର ମାନବ ସମାଜ ଚାହିଁରହିଥିଲା । ଖୁବ୍‌ କମ୍‌ ସମୟ ମଧ୍ୟରେ ମହାମାରୀର ବିଲୋପ ସାଧନ ନିମନ୍ତେ ଟିକାର ଉଦ୍‌ଭାବନ ନିଶ୍ଚିତ ଭାବେ ଏକ ବଡ଼ ବୈଜ୍ଞାନିକ ସଫଳତା ଥିଲା । ଚଳିତ ବର୍ଷ ୨୦୨୫ର ପ୍ରସଙ୍ଗ ରହିଛି ‘ବିଶ୍ୱାସ, ରୂପାନ୍ତରଣ ଓ ଆସନ୍ତାକାଲି: ୨୦୫୦ ସକାଶେ ଆମେ ଆବଶ୍ୟକ କରୁଥିବା ବିଜ୍ଞାନ ’ ।

    ବିଶ୍ୱବିଖ୍ୟାତ ବୈଜ୍ଞାନିକ ଆଲବର୍ଟ ଆଇନ୍‌ଷ୍ଟାଇନ୍‌ ଗାଲିଲିଓଙ୍କୁ ଆଧୁନିକ ବିଜ୍ଞାନର ଜନକ ଭାବେ ବର୍ଣ୍ଣନା କରିଥିଲେ । ଗାଲିଲିଓ ଥିଲେ ସପ୍ତଦଶ ଶତାବ୍ଦୀର ଜଣେ ଶ୍ରେଷ୍ଠ ବୈଜ୍ଞାନିକ ଓ ଗ୍ରହବିଜ୍ଞାନ ବିଶାରଦ । ବିଶ୍ୱ ମାନବିକତାର ପ୍ରତୀପ ମହାତ୍ମା ଗାନ୍ଧିଙ୍କ ରାଷ୍ଟ୍ରରେ ‘ମାନବିକତା ବିନା ବିଜ୍ଞାନ ଓ ଚରିତ୍ର ବିନା ଜ୍ଞାନ’ ସମାଜର ଧ୍ୱଂସ ସାଧନ କରେ । ବୈଜ୍ଞାନିକ ଅଗ୍ରଗତିର ଅସଦବ୍ୟବହାର ଆଧୁନିକ ମାନବ ସଭ୍ୟତାକୁ ଖୁବ୍‌ କମ୍‌ ସମୟ ମଧ୍ୟରେ ଧ୍ୱଂସ କରି ଦେଇପାରିବ । ତେଣୁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ସଦ୍‌ବିନିଯୋଗ ଆଜି ବିଶ୍ୱବାସୀଙ୍କ ସମ୍ମୁଖରେ ସବୁଠାରୁ ବଡ଼ ଆହ୍ୱାନ ।

ଶାନ୍ତିବଜାର, ଧର୍ମଶାଳା, ଜି-ଯାଜପୁର