ପାକିସ୍ତାନର ସବୁଠୁ ବଳିଷ୍ଠ ଅସ୍ତ୍ର ଲୋପ ପାଇଲା
ମହାମେଘବାହନ ଐର ଖାରବେଳ ସ୍ୱାଇଁ : ଗୋଟିଏ ସମୟ ଥିଲା ଯେତେବେଳେ କି ପାକିସ୍ତାନ ଓ ଅଫଗାନିସ୍ତାନର ତାଲିବାନକୁ ଅଲଗା ବୋଲି କେହି କହୁନଥିଲେ । ଯେତେବେଳେ ଓସାମା ବିନ୍ ଲାଦେନର ଆମେରିକାର ନ୍ୟୁୟର୍କ ଉପରେ ଆକ୍ରମଣ ପରେ ଅଫଗାନିସ୍ତାନରେ ଆମେରିକାର ସୈନ୍ୟମାନେ ପ୍ରବେଶ କରିଥିଲେ ଓ ଦୀର୍ଘ ଏକ ଦଶନ୍ଧିରୁ ଅଧିକ ଧରି ସେଠାରେ ରହିଥିଲେ ସେତେବେଳେ ଆଶା କରାଯାଉଥିଲା ଆମେରିକା ଭଳି ଏକ ଶକ୍ତିଶାଳୀ ଦେଶର ପ୍ରଭାବରେ ଅପଗାନିସ୍ତାନ ଏକ ପ୍ରକାର ସମାପ୍ତ ହୋଇଯିବ । କିନ୍ତୁ ତାହା ହେଲାନାହିଁ । ଦୀର୍ଘ ଏକ ଦଶନ୍ଧି ଧରି ସେଠାରେ ଯୁଦ୍ଧ କଲା ପରେ ଆମେରିକାକୁ ପରାସ୍ତ ହୋଇ ଫେରିଆସିବାକୁ ପଡ଼ିଲା । ଏହାର ମୁଖ୍ୟ କାରଣ ଥିଲା ଯେଉଁ ପାକିସ୍ତାନ ଉପରେ ନିର୍ଭର କରି ଆମେରିକା ଅଫଗାନିସ୍ତାନ ଉପରେ ଆକ୍ରମଣ କରିଥିଲା ସେହି ଅଫଗାନିସ୍ତାନକୁ ପାକିସ୍ତାନ ସମ୍ପୂର୍ଣ୍ଣ ଭାବରେ ସମର୍ଥନ କରିଥିଲା । ଅଫଗାନିସ୍ତାନକୁ ରସଦପତ୍ର ଓ ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର ନେବାକୁ ହେଲେ ପାକିସ୍ତାନ ମଧ୍ୟ ଦେଇ ଯିବାକୁ ପଡୁଥିଲା ଏବଂ ପାକିସ୍ତାନରୁ ଏହି ଗାଡ଼ିଗୁଡ଼ିକ କିପରି ନ ଯାଇପାରିବ ସେଥିପାଇଁ ତା’ର ଯେତେ ପ୍ରକାର କ୍ଷତି କରାଯାଇପାରେ ତାହା କରାଯାଉଥିଲା । ଏହାଛଡ଼ା ପାକିସ୍ତାନରେ ମଧ୍ୟ ତେହେରିକ-ଇ-ତାଲିବାନ ପାକିସ୍ତାନ ନାମକ ସଂଗଠନ ସବୁବେଳେ ଆମେରିକା ସୈନ୍ୟମାନଙ୍କ ଉପରେ ଓ ଆମେରିକାର ଦ୍ରବ୍ୟମାନଙ୍କ ଉପରେ ନାନା ପ୍ରକାର ଆକ୍ରମଣ କରୁଥିଲା । ଏହା ହେଉଛି ମୁଖ୍ୟ କାରଣ ପାକିସ୍ତାନ ଓ ଅଫଗାନିସ୍ତାନ ଘନିଷ୍ଠ ଦେଶ ଥିଲେ ଏବଂ ତା’ର ଯଦିଓ ଏକ ଡୁରାଣ୍ଡ ସୀମାରେଖା ଥିଲା ସେ ସୀମାରେଖାକୁ କେହି ସ୍ୱୀକାର କରୁନଥିଲେ । ଉଭୟ ଦେଶ ମଧ୍ୟରେ ଯିବା ଆସିବା ଲାଗିଥିଲା । କିନ୍ତୁ ତା’ପରେ ୨୦୨୧ରେ ଆମେରିକାର ସୈନ୍ୟ ସେ ଦେଶ ଛାଡ଼ି ଚାଲି ଯିବାରୁ ତାଲିବାନ ସେ ଦେଶର କ୍ଷମତାକୁ ଅକ୍ତିଆର କରିନେଲା ଏବଂ ଏହି ତାଲିବାନର କ୍ଷମତା ଦଖଲକୁ ପାକିସ୍ତାନ ସମ୍ପୂର୍ଣ୍ଣ ଭାବରେ ସମର୍ଥନ କରୁଥିଲା । ସେତେବେଳେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଘୋଷଣା କରିଥିଲେ ଯେ, ଅଫଗାନିସ୍ତାନ ତା’ର ଦାସତ୍ୱର ଶିକୁଳିକୁ ଭାଙ୍ଗି ଦେଇଛି ।
୨୦ ବର୍ଷ ଧରି ପାକିସ୍ତାନ ତାଲିବାନକୁ ସମ୍ପୂର୍ଣ୍ଣ ଭାବରେ ପୃଷ୍ଠପୋଷିତ କରୁଥିଲା । ପାକିସ୍ତାନ ଚାହୁଁଥିଲା ତାଲିବାନ ପାକିସ୍ତାନର ତିନୋଟି ସୁରକ୍ଷା କବଚକୁ ରକ୍ଷା କରିବ । ସେମାନେ ଭାରତର ଯେଉଁମାନେ କାବୁଲରେ ଥିଲେ ତାଙ୍କୁ ହଟାଇବ ଏବଂ ସେମାନେ ଡୁରାଣ୍ଡ ସୀମାରେଖାକୁ ଆଉଥରେ ସମର୍ଥନ କରିବେ । ସେମାନେ ପାକିସ୍ତାନରେ ଯେଉଁ ତେହେରିକ-ଇ-ତାଲିବାନ ପାକିସ୍ତାନ ସଂଗଠନ ଥିଲା ତାକୁ ମଧ୍ୟ ରକ୍ଷା କରିବେ । ୪ ବର୍ଷ ହେଲା ପାକିସ୍ତାନର କୌଣସି ଲକ୍ଷ୍ୟ ପୂରଣ ହୋଇନାହିଁ । ଯେଉଁମାନେ ପାକିସ୍ତାନର ତେହେରିକ-ଇ-ତାଲିବାନ ପାକିସ୍ତାନ ଆତଙ୍କବାଦୀ ସଂଗଠନ ଥିଲେ ସେମାନେ କେବଳ ପାକିସ୍ତାନରେ ନୁହେଁ ଅଫଗାନିସ୍ତାନରେ ମଧ୍ୟ ପଶି ଓ ଅଫଗାନିସ୍ତାନର ତାଲିବାନ ସାଙ୍ଗରେ ମିଶି ପାକିସ୍ତାନ ସେନା ଉପରେ ଓଲଟି ଆକ୍ରମଣ କଲେ । ବର୍ତ୍ତମାନ ଦେଖାଯାଉଛି ଯେଉଁ ଦୂତାବାସ ଦୁଇଟି ଦେଶରେ ରହିଛି ସେମାନଙ୍କ ମଧ୍ୟରେ ତିକ୍ତତା କ୍ରମଶଃ ବଢ଼ିବାରେ ଲାଗିଛି ଏବଂ ଏହି ଦୁଇଟି ଦେଶର ଦୂତାବାସମାନେ କେବେହେଲେ ଅଧିକ ସମ୍ପର୍କ ନିଜ ଭିତରେ ରଖୁନାହାନ୍ତି । ଅଫଗାନିସ୍ତାନର ବିଦେଶ ମନ୍ତ୍ରୀ ଆଶ୍ଚର୍ଯ୍ୟ ଜନକ ଭାବରେ ଇତିମଧ୍ୟରେ ଦିଲ୍ଲୀ ଗସ୍ତ କରି ଭାରତ ସହ ସମ୍ପର୍କ ବୃଦ୍ଧି କରୁଛନ୍ତି ।
ତାଲିବାନ ପୂର୍ବତନ ଅଫଗାନ ସରକାର ପରି ବର୍ତ୍ତମାନ ପାକିସ୍ତାନ ସହ ଥିବା ଡୁରାଣ୍ଡ ସୀମାରେଖାକୁ ସ୍ୱୀକାର କରୁନାହିଁ । ସେଥିପାଇଁ ଏଠାରେ ଯେଉଁ ବାଡ଼ଗୁଡ଼ିକ ଘେରାଯାଇଛି ତାକୁ ମଧ୍ୟ ଅଫଗାନିସ୍ତାନ ମାନିବାକୁ ରାଜିନୁହେଁ । ଇସଲାମାବାଦର ସବୁ ପ୍ରକାର ଅନୁରୋଧ ସତ୍ତେ୍ୱ ଅଫଗାନିସ୍ତାନ ତାଙ୍କ ଦେଶରେ ଥିବା ତେହେରିକ-ଇ-ତାଲିବାନ ପାକିସ୍ତାନକୁ ନିୟନ୍ତ୍ରଣ କରିବାକୁ ରାଜି ନୁହନ୍ତି ବା ନିଜ ଦେଶରୁ ସେମାନଙ୍କୁ କାଢ଼ି ଦେବାକୁ ରାଜି ନୁହନ୍ତି । ଏଠାରେ ଏହିସବୁ ଗୋଷ୍ଠୀମାନେ ନୂଆ ନୂଆ ଆକ୍ରମଣ ସବୁ କରିଛନ୍ତି ପାକିସ୍ତାନ ମଧ୍ୟରେ ପଶି । ଏହା ଫଳରେ ପାକିସ୍ତାନର ସେନା ବହୁତ ଗୁଡ଼ିଏ କ୍ଷତିରେ ପଡ଼ିଛି ଏବଂ ପାକିସ୍ତାନର ହତାଶା ବହୁ ପରିମାଣରେ ବଢ଼ିଛି । ଯଦିଓ ଗୋଟିଏ ସମୟ ଥିଲା ଯେତେବେଳେ କି ଭାରତରୁ ବିଭିନ୍ନ ଉଡ଼ାଜାହାଜକୁ ଅଫଗାନିସ୍ତାନକୁ ଅପହରଣ କରି ନିଆଯାଇଥିଲା ଏବଂ ତାଲିବାନ ତାକୁ ସମର୍ଥନ କରିଥିଲା ବର୍ତ୍ତମାନ ସେ କଥା ସମ୍ପୂର୍ଣ୍ଣ ଭାବରେ ଓଲଟି ଯାଇଛି । ଅନେକ ଦେଖୁଛନ୍ତି ଯେ, ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ମଧ୍ୟ ଉଭୟ ପକ୍ଷକୁ ଏ ସମ୍ପର୍କରେ ନିୟନ୍ତ୍ରଣ ରଖିବା ପାଇଁ କହୁଛନ୍ତି । କିନ୍ତୁ ଏଥିପାଇଁ ତାଲିବାନ ଏ ପର୍ଯ୍ୟନ୍ତ ସେ କଥାକୁ ସହମତି ପ୍ରକଟ କରୁନାହିଁ ।
ଆହୁରି ମଧ୍ୟ ଦେଖାଯାଉଛି ପାକିସ୍ତାନ ବାଧ୍ୟବାଧକତାର ସହିତ ଶହ ଶହ, ହଜାର ହଜାର ଅଫଗାନିସ୍ତାନ ଶରଣାର୍ଥୀମାନଙ୍କୁ ଯେଉଁମାନେ ପାକିିସ୍ତାନରେ ଅଛନ୍ତି ତାଙ୍କୁ ଫେରାଇନେବାକୁ ଚାହୁଁନାହିଁ । ଯେଉଁମାନଙ୍କୁ ଫେରାଇ ନେବାକୁ ଚେଷ୍ଟା କରାଯାଉଛି ସେମାନେ ତୀବ୍ର ବେଗରେ ଆକ୍ରମଣ କରୁଛନ୍ତି ପାକିସ୍ତାନର ସୈନ୍ୟମାନଙ୍କୁ ଓ ପୋଲିସମାନଙ୍କୁ । ୨୬୦୦ କିଲୋମିଟର ଦୁଇ ଦେଶ ମଧ୍ୟରେ ସୀମା ରହୁଛି । ଅନେକ ସୈନ୍ୟ ଦୁଇ ଦେଶ ମଧ୍ୟରେ ଯୁଦ୍ଧରେ ମୃତାହତ ହେଲେଣି । ଏହାକୁ କୁହାଯାଏ ପ୍ରତ୍ୟକ୍ଷ ହତ୍ୟା । ଏହି ଧରଣର ଲଢେ଼ଇ ପ୍ରମାଣିତ କରୁଛି ଯେ କେଉଁ ସ୍ତର ପର୍ଯ୍ୟନ୍ତ ଦୁଇ ଦେଶର ସମ୍ପର୍କ ତିକ୍ତ ହେଲାଣି । ଏଥିରେ ନାନା ପ୍ରକାର କ୍ଷତି ହେଉଛି ଏବଂ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅତି ତିକ୍ତ ହେଉଛି ଯାହାକୁ ଡୁରାଣ୍ଡ ଲାଇନ୍ ସମାଧାନ କରୁନାହିଁ ।
୧୮୯୩ ମସିହାରେ ପାକିସ୍ତାନ ଓ ଅଫଗାନିସ୍ତାନ ମଧ୍ୟରେ ଏହି ଡୁରାଣ୍ଡ ଲାଇନ୍ ଇଂରେଜମାନଙ୍କ ଦ୍ୱାରା ଟଣା ହୋଇଥିଲା । ତାଲିବାନଠାରୁ ଆରମ୍ଭ କରି ଅଫଗାନିସ୍ତାନର ନାନା ପ୍ରକାର ସରକାରମାନେ ଏହି ସୀମାରେଖାକୁ ସ୍ୱୀକାର କରିବାକୁ ରାଜି ନୁହନ୍ତି । ଖାଇବରପାଖତୁନଖ୍ୱା ପାକିସ୍ତାନର ଗୋଟିଏ ପ୍ରଦେଶ ହୋଇଥିଲେ ହେଁ ଓ ସେଠାରେ ତାଲିବାନମାନଙ୍କର ପ୍ରଭାବ ଅଛି କାରଣ ସେଠାରେ ଅନେକ ପରିମାଣରେ ପସ୍ତୁନ ଲୋକମାନେ ବସବାସ କରନ୍ତି । ସେମାନଙ୍କ ମଧ୍ୟରେ ପସ୍ତୁନମାନେ ଅଫଗାନିସ୍ତାନରେ ମିଶନ୍ତୁ ବୋଲି ଚାହାନ୍ତି । କିନ୍ତୁ ପାକିସ୍ତାନ ରାଜି ନୁହେଁ ତା’ ଅଞ୍ଚଳରେ ଥିବା ପସ୍ତୁନମାନେ ଅଫଗାନିସ୍ତାନକୁ ଯାଆନ୍ତୁ ବୋଲି । ବର୍ତ୍ତମାନ ଯେଉଁ ଧରଣର ବିବାଦ ସେଠାରେ ଚାଲିଛି ଏବଂ ସେଥିରେ ତେହେରିକ-ଇ-ତାଲିବାନ ପାକିସ୍ତାନ (ଟିଟିପି) ଯେପରି କାର୍ଯ୍ୟ କରୁଛି ତାହା ପସ୍ତୁନମାନଙ୍କୁ ସମର୍ଥନ କରୁଛି ଏବଂ ପସ୍ତୁନମାନେ ଯେମିତି ସମସ୍ତେ ଅଫଗାନିସ୍ତାନରେ ରହିବେ ସେଥିପାଇଁ ଚେଷ୍ଟା କରୁଛି । କାରଣ ଇସଲାମବାଦ ନିକଟରେ ଥିବା ଲାଲ ମସ୍ଜିଦରେ ଅନେକଗୁଡ଼ିଏ ଛାତ୍ର ଅଛନ୍ତି ଯେଉଁମାନେ ଲଢେ଼ଇରେ ଅତୀତରେ ପ୍ରାଣ ହରାଇଛନ୍ତି । ସେମାନେ ପାକିସ୍ତାନ ସେନା ବିରୁଦ୍ଧରେ ଲଢ଼ିଛନ୍ତି । ଏହା ପ୍ରମାଣିତ କରୁଛି ଯେ, ଯେଉଁ ଜନଜାତିର ଲୋକମାନେ ସେ ଅଞ୍ଚଳରେ ଅଛନ୍ତି ସେମାନେ ପାକିିସ୍ତାନର ଘୋର ବିରୋଧୀ । ସେମାନେ ଅଫଗାନ ସାଙ୍ଗରେ ମିଶି ରହିବାକୁ ଚାହାନ୍ତି । ଅନେକ ବର୍ଷ ହେଲା ସାମରିକ କାର୍ଯ୍ୟକଳାପ ଚାଲୁଥିବାରୁ ପାକିସ୍ତାନ ସୈନ୍ୟ ଏ ପର୍ଯ୍ୟନ୍ତ ତେହେରିକ-ଇ-ତାଲିବାନ ପାକିସ୍ତାନକୁ ମଧ୍ୟ ନିୟନ୍ତ୍ରଣ ଏ ପର୍ଯ୍ୟନ୍ତ କରିନାହାନ୍ତି ବରଂ ଅନ୍ୟ ପକ୍ଷରେ ତାଲିବାନ କ୍ଷମତାକୁ ଆସିଛି । ଏହା ମଧ୍ୟରେ ଭାରତ ସହ ଆହୁରି ଅଧିକ ସମ୍ପର୍କ ତାଲିବାନ ଚାହୁଁଛି । ଇତିମଧ୍ୟରେ ତାଲିବାନର ବିଦେଶ ମନ୍ତ୍ରୀ ଅମୀର ଖାଁ ମୁତାକ୍ୱି ଦିଲ୍ଲୀ ଆସିଛନ୍ତି ଏବଂ ତାଙ୍କର ବଡ଼ ଗୁରୁତ୍ୱପୂର୍ଣ୍ଣ କଥା ହେଲା ତାଙ୍କର ଭାରତ ସହିତ ସମ୍ପର୍କ ପାଇଁ ଚେଷ୍ଟା ଚଳାଇଛନ୍ତି । ପାକିସ୍ତାନ ପାଇଁ ତାଲିବାନର ପ୍ରତିନିଧିମଣ୍ଡଳ ଯାହାକି ଭାରତକୁ ଆସୁଛି ତାକୁ ସ୍ୱାଗତ କରାଯାଉଛି । କିନ୍ତୁ ସୀମା ଅଞ୍ଚଳରେ ପାକିସ୍ତାନ-ଅଫଗାନିସ୍ତାନ ମଧ୍ୟରେ ବିବାଦ ଥିବାରୁ ଏବଂ ଅଫଗାନିସ୍ତାନରୁ ଆତଙ୍କବାଦୀମାନେ ଆସି ପାକିସ୍ତାନରେ ହତ୍ୟା କରି ଅଫଗାନିସ୍ତାନକୁ ଫେରିଯାଉଥିଲା ବେଳେ ପାକିସ୍ତାନ ଅଫଗାନିସ୍ତାନ ଅଞ୍ଚଳରେ ବୋମାମାଡ଼ କରି ସେଠାରେ ବହୁ ଲୋକଙ୍କୁ ହତ୍ୟା କଲାଣି । ଇତିମଧ୍ୟରେ ମୁତାକି କହିଛନ୍ତି ଭାରତ ହେଉଛି ତାଙ୍କର ଗୋଟିଏ ଘନିଷ୍ଠ ବନ୍ଧୁ ଏବଂ ଜାମ୍ମୁ-କାଶ୍ମୀର ଭାରତର ଗୋଟିଏ ଅଂଶ । ଅଫଗାନିସ୍ତାନର ଏହିଭଳି ମନ୍ତବ୍ୟ ପାକିସ୍ତାନକୁ ଏକ ପ୍ରକାର ପାଗଳ କରିଦେଇଛି କହିଲେ ଚଳେ । ଇତିମଧ୍ୟରେ କ୍ୱାତାର ତରଫରୁ ମଧ୍ୟସ୍ଥତା କରି ଅଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ମିଳାମିଶା କରିବା ପାଇଁ ଚେଷ୍ଟା କରାଯାଉଛି । ଏହି ଡୁରାଣ୍ଡ ସୀମାରେଖାକୁ ନେଇ ଅଫଗାନିସ୍ତାନ କହୁଛି ଯେ, କ୍ୱାତାର ପରି ଦେଶମାନେ ଏହାର ସମାଧାନ କରିବା ଉଚିତ । ସେଥିପାଇଁ ଅନ୍ୟ ପ୍ରକାର ନୀତିମାନ ଗ୍ରହଣ କରାଯିବ ବୋଲି କୁହାଯାଉଛି । କ୍ୱାତାର ଦ୍ୱାରା ଯେଉଁ ନୂଆ ପ୍ରକାରର ଯୁଦ୍ଧବିରତି ଘୋଷଣା କରାଯାଉଛି ତାହା ନିଶ୍ଚିତ ଭାବରେ ସେମାନଙ୍କ ମଧ୍ୟରେ ସମାଧାନ କରିପାରିବ । ସେମାନଙ୍କ ମଧ୍ୟରେ ଯେଉଁ ସୀମା ଅଛି ସେହି ସୀମାଗୁଡ଼ିକକୁ ମଧ୍ୟ ଠିକ୍ କରାଯାଇପାରିବ ବୋଲି କୁହାଯାଉଛି । ଅଫଗାନିସ୍ତାନ ପକ୍ଷ ଯାହା କହୁଛି ତାହା ଉପରେ କୌଣସି ପ୍ରକାର ନିଷ୍ପତ୍ତି ଘୋଷଣା କରାଯାଇନାହିଁ ଡୁରାଣ୍ଡ ସୀମାରେଖାକୁ ପୁରାପୁରି ଭାବରେ ଗ୍ରହଣ କରାଯାଇନାହିଁ ।
ଇତିମଧ୍ୟରେ ତୁର୍କୀଏ ମଧ୍ୟ ଦୁଇ ପକ୍ଷ ମଧ୍ୟରେ ସ୍ଥାୟୀ ଶାନ୍ତି ସୃଷ୍ଟି ପାଇଁ ଚେଷ୍ଟା କରୁଛି । ଏଥିପାଇଁ ଆଉ ଗୋଟିଏ ସମୟର ହିଂସାକୁ ଏଠାରେ ଗଢ଼ାଯାଉଛି । ଏହା ଦେଖାଯାଉଛି ଯେ, ହିଂସା ଦୁଇ ଦେଶ ମଧ୍ୟରେ କ୍ରମଶଃ ବଢ଼ିଚାଲିଛି । ପାକିିସ୍ତାନ ସହଜରେ କାବୁଲର ସାର୍ବଭୌମତ୍ୱକୁ ଗ୍ରହଣ କରୁନାହିଁ । ପାକିସ୍ତାନର ଧାରଣା ଅଫଗାନିସ୍ତାନ ହେଉଛି ତା’ର ଏକ କରଦ ରାଜ୍ୟ ଏବଂ ତା’ର କ୍ଷତିକୁ ସେ ସହ୍ୟ କରିବାକୁ ଚାହୁଁଛି । ଯେତେବେଳେ ପାକିସ୍ତାନ ଭାବୁଛି ଯେ, ଅଫଗାନିସ୍ତାନ ହେଉଛି ପ୍ରଥମ ଦେଶ ଏବଂ ପ୍ରମୁଖ ଦେଶ ଯେଉଁ ଦେଶ ତାକୁ ସବୁବେଳେ ସାହାଯ୍ୟ କରିବ । ପାକିସ୍ତାନ ଯଦିଓ ରକ୍ଷା କରିବାକୁ ଚାହୁଁଛି ତାଲିବାନ ତା’ ନିଜର ପସ୍ତୁନ ରାଷ୍ଟ୍ରବାଦକୁ ନେଇ କାମରେ ଲାଗିଛି ଏବଂ ସେ ପାକିସ୍ତାନକୁ ଗ୍ରହଣ କରିବାକୁ ଏତେ ସହଜରେ ରାଜିନୁହଁ । ସଂକ୍ଷେପରେ କହିବାକୁ ଗଲେ ପାକିସ୍ତାନର ଅଫଗାନିସ୍ତାନ ପ୍ରତି ନୀତି ଏକ ପ୍ରକାର ଧ୍ୱଂସ ହୋଇଗଲାଣି କହିଲେ ଚଳେ । ଅଫଗାନିିସ୍ତାନକୁ ସମ୍ପୂର୍ଣ୍ଣ ଭାବରେ କବଳିତ କରି ରଖିବା ପାଇଁ ପାକିସ୍ତାନ ନିଜକୁ ନିଜେ ନଷ୍ଟ କରିବାକୁ ଚାହୁଁଛି । ଏବେ ଦୁଇ ଦେଶ ମଧ୍ୟରେ ନିଅାଁ ଲାଗିଛି । ଇତିହାସ କହୁଛି ଗୋଟିଏ ଛୋଟ କଥା, ଦେଶମାନେ ଉଗ୍ରବାଦକୁ ସମର୍ଥନ କରନ୍ତି । ପ୍ରତ୍ୟେକ କଥାରେ ସେମାନେ ଏହି କଥାକୁ ଗ୍ରହଣ କରନ୍ତି । ପାକିସ୍ତାନ ଏହି ଅବସ୍ଥାରେ ଆଜି ଆସି ପହଞ୍ôଚଛି ।
e-mail : kharabelaswain@gmail.com
ମୋ -୯୪୩୭୦୨୦୨୯୦