ସେକାଳ ପଖାଳ ଓ ଏକାଳ ଚାଷ

ଅଜୟ କୁମାର ବେହେରା : ସମସ୍ୟା ବର୍ତ୍ତମାନ ବହୁଲୋକଙ୍କର ଡାଇବେଟିସ ବହୁମୁତ୍ର ରୋଗ, ଡାକ୍ତରମାନେ ଏ ପାଇଁ ଔଷଧ, ଇଞ୍ଜେକ୍ସନ ବ୍ୟବସ୍ଥା ଏପରି ଖଞ୍ଜି ରଖିଛନ୍ତି ଯାହା ବ୍ୟକ୍ତିର ଏକ ସ୍ୱାସ୍ଥ୍ୟ ପାଇଁ ଆତଙ୍କରେ ଆସିଯାଇଛି । ମେଡ଼ିସିନ ଡାକ୍ତର ଔଷଧ ଦୋକାନ, ରକ୍ତପରୀକ୍ଷାଦିକାରୀ ରସାୟନ ଶାଳା, ଏବେ ଭଲ ରୋଜଗାରରେ ରହିଲେଣି । ପ୍ରତ୍ୟେକ ପରିବାରରେ ବହୁ ପରିବାର ସଦସ୍ୟ ଏ ରୋଗ ଭୋଗିଲେଣି । ଡାକ୍ତର ପରାମର୍ଶରେ ରୋଗୀଙ୍କୁ କହୁଛନ୍ତି ଭାତ ନଖାଇ ରୁଟି ଖାଅ । ରୁଟି ଗହମରୁ ପ୍ରସ୍ତୁତ । ଆମ ଓଡ଼ିଶାରେ ଗହମ ଚାଷ ବେଶୀ ଦୃଷ୍ଟିଗୋଚର ହେଉନାହିଁ । ଅନ୍ୟ ରାଜ୍ୟ ଓ ବାହାର ଦେଶରୁ ଏହା ଆମଦାନୀ ହୋଇ ଆସୁଛି ଅଥଚ ଆବହମାନ କାଳରୁ ଲୋକେ ଭାତ ଉପରେ ନିର୍ଭର କରି ଜୀବନ କାଟୁଥିଲେ ଖାଦ୍ୟ ମୂଳ ଉତ୍ସ ହିଁ ଚାଉଳର ଭାତ ।
ପୂର୍ବେ ଭାତରନ୍ଧାର ପ୍ରଣାଳୀ ଏବେ ବିଲୁପ୍ତ । ରନ୍ଧନ ପାଇଁ ରନ୍ଧନ ପାତ୍ର ବି ଦୁର୍ଲ୍ଲଭ । ରନ୍ଧନ ପାଇଁ ଉଦ୍ଭିଦ ଅଙ୍ଗ କାଠ ପତ୍ର ଜାଳେଣି ହେଉଥିଲା । ମାଟିର ହାଣ୍ଡି ମାଟିର ତିନି ଝିଙ୍କା ଚୁଲି ଏକ କେବେ ଦେଖିବାକୁ ମିଳୁନାହିଁ । କାଠ ଇନ୍ଧନ କାହାଘରେ ଜଳୁଛି ଏକଥା ଖୋଜ କଲେ ବୁଝାଯିବ ଜଙ୍ଗଲ ଅଞ୍ଚଳ ଆଦିବାସୀ ଅଞ୍ଚଳରେ ଏହା ଦୃଶ୍ୟ ହୋଇପାରେ । ଆମ ରାଜ୍ୟର ଶ୍ରୀଜଗନ୍ନାଥ ମନ୍ଦିରର ରୋଷଶାଳାରେ କାଠଜାଳ ମାଟି କୁଡ଼ୁଆ ହାଣ୍ଡିର ରୋଷେଇ ଦେଖିବାକୁ ମିଳୁଛି । ଧାନରୁ ଚାଉଳ, ବାହାରିଲେ ବି ଚାଉଳ ପ୍ରକୃତରେ ତିନି ପ୍ରକାର ହୁଏ । ସୂର୍ଯ୍ୟତାପ ଧାନ କୁଟାଯାଇ ଅରୁଆ ଚାଉଳ, ଏହାକୁ ପାଶ୍ୱର୍ ବଙ୍ଗ ରାଜ୍ୟରେ କହନ୍ତି ଆତପଚାଲ ଓଡ଼ିଆରେ ଅରୁଆ ଚାଉଳ । ଏହା ଶୁଦ୍ଧ ସାତ୍ତ୍ୱିକ ଭୋଜନରେ ପିଠାପଣା ପିଠୋଉ ମୁରୁଜରେ ଲାଗେ । ଆଉ ଏକ ଚାଉଳ ଗରମ ପାଣିରେ ପଡ଼ି ଅର୍ଦ୍ଧ ସିଦ୍ଧ ହୋଇ ଚାଉଳ କରାଯାଏ ଯାହା ଉଆ ଚାଉଳ ଭିନ୍ନ ପ୍ରକାର ଉଷୁନା ଚାଉଳ ଧାନକୁ ଜଳ ଦେଇ ବା ବାମ୍ଫିରେ ସିଝାଇ ତାକୁ ସୂର୍ଯ୍ୟ କିରଣ ଓ ବାୟୁରେ ଶୁଷ୍କକରି ତାକୁ କୁଟି ଉଷୁନା ଚାଉଳ କରାଯାଏ । ଏସବୁ ଚାଉଳ ପାଇଁ ଏକ ଏକ ବିହିତ ପ୍ରଣାଳୀ ଗତାନୁଗତ ଭାବରେ ଶିକ୍ଷାକରି ଭୋଜନରେ ପ୍ରୟୋଗ କରୁଛନ୍ତି । ରୋଷେଇ ପ୍ରାଚୀନ ପ୍ରଣାଳୀ ଏବେ ବିଲୁପ୍ତ ମାଟିହାଣ୍ଡି, ବିଲୁପ୍ତ ଉଷୁନା ଚାଉଳର ବହୁଳ ବ୍ୟବହାର ହେଲେ ବି ଢେ଼ଙ୍କିକୁଟା ଚାଉଳ ନାହିଁ  । ଏପରିକି ହଲର କୁଟା ଚାଉଳ ପାଇଁ ଏବେ ପୂର୍ଣ୍ଣ କାଣ୍ଡିଆ କୁଣ୍ଡା ଛଡ଼ା ଉଷୁନା ଚାଉଳ । ଏହି ଚାଉଳ ପୂର୍ବ ପାରମ୍ପରିକ ଧାନ ବିହନର ଧାନରୁ ଚାଷରୁ ପ୍ରାପ୍ତ ଧାନରୁ ମିଳୁନାହିଁ । ଏବେ ଶଙ୍କର ଧାନ ଆଧୁନିକ ବୈଜ୍ଞାନିକ ପଦ୍ଧତିରେ ଚାଷରୁ ଆମଦାନି । ତୃପ୍ତିମୁଠାଏ ପଖାଳ ଖାଇ ଲୋକେ ବିଭିନ୍ନ ଚାଷ ବାସ ବୃତ୍ତିକୁ ବାହାରି ଯାଇ ଶ୍ରମ କରି କରି ହାଲିଆ ହୋଇ ଆସି ଗୃହରେ ସେହି ପଖାଳ ଖାଇଲେ ବି ପୂର୍ଣ୍ଣ ସ୍ୱାସ୍ଥ୍ୟବାନ ଥିଲେ । ନିରୋଗ ଶରୀର ହୃଷ୍ଟପୃଷ୍ଟ ଥିଲେ । ଏ ଡାଇବେଟିସ ସେତେବେଳେ ନଥିଲା ବା ଥିଲେ ବି ଏତେ ବ୍ୟାପକ ପ୍ରାଣ ଆତଙ୍କ ନଥିଲା, ଲୋକେ ଦୀର୍ଘ ଜୀବନ ସୁସ୍ଥ ରହି ବାର୍ଦ୍ଧକ୍ୟରେ ବି କର୍ମମୁଖର ଥିଲେ । ଖାଲି ଭାତ ଲୋକେ ଖାଆନ୍ତି ନାହିଁ  ।ପୋଡ଼ା ଭଜା, ଶାଗ, ତିଅଣ, ଡାଲି, ଏହା ସହିତ ଖାଦ୍ୟକୁ ଖାଉଥିଲା । ଏମିତି ସମୟ ହେଲା ତିଅଣ ତରକାରୀ ଭଜା ପାଇଁ ପରିବା ଶାଗ ଏବେ ଶଙ୍କର ଫସଲରେ ଓ ପ୍ରବଳ ସାର ପ୍ରୟୋଗରେ ଉତ୍ପାଦନ ହେଉଛି । ମାଟି ହାଣ୍ଡିରେ ଯେତେ ଉତ୍ତାପରେ ରୋଷଇ ଥିଲା ଏବେ  ଆଲୁମିନିୟମ ଷ୍ଟିଲ ପାତ୍ରରେ କୋଇଲା ଗ୍ୟାସରେ ପ୍ରସ୍ତୁତ ଅନ୍ୟ ଭୋଜନ ପରିପାକ କ୍ରିୟାରେ ଏକ ଭିନ୍ନ ଧରଣର ପ୍ରକ୍ରିୟା କରାଉଛି । ପଖାଳ ମାଟି ହାଣ୍ଡିର ଓ ଧାତବ ହାଣ୍ଡିର ଏ ଦୁଇ ସ୍ୱାଦକୁ ଅଲଗା ଅଲଗା । ସଛିଦ୍ର ମାଟିହାଣ୍ଡିରେ ପଖାଳ ଥଣ୍ଡାରହେ ଓ ଶୀଘ୍ର ପଚେ ନାହିଁ । ପେଟ ଖରାପ ହେଲେ ଅଲଣା ତୋରାଣୀ ବା ଲୁଣପକା ତୋରାଣୀ ପେଟରେ ବହୁ ଉପକାରୀ । ପୁରୀ ମନ୍ଦିର ଓଳିରେ ମହାପ୍ରସାଦର ତୋରାଣୀ ଜଳ ଅମୃତତୁଲ୍ୟ ଲାଗେ । ଓଳାଷୁଣୀର ଆଶ୍ରମରେ ଏପରି ସେ ସ୍ଥାନରେ ପ୍ରସ୍ତୁତ ରହିଥିବା ତୋରାଣୀ ଜଇ ଅନେକ ପେଟ ରୋଗ ଭଲ ହେଉଥିବା ଲୋକବାକ୍ୟ ରହିଛି ଏକଥା ବି ସତ୍ୟ । ଏମିତି ଜଗତସିଂହପୁର ଜଗନ୍ନାଥପୁର ତୀରଣ ପାଖ ଏକ ମଠରେ ସେହି ତୋରାଣୀ ପୂର୍ବେ ଉପଲବ୍ଧ ଥିଲା । ବହୁ ମାଟି କାମ କରୁଥିବାବେଳେ ଶ୍ରମିକ ଘରୁ ପଖାଳ ତୋରାଣୀ ହାଣ୍ଡି ତାଙ୍କର କର୍ମମୟ ସ୍ଥାନକୁ ଆଣି ସୁବିଧାରେ ରଖି ମଧ୍ୟାହ୍ନ ଭୋଜନରେ ସେହି ପଖାଳ ତୋରାଣୀ ଖାଇ କାମ କରନ୍ତି । ସେମାନେ ସଦା ସବଳ । ଚାଷୀ ପରିବାରରେ ପୋଡ଼ା ଶୁଖିଲା, ବାଇଗଣ ଆଳୁ ସାରୁ ପୋଡ଼ା ଶାଗଭଜାରେ କଂସା କଂସା ପଖାଳ ଲୋକେ ସଦା ଭୋଜନ କରୁଥିଲେ । ଏବେ ଏସବୁ ହାରରେ ବହୁତ କମ ।

ପୂର୍ବେ ଶସ୍ୟ କ୍ଷେତ୍ରରେ ଖତ ପଡ଼ିଆ ପାଉଁଶ ଗୋବର ଗୋମୁତ୍ର ବ୍ୟବହାର କରାଯାଉଥିଲା । ନଦୀ ବନ୍ୟାର ପଟୁମାଟି ଶସ୍ୟ କ୍ଷେତ୍ରର ଲବଣ ଖାରି ଅଂଶ ନଷ୍ଟ କରୁଥିଲା ଓ ଅତି ଉର୍ବର ମୃତ୍ତିକା କରି ଧାନ କ୍ଷେତ୍ରରେ ଉତ୍ତମ ଫଳନ ଦେଉଥିଲା । ସବୁଜ ସାର ପାଇଁ ଧନିଚା ଚିନି ଆଦି କ୍ଷେତ୍ର ଭୂମିରେ ଆନୁଷଙ୍ଗିକ ଚାଷରେ ରହୁଥିଲା । କ୍ଷେତ୍ରମାଟିରେ ଏକ ପର୍ଯ୍ୟାୟ ଭିନ୍ନ ଚକ୍ର ଚାଲିଥିଲା । ଧାନ ବିଲରେ ଜିଆ ରହୁଥିଲେ ଯେଉଁମାନେ କ୍ଷେତ୍ରମାଟିକୁ ସଛିଦ୍ର ରଖୁଥିଲେ । ମାଟିରେ ଚାଷ ବେଳେ ଝିଣ୍ଟିକା ପୋକଯୋକ ସୃଷ୍ଟି ହୁଅନ୍ତି । ତାକୁ ଧାନ କିଆରୀରେ ଚୁନା ମାଛ ଗଡ଼ିଶା ବେଙ୍ଗ ଆଦି ଯମପରି ଖାଇ ଯାଉଥିଲେ । ସେମାନଙ୍କୁ ଧଣ୍ଡ ସାପ ଖାଇବା ଦେଖାଯାଉଥିଲା ।  ଏବେ ପୋକ ମରା ଔଷଧ ସାର ଆଦି ପ୍ରୟୋଗରୁ ଧାନ ବିଲରୁ ମିଳୁଥିବା ଚୁନାମାଛ ଦୁର୍ଲ୍ଲଭ । କାର୍ତ୍ତିକ ମାସରେ ଲୋକେ ମାଛ ଖାଆନ୍ତି ନାହିଁ । ସେ ଚୁନାମାଛ ପ୍ରଚୁର ବୃଦ୍ଧି ବେଳକୁ ଲୋକେ ମାଛ ବିଭିନ୍ନ ଉପାୟରେ ମାରି ପିତା ଶୁଖୁଆ କରି ପର ସମୟ ପାଇଁ ରଖୁଥିଲେ । ଯାହା ଏବେ ଏଇଟା ଲୋକକଥା ହେଲାଣି । ଧାନ ପାଚିଲେ କଟାଯାଏ । କଟାଯିବା ପରେ କଚଡ଼ା ପଡେ଼ ଏଇ କଚଡ଼ାରୁ ଧାନ କେଣ୍ଡା ମୂଷାମାନେ ଖାଇ ଯାଆନ୍ତି ପୁଣି ହିଡ଼ରେ ଗର୍ତ୍ତକରି କେଣ୍ଡା ଗୁଡ଼ିକୁ ନେଇ ସଞ୍ଚୟ କରନ୍ତି । ତାଙ୍କୁ ନଷ୍ଟ ପାଇଁ ତମ୍ପ ଗୋଖର ନାଗ ଆଦି ସର୍ପ ତକ୍ରାଳ ସମୟରେ ପାଚିଲା ଧାନ କ୍ଷେତ୍ରରେ ଦେଖାଯାଆନ୍ତି । ଏହାବି ଏକ ବିରଳ । ବିଜ୍ଞ ବିଜ୍ଞାନୀମାନେ ବହୁ ପର୍ଯ୍ୟାୟ କୃଷିଜାତ ଖାଦ୍ୟ ଉପଯୋଗୀ ତଥ୍ୟ ବାହାର କଲେଣି । ଏବେ ଏସବୁ ବିଷୟରେ ଧ୍ୟାନ ନଦେଲେ ଚାଉଳ ଥାଇ ଲୋକେ ଉପବାସ ଭୋଗିବା ସାର ହେବ । ଜୟ କିଷାନ ଜୟ ବିଜ୍ଞାନ । 
ମୋ: ୯୪୩୭୦୩୧୨୫୩