ପାନୀୟ ଜଳ ସଂକଟ
ଗୋଲାମୁଣ୍ଡା : ଗୋଲାମୁଣ୍ଡା ବ୍ଲକ ଲେତେର ପଞ୍ଚାୟତ ମକରାଗୁଡ଼ା ଗ୍ରାମରେ ପିଇବା ପାଣିର ସମସ୍ୟା ଦେଖାଦେଇଛି । ଗ୍ରାମରେ ଅନେକ ନଳକୂପ ଥାଇ ମଧ୍ୟ ପିଇବାକୁ ଉପଯୋଗୀ ନୁହେଁ ବୋଲି ଗ୍ରାମବାସୀ ପକ୍ଷରୁ କୁହାଯାଇଛି । ଗ୍ରାମର ଲୋକେ ପିଇବା ପାଣି ପାଇଁ ସଦାସର୍ବଦା ଉଦନ୍ତୀ ନଦୀ ଉପରେ ନିର୍ଭର କରୁଥିଲେ । ହେଲେ ଗ୍ରୀଷ୍ମ ଋତୁର ପ୍ରଭାବରେ ଉଦନ୍ତୀ ନଦୀ ପାଣି ଶୁଖି ଗଲାଣି । ଯାହାକୁ ନେଇ ଗ୍ରାମରେ ଜଳ ସଂକଟ ଦେଖାଦେଇଛି । ଏହାକୁ ନେଇ ଗ୍ରାମବାସୀ ପକ୍ଷରୁ ଉଦ୍ବେଗ ପ୍ରକାଶ ପାଇଛି । ଏ ନେଇ ସ୍ଥାନୀୟ ସରପଞ୍ଚ ଦମୟନ୍ତୀ ଭୋଇ ଓ ପିଇଓ ରାଜମନ ଶବରଙ୍କୁ ବାରମ୍ବାର ଜଣାଇବା ପରେ ଗତ ତା୦୨/୦୪/୨୦୨୫ ସୁଦ୍ଧା ଗ୍ରାମରେ ପାଣି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଆଜି ପର୍ଯ୍ୟନ୍ତ ପାଣି ଟୋପାଏ ଯୋଗାଇ ନ ଥିବା ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଗତକାଲି ଏ ଉପରେ ପୁନର୍ବାର ପିଇଓଙ୍କୁ ଜଣାଇଥିବା ବେଳେ ସରପଞ୍ଚ ଏ ପର୍ଯ୍ୟନ୍ତ ପାଣି ଯୋଗାଇ ଦେଇ ନ ଥିବା ନେଇ ଦୁଃଖ ପ୍ରକାଶ କରିଛନ୍ତି ପିଇଓ ରାଜମନ ଶବର । ଜଣେ ନିର୍ବାଚିତ ପ୍ରତିନିଧି ବିଭିନ୍ନ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସନ୍ତି, ହେଲେ କ୍ଷମତା ପାଇଲେ ଲୋକଙ୍କ ସେବା ବଦଳରେ ନିଜର ସ୍ୱାର୍ଥରେ ଲିପ୍ତ ରହନ୍ତି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।