ଶ୍ୟାମଳାଇ ଓ କରେଇଶୁଣୀଙ୍କ ଚୈତ୍ର ଯାତ୍ରା 

  ହିଞ୍ଜିଳିକାଟୁ : ଚୈତ୍ର ମାସ ଚତୁର୍ଥ ପାଳି ଉପଲକ୍ଷେ ହିଞ୍ଜିଳିକାଟୁ ବ୍ଲକ ନୂଆଁ ବୁରୁପଡା ନିକଟସ୍ଥ ତଥା ସ୍ଥାନୀୟ ଅଞ୍ଚଳର ଇଷ୍ଟଦେବୀ ମା’ ଶ୍ୟାମଳାଇ ଓ ଖରିଡା ସ୍ଥିତ ମା’ କରେଇଶୁଣୀଙ୍କ ପୀଠରେ ଶହସ୍ରାଧିକ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି ।  ଭୋରରୁ ମା’ଙ୍କ ମଙ୍ଗଳ ଆଳତି, ମଇଲମ, ସୂର୍ଯ୍ୟପୁଜା, ଚଇପତି ଲାଗି, ବାଳଭୋଗ ସମେତ ସମସ୍ତ ଦେବିନୀତି ସମାପନ ପରେ ଭକ୍ତମାନଙ୍କୁ ମା’ ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ସକାଶେ ମନ୍ଦିର ମଧ୍ୟକୁ ପ୍ରବେଶ କରିବା ପାଇଁ ଅନୁମତି ଦିଆଯାଇଥିଲା ।   ଭକ୍ତମାନେ ମା’ ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବା ପାଇଁ ବହୁ ସମୟ ଧରି ଲମ୍ବା ଲାଇନରେ ଅପେକ୍ଷା କରି ରହିଥିଲେ । ମାନସିକଧାରୀମାନେ ନିଜ ନିଜ ଶିଶୁଙ୍କ ମୁଣ୍ଡନ କରାଇଥିଲେ । ବହୁ ଦୁର ଦୂରାନ୍ତରରୁ ଭକ୍ତମାନେ ସୋମବାର ରାତିରୁ ଆସି ମନ୍ଦିର ପରିସରରେ ଭିଡ ଜମାଇଥିଲେ । ମନ୍ଦିର ଚର୍ତୁଃପାଶ୍ୱର୍ରେ  ବିଭିନ୍ନ ରକମର ଖେଳଣା, ବାରମଜା, ଗୃହ ଉପକରଣ, ସାଜସଜ୍ଜା, ଥଣ୍ଡାପାନୀୟ ଦୋକାନ ଭଳି ବିଭିନ୍ନ ରକମର ଅସ୍ଥାୟୀ ଦୋକାନ ବଜାରମାନ ଗଢି ଉଠିଥିଲା । ମନ୍ଦିର ନିକଟରେ ଛାଗବଳି ନିଷେଧ ହୋଇଥିଲେ ମଧ୍ୟ ବହୁ ଭକ୍ତ ନିଜ ନିଜର ବନ୍ଧୁ ବାନ୍ଧବ ଓ ପରିବାର ବର୍ଗଙ୍କ ସହ ମିଶି ମନ୍ଦିର ନିକଟରେ ଛାଗବଳି ଦେଉଥିବାର ଦୃଶ୍ୟ ବହୁ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଭାବ ସୃଷ୍ଟି କରିଥିଲା । ପାଗ ଅନୁକୂଳ ରହିଥିବାରୁ  ଭକ୍ତମାନେ ମନ୍ଦିର ଚାରିପାଖରେ ଭିଡ ଜମାଇଥିଲେ । ଶ୍ୟାମଳାଇ ଛକ ତଥା ୫୯ନଂ ଜାତୀୟ ରାଜପଥର ଉଭୟ ପାଶ୍ୱର୍ରେ ଦୂରଦୂରାନ୍ତରରୁ ଆସିଥିବା ଗାଡି ମୋଟର ଗୁଡିକ  ଲମ୍ବା ଲାଇନରେ ରହିଥିବାର ଦେଖିବାକୁ ମିଳିଥିଲା । ଭକ୍ତମାନଙ୍କ ଭିଡକୁ ଆଖି ଆଗରେ ରଖି ମନ୍ଦିର ପ୍ରଶାସନ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।