ପୁଲିସ ଏସ୍ଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ : ମାଷ୍ଟରକ୍ୟାଣ୍ଟିନରେ ଗର୍ଜିଲା ବିଜେଡ଼ି
ଭୁବନେଶ୍ୱର : ପୁଲିସ ଏସ୍ଆଇ ନିଯୁକ୍ତି କେଳେଙ୍କାରୀ ଘଟଣାରେ ଆଶାୟୀଙ୍କୁ ନ୍ୟାୟ ଦାବି ସହ ଅନିୟମିତା ବିରୋଧରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଭୁବନେଶ୍ୱର ଠାରେ ଜୋରଦାର ପ୍ରତିବାଦ ହୋଇଛି । ପୁଲିସ ଏସ୍ଆଇ ନିଯୁକ୍ତିରେ ବ୍ୟାପକ ଅନିୟମିତତା ନେଇ ଦଳ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଆଗଲେ ଆନ୍ଦୋଳନ ଜୋରଦାର ହେବବୋଲି ବିଜେଡ଼ି ଚେତାବନୀ ଦେଇଛି ।
ବିଜେଡ଼ି ପକ୍ଷରୁ କୁହାଯାଇଛିଯେ, ସରକାରୀ ଚାକିରି ବିକ୍ରି ଭଳି ସାଙ୍ଘାତିକ ଅଭିଯୋଗ ସାମ୍ନାକୁ ଆସିଛି । ଗତ ପନ୍ଦର ମାସରେ ୧୬ ନିଯୁକ୍ତି ପରୀକ୍ଷା ଶେଷ ମୁହୂର୍ତ୍ତରେ ବାତିଲ ହୋଇଛି । ଯାହାଯୋଗୁଁ ନିଯୁକ୍ତି ଆଶାୟୀମାନେ ହତାଶ ହୋଇଛନ୍ତି । ପୋଲିସ ଏସଆଇ ପଦବୀ ପାଇଁ ଗତ ମାର୍ଚ୍ଚ ୮ ଓ ୯ରେ ହେବାକୁ ଥିବା ଲିଖିତ ପରୀକ୍ଷାକୁ ଶେଷ ମୁହୂର୍ତ୍ତରେ ବାତିଲ କରାଯାଇଥିଲା । ଏହାକୁ ଅକ୍ଟୋବର ୭ ଓ ୮ରେ କରିବା ପାଇଁ ସ୍ଥିର କରାଯାଇଥିଲା । ଯାହାକୁ ୩୦ ସେପ୍ଟେମ୍ବର ଦିନ ଆଉଥରେ ବାତିଲ କରାଯାଇଛି । ଏହି ନିଯୁକ୍ତି ପ୍ରକ୍ରିୟାରେ ଜାଲିଆତିରେ ସମ୍ପୃକ୍ତ ଥିବା ୧୧୪ ଜଣ ପରୀକ୍ଷାର୍ଥୀ ଓ ୩ଜଣ ଦଲାଲଙ୍କୁ ଶ୍ରୀକାକୁଲମ ପୋଲିସ ଦ୍ୱାରା ଗିରଫ କରାଯାଇଛି । ନିଯୁକ୍ତି ପାଇଁ ପରୀକ୍ଷା ପରିଚାଳନା ପାଇଁ ଦାୟିତ୍ୱରେ ଥିବା ସଂସ୍ଥା ଦ୍ୱାରା ସେମାନଙ୍କୁ ସ୍ୱତନ୍ତ୍ର ତାଲିମ ମାଧ୍ୟମରେ ଜାଲିଆତି ହୋଇଥିବା ଅଭିଯୋଗ ହୋଇଛି । ଗିରଫ ପରୀକ୍ଷାର୍ଥୀମାନେ ମୋଟା ଅଙ୍କର ଲାଞ୍ଚ ଦେଇ ଏହି ଚାକିରି ହାତେଇବା ପାଇଁ ଉଦ୍ୟମ କରୁଥିଲେ ବୋଲି କୁହାଯାଉଛି । ପ୍ରାୟ ୨୦୦ କୋଟି ଟଙ୍କାର ଏହି ଜାଲିଆତି ହୋଇଥିବା କୁହାଯାଉଛି । କିନ୍ତୁ, ଏଠାରେ ପ୍ରଶ୍ନ ଉଠୁଛି ଯେ, ଲାଞ୍ଚ ଦେବା ଅଭିଯୋଗରେ ପରୀକ୍ଷାର୍ଥୀ ମାନେ ଯଦି ଗିରଫ ହେଲେ, ତାହେଲେ ଲାଞ୍ଚ ଗ୍ରହଣ କରିଥିବା ବ୍ୟକ୍ତିମାନେ ଗିରଫ ହେଉ ନାହାନ୍ତି କାହିଁକି? ୯୩୩ ଜଣ ଏସ୍ଆଇ ପଦବୀରେ ନିଯୁକ୍ତି ଦେବା ପାଇଁ ଭାରତ ସରକାରଙ୍କ ସଂସ୍ଥା ଆଇଟିଆଇକୁ ପରୀକ୍ଷା ପରିଚାଳନା ପ୍ରଦାନ କରାଯାଇଥିଲା । ଏହି କାମ ପାଇଁ ଆଇଟିଆଇ ତାର ସହଯୋଗୀ ଭାବେ ଗୁଜୁରାଟର ରିଚ୍ ମାଇଣ୍ଡ ଡିଜିଟାଲକୁ ନେଇଥିଲା । ଏପ୍ରିଲ ୨୦୨୫ରେ ରାଜ୍ୟ ସରକାର ସନ୍ତୋଷ ଉପାଧ୍ୟାୟଙ୍କୁ ଅବ୍ୟାହତି ଦେଇ ତାଙ୍କ ଜାଗାରେ ସୁଶାନ୍ତ ନାଥଙ୍କୁ ନିଯୁକ୍ତି ଦେଇଥିଲେ । ଏହାପରେ ଆଇଟିଆଇ ଦ୍ୱାରା ରିଚ୍ ମାଇଣ୍ଡକୁ ହଟାଯାଇ ଓଡିଶାର ଏକ ସଂସ୍ଥା ସିଲିକନ ଡିଜିଟେକକୁ ସହଯୋଗୀ ଭାବେ ନିଆଯାଇଥିଲା । ସିଲିକନ ଡିଜିଟେକ୍ ତାର ସହଯୋଗୀ ଭାବେ ବ୍ରହ୍ମପୁର ସ୍ଥିତ ପଞ୍ଚସଫ୍ଟ ଟେକ୍ନୋଲୋଜି ନାମକ ଏକ ଅନଭିଜ୍ଞ କମ୍ପାନୀକୁ ଦାୟିତ୍ୱ ଦେଇଥିଲା । ଏହି ପଞ୍ଚସଫ୍ଟ ସଂସ୍ଥା ଦ୍ୱାରା ମୁଖ୍ୟତଃ ମୋଟା ଅଙ୍କର ଟଙ୍କା ନେଇ ଜାଲିଆତି କରି ଚାକିରି ଦେବା ପାଇଁ ଉଦ୍ୟମ କରାଯାଉଥିଲା । ପଞ୍ଚସଫ୍ଟ କମ୍ପାନୀର ମୁଖ୍ୟ ଶଙ୍କର ପୃଷ୍ଟି ବିଜେପି ଦଳର ଜଣେ ସଦସ୍ୟ ଭାବେ ଜଣାଶୁଣା । କେଉଁ ପରିସ୍ଥିତିରେ ପଞ୍ଚସଫ୍ଟ ଭଳି ଏକ ଅନଭିଜ୍ଞ କମ୍ପାନୀକୁ ଏଭିଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା ବୋଲି ବିଜୁ ଯୁବ ଛାତ୍ର ଜନତା ଦଳ ପ୍ରଶ୍ନ କରିଛି । ରାଜ୍ୟ ସରକାରଙ୍କ ବିରୋଧରେ ହେଇଥିବା ଏହି ଆନ୍ଦୋଳନର ନେତୃତ୍ୱ ବିଜୁ ଯୁବ ଓ ଛାତ୍ର ଜନତା ଦଳର ଦୁଇ ସଭାପତି ଚିନ୍ମୟ ସାହୁ ଓ ଇପ୍ସିତା ସାହୁଙ୍କ ସହିତ ଦଳର ସାଧାରଣ ସମ୍ପାଦକ ପ୍ରୀତିରଞ୍ଜନ ଘଡାଇ, ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ରାଜ୍ୟସଭା ସାଂସଦ ସୁଲତା ଦେଓ, ପୂର୍ବତନ ବିଧାୟକ ରାଜେନ୍ଦ୍ର ସାହୁ, ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ, ରାଜଶ୍ରୀ ମଲ୍ଲିକ, ମନ୍ମଥ ରାଉତରାୟ ଓ ଅମରେଶ ପତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।