ପ୍ରତିବର୍ଷ ଦେଶ ଛାଡୁଛନ୍ତି ୨ ଲକ୍ଷ ଭାରତୀୟ

ପ୍ରତିବର୍ଷ ଦେଶ ଛାଡୁଛନ୍ତି ୨ ଲକ୍ଷ ଭାରତୀୟ

ନୂଆଦିଲ୍ଲୀ : ଅଧିକ ରୋଜଗାର ପାଇଁ ଦେଶ ଛାଡିବା ଯେକୌଣସି ବ୍ୟକ୍ତିଙ୍କ ପାଇଁ ଏହା କେବେବି ଏକ ସହଜ ନିଷ୍ପତ୍ତି ନୁହେଁ । କଳ୍ପନା କରନ୍ତୁ ଯେ ନିଜ ଦେଶକୁ ସବୁଦିନ ପାଇଁ ଛାଡିବା କେତେ କଷ୍ଟଦାୟକ । କିନ୍ତୁ ଗତ ପାଞ୍ଚ ବର୍ଷ ମଧ୍ୟରେ ପ୍ରାୟ ୧୦ ଲକ୍ଷ ଭାରତୀୟ ଏହା କରିଛନ୍ତି । ୨୦୨୦ ପରଠାରୁ ୯ ଲକ୍ଷରୁ ଅଧିକ ଭାରତୀୟ ସେମାନଙ୍କର ନାଗରିକତା ପରିତ୍ୟାଗ କରିଛନ୍ତି । ୨୦୨୨ ପରଠାରୁ ଏକ ନମୁନା ଦେଖାଦେଇଛି, ପ୍ରତିବର୍ଷ ଦୁଇ ଲକ୍ଷରୁ ଅଧିକ ବ୍ୟକ୍ତି ସେମାନଙ୍କର ଭାରତୀୟ ପାସପୋର୍ଟ ପରିତ୍ୟାଗ କରୁଛନ୍ତି ।


   ଚଳିତ ଶୀତକାଳୀନ ଅଧିବେଶନ ସମୟରେ ଏହି ତଥ୍ୟ ସଂସଦରେ ଉପସ୍ଥାପିତ ହୋଇଛି । ଏଥିରେ ଦର୍ଶାଯାଇଥିଲା ଯେ ୨୦୧୧ ରୁ ୨୦୨୪ ମଧ୍ୟରେ ୨୦ ଲକ୍ଷ ୬ ହଜାର (୨୦ ଲକ୍ଷରୁ ଅଧିକ) ଭାରତୀୟ ସେମାନଙ୍କର ନାଗରିକତା ପରିତ୍ୟାଗ କରିଛନ୍ତି । ଏହାର ପ୍ରାୟ ଅଧା ଗତ ପାଞ୍ଚ ବର୍ଷ ମଧ୍ୟରେ କୋଭିଡ୍‌-୧୯ ମହାମାରୀ ସମୟରେ ଓ ପରେ ଘଟିଛି । ଏହି ୧୪ ବର୍ଷ ମଧ୍ୟରେ ପ୍ରାୟ ଏକ ଦଶନ୍ଧି ଧରି ବାର୍ଷିକ ସଂଖ୍ୟା ପ୍ରତିବର୍ଷ ୧.୨ ଲକ୍ଷରୁ ୧.୪୫ ଲକ୍ଷ ଭାରତୀୟ ସେମାନଙ୍କର ନାଗରିକତା ପରିତ୍ୟାଗ କରୁଥିବା ଏକ ସଂକୀର୍ଣ୍ଣ ବନ୍ଧନୀ ମଧ୍ୟରେ ରହିଛି । ଲାକସଭାରେ ପ୍ରଶ୍ନର ଉତ୍ତର ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଲିଖିତ ଉତ୍ତରରେ କହିଛି ଯେ କାରଣଗୁଡ଼ିକ ବ୍ୟକ୍ତିଗତ ଓ କେବଳ ବ୍ୟକ୍ତିଙ୍କୁ ଜଣା ଏବଂ ସେମାନଙ୍କ ମଧ୍ୟରୁ ଅନେକ ବ୍ୟକ୍ତିଗତ ସୁବିଧା ପାଇଁ ବିଦେଶୀ ନାଗରିକତା ଗ୍ରହଣ କରିବାକୁ ବାଛିଛନ୍ତି । ମନ୍ତ୍ରଣାଳୟ ଏହା ମଧ୍ୟ ସ୍ୱୀକାର କରିଛି ଯେ ଭାରତ ଜ୍ଞାନ ଅର୍ଥନୀତିର ଯୁଗରେ ବିଶ୍ୱ କର୍ମକ୍ଷେତ୍ରର ସମ୍ଭାବନାକୁ ସ୍ୱୀକାର କରେ । ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (ଗଋଇ) ରୁ ମିଳିଥିବା ତଥ୍ୟ ଦର୍ଶାଉଛି ଯେ କୋଭିଡ୍‌ ପରବର୍ତ୍ତୀ ବର୍ଷଗୁଡ଼ିକରେ ଭାରତୀୟମାନେ ସେମାନଙ୍କର ନାଗରିକତା ପରିତ୍ୟାଗ କରିବାରେ ବୃଦ୍ଧି ପାଇଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ପୂର୍ବତନ ମିଡିଆ ପରାମର୍ଶଦାତା ଓ ମୁଖପାତ୍ର ସଞ୍ଜୟ ବାରୁ ମୋର୍ଗାନ୍‌ ଷ୍ଟାନଲିରୁ ତଥ୍ୟ ଉଦ୍ଧୃତ କରି କହିଛନ୍ତି ଯେ ୨୦୧୪ ପରଠାରୁ ପ୍ରାୟ ୨୩,୦୦୦ ଭାରତୀୟ କୋଟିପତି ଦେଶ ଛାଡିଛନ୍ତି ।