ପାକ୍ରେ ରକ୍ତାକ୍ତ ବିକ୍ଷୋଭ : ପୁଲିସ୍ ଗୁଳିରେ ୧୧ ମୃତ
ନୂଆଦିଲ୍ଲୀ : ପାକିସ୍ତାନରେ ଇସଲାମିକ ସଂଗଠନ ତେହରିକ୍-ଇ-ଲାବାଇକ୍ ପାକିସ୍ତାନ ଓ ପାକିସ୍ତାନ ପୋଲିସ ମଧ୍ୟରେ ଧସ୍ତାଧସ୍ତି ଓ ପୋଲିସର ପାଲଟା ଗୁଳିରେ ୧୧ ଜଣ ବିକ୍ଷୋଭକାରୀଙ୍କ ମୃତ୍ୟୁ ଘଟିଛି । ଗାଜା ଠାରେ ଇସ୍ରାଏଲର ହତ୍ୟାକାଣ୍ଡକୁ ବିରୋଧ କରି ଗତ ଗୁରୁବାର ଠାରୁ ଆରମ୍ଭ ହୋଇଥିବା ଏହି ବିରୋଧ ପ୍ରଦର୍ଶନ ଶନିବାର ଦିନ ଉଗ୍ରରୂପ ନେଇଛି । ଫଳରେ ଇସ୍ଲାମାବାଦ ଓ ରାୱଲପିଣ୍ଡିରେ ଦୁଇ ଦିନ ଧରି ଏକ ପ୍ରକାର ସାଧାରଣ ଜନଜୀବନ ଠପ୍ ହୋଇଯାଇଛି ।
ଗାଜା ଠାରେ ଇସ୍ରାଏଲ ଚଳାଇଥିବା ହତ୍ୟାକୁ ବିରୋଧ କରି ଗଢ଼ି ଉଠିଥିବା ଇସଲାମିକ ସଂଗଠନ ତେହରିକ୍-ଇ-ଲାବାଇକ୍ ପାକିସ୍ତାନ (ଟିଏଲ୍ପି) ପାଲେଷ୍ଟାଇନ୍ ସମର୍ଥନରେ ଏକ ରାଲି ବାହାର କରି ରାଜଧାନୀକୁ ଯିବା ବାଟରେ ପାକିସ୍ତାନୀ ପୋଲିସ ବିକ୍ଷୋଭକାରୀମାନଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲେ । ଲାହୋର ଠାରେ ପଞ୍ଜାବ ପୋଲିସକୁ ବିକ୍ଷୋଭକାରୀମାନେ ଇସ୍ରାଏଲ ଗୁଣ୍ଡା ବୋଲି ମଧ୍ୟ ନାରାବାଜି ଜାରି ରଖିଥିଲେ । ବିକ୍ଷୋଭକାରୀମାନଙ୍କୁ ଅଟକାଇବା ଉଦ୍ୟମ କରି ପୋଲିସ୍ ପକ୍ଷରୁ ଗୁଳିମାଡ ହୋଇଥିଲା । ଯେଉଁଥିରେ ୧୧ ଜଣ କର୍ମୀଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଏକ ସାମାଜିକ ଗଣମାଧ୍ୟମରେ ଅପଲୋଡ୍ ହୋଇଥିବା ଭିଡିଓରେ ଜଣେ ଇସଲାମିକ ସଙ୍ଗଠନର ଜଣେ ନେତା ଏହି ସୂଚନା ଦେଉଥିବାବେଳେ ଭିଡିଓ ପୃଷ୍ଠଭୂମିରେ ଗୁଳିଗୋଳା ବର୍ଷଣର ଶବ୍ଦ ଶୁଣାଯାଉଛି ।