ନାମର ମୂଲ୍ୟ
ଇଂ.ସଚ୍ଚିଦାନନ୍ଦ ନନ୍ଦ : ଶାସ୍ତ୍ରଗୁଡ଼ିକ କହନ୍ତି ଯେ, ଆଜିକାଲିର ଏ ବିଷୟ ଜଞ୍ଜାଳପୂର୍ଣ୍ଣ ସଂସାରରେ "ନାମ' ହିଁ ଲୋକମାନଙ୍କର ଏକାମାତ୍ର ସାହାଭରସା । ସନ୍ଥ ତୁକାରାମ ନାମକୁ ନାମରତ୍ନ ବୋଲି କହିଛନ୍ତି । ସେ ହେତୁରୁ ତୁମ୍ଭେମାନେ ଏହାକୁ ଖଣ୍ଡେ କାଚ ବା ବାଲିଗରଡ଼ା ବୋଲି ଭାବି ହେୟ ଜ୍ଞାନ କରନାହିଁ । ଥରେ ଗୋଟିଏ ବାଳକ ଗୋଟିଏ ଗୋଲାକାର ଓ ମୂଲ୍ୟବାନ ରତ୍ନ ପଥର ଖଣ୍ଡେ ଗଡ଼ାଇ ତା ସାଥୀମାନଙ୍କ ସଙ୍ଗେ ରାସ୍ତାରେ ଖେଳୁଥିଲା । ମଣି ମାଣିକ୍ୟ ବ୍ୟବସାୟ କରୁଥିବା ଜଣେ ବଣିକ ସେ ବାଟ ଦେଇ ଯାଉ ଯାଉ, ତା ଆଖି ପିଲାମାନେ ଖେଳୁଥିବା ଏହି ରତ୍ନ ଖଣ୍ଡିକ ଉପରେ ପଡ଼ିଲା । ବଣିକ ସେ ଖଣ୍ଡିକ ହସ୍ତଗତ କରିବା ଉଦ୍ଦେଶ୍ୟରେ ପଥରଟି କାହାର ବୁଝି ପିଲାଟିକୁ ପାଖକୁ ଡାକି, ପଚାଶ ଟଙ୍କା ବଦଳରେ ସେଇଟିକୁ ନେବାକୁ ଚାହିଁଲା । ପିଲା ଯେମିତି ପଥରଟିର ମୂଲ୍ୟ ବୁଝି ନଥିଲା ସେମିତି ପଚାଶ ଟଙ୍କାର ମୂଲ୍ୟ ମଧ୍ୟ ବୁଝି ନଥିଲା । ସେ ତା' ମାଆକୁ ନ ପଚାରି କିଛି କହି ପାରିବ ନାହିଁ ବୋଲି କହିଲା । ବଣିକ ଅପେକ୍ଷା କଲା । ପିଲାଟି ତା'ମାଆ ପାଖକୁ ଯାଇ ସବୁକଥା ଜଣାଇଲା ।
ଏ ଖଣ୍ଡକ ବଦଳରେ ପଚାଶ ଟଙ୍କା ମିଳିବ ଜାଣି ମାଆ ମଧ୍ୟ ଆଶ୍ଚର୍ଯ୍ୟ ହେଲା । ସେ ପୁଅକୁ କହିଲା "ଆରେ ହେ, ଏ ଖଣ୍ଡକ ଯଦି ଏତେ ମୂଲ୍ୟବାନ ତେବେ ଏହାକୁ ନେଇ ଦାଣ୍ଡରେ ଆଉ ଖେଳ ନାହିଁ । ତୁ ତୋ ସାଙ୍ଗମାନଙ୍କୁ ଡାକି ଆମ ଘର ଅଗଣାରେ ଖେଳେ । ' ଏଣେ ବଣିକର ଆଉ ନିଦ ନାହିଁ । ସେ ଭାବୁଥାଏ ଗାଉଁଲିଆ ପିଲାମାନଙ୍କ ଠାରୁ କେମିତି ସେ ଖଣ୍ଡକ ହସ୍ତଗତ ହେବ ଓ ତାକୁ ବିକି ସେ କେମିତି ଲକ୍ଷପତି ହେବ । ଆଉ ଥରେ ସେ ବଣିକ ଜଣକ ଖୋଜି ଖୋଜି ଏ ବାଳକ ଘର ଠାବ କଲା ଓ ଦେଖିଲା ପିଲାଟି ସେହି ପଥର ଖଣ୍ଡିକୁ ମାଟିରେ ଗଡ଼ାଇ ତା ପଛରେ ଦୌଡ଼ି ଦୌଡ଼ି ଖେଳୁଛି । ଏହା ଦେଖି ବଣିକର ଦେହ ଖାଲି କରତି ହୋଇ ଯାଉଥାଏ । ପଥର ଖଣ୍ଡିକ ମାଟିରେ ଗଡ଼ି ଯାଇଥିବା ସମୟରେ ପିଲାଟିର ମାଆ ତରତରରେ ବାହାରକୁ ବାହାରି ପଡ଼ିବାରୁ ତାଙ୍କ ଗୋଡ଼ ବାଜି ପଥର ଖଣ୍ଡିକ ଦୂରକୁ ଗଡ଼ିଯାଇ ଗୋଟିଏ ବୁଦା ଭିତରେ ପଶିଗଲା । ବୁଦା ଭିତରୁ ପଥରଟିକୁ କାଢ଼ିବାକୁ ଚେଷ୍ଟା କରୁଥିବା ସମୟରେ ବଣିକ ପୁଣି ଆସି ପିଲାକୁ ଶହେ ଟଙ୍କା ଯାଚିଲା, ସେଥିରେ ରାଜି ନ ହେବାରୁ ପାଞ୍ଚଶହ ଟଙ୍କା ବଦଳରେ ପଥର ଖଣ୍ଡିକ ନେବାକୁ ଇଛା ପ୍ରକାଶ କଲା । ଏଥରକ ମଧ୍ୟ ପିଲାଟି ଯାଇ ତା ମା'କୁ ସବୁକଥା କହିଲା । ଏଥର ମାଆ ନିଜେ ଆସି ବଣିକଟିକୁ ଗାଳି ଦେଇ ଚାଲିଯିବାକୁ କହିଲା ।
ମାଆକୁ ଆଗରେ ପାଇ ବଣିକଟି ଏକ ହଜାର ଟଙ୍କା ବଦଳରେ ପଥରଟି ନେବାକୁ ମାଆକୁ ପ୍ରବର୍ତ୍ତାଇଲା । ମାଆ ଏଥିରେ ମଧ୍ୟ ରାଜି ନ ହୋଇ ପୁଅକୁ କହିଲା, "ଏଥର ପଥରଟି ନେଇ ଅଗଣାରେ ମଧ୍ୟ ଖେଳିବୁ ନାହିଁ । ଆମ ଶୋଇବା ଘର ଭିତରେ କେବଳ ଖେଳିବୁ ।' ବଣିକର ତ ମନ ଲାଗିଛି । ଏ ମାଆ ପୁଅ ସିନା ତାର ମୂଲ୍ୟ ବୁଝି ନାହାଁନ୍ତି । ବଣିକ ଠିକ୍ ଜାଣିଛି । ସେ ତହିଁଆର ଦିନ ଦଶ ହଜାର ଟଙ୍କା ଧରି ଆସି ପୁଣି ହାଜର । ଏଥର ମାଆ ପଥରଟି ମୂଲ୍ୟ ବିଷୟରେ କିଛି କିଛି ଜାଣି ପାରିଲା ଓ ବଣିକକୁ ନ ଦେଇ ପୁଅଠାରୁ ନେଇ ତାକୁ ତା ସିନ୍ଧୁକ ଭିତରେ ରଖିଲା । ତା'ପରଦିନ ବଣିକଟି ଯେତେବେଳେ ପଚାଶ ହଜାର ଟଙ୍କା ନେଇ ସେ ଖଣ୍ଡକ କିଣିବାକୁ ଆସିଲା, ମାଆ ତାକୁ ଘରୁ ନେଇ ନିକଟସ୍ଥ ସହରରେ ଥିବା ବ୍ୟାଙ୍କରେ ଜମା କରି ଆସିଲା । ତୁମ୍ଭେମାନେ ମଧ୍ୟ ଭଗବତ ନାମର ମୂଲ୍ୟ ବୁଝି ନଥିବାରୁ ଏହାକୁ ଖେଳନା ଭାବି ତାହା ସହ ଖେଳି ଚାଲିଛ । ଥରେ ଏହାର ପ୍ରକୃତ ମୂଲ୍ୟ ବୁଝିଗଲେ ଏହାକୁ ତୁମ ହୃଦୟର ଅନ୍ତରତମ ପ୍ରଦେଶର ନିଭୃତ କକ୍ଷରେ ଲୁଚାଇ ରଖିବ । ଜାଣିରଖ ଯେ ଏହି ନାମ ହେଉଛି ତୁମେ ଖୋଜୁଥିବା ଆଶ୍ୱାସନା, ସାହସ, ଆତ୍ମବିଶ୍ୱାସ ଓ ମୁକ୍ତି ଆଲୋକର ଚାବିକାଠି ।
ମୋ: ୯୪୩୭୫୧୧୨୩୦