ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ଆୟୋଜିତ ଏକ ସମାରୋହରେ ଦେଶର ବିଭିନ୍ନ ରାଜ୍ୟର ପିଲାମାନଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରିଛନ୍ତି । ସାହସିକତା, ସମାଜସେବା, ପରିବେଶ, କ୍ରୀଡା, କଳା ଓ ସଂସ୍କୃତି ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଅସାଧାରଣ ସଫଳତା ପାଇଁ ଏହି ପୁରସ୍କାର ଦିଆଯାଇଛି । ଏହି ଅବସରରେ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ସେ କହିଥିଲେ, ପୁରସ୍କାର ବିଜେତା ପିଲାମାନେ ସେମାନଙ୍କ ପରିବାର, ସେମାନଙ୍କ ସମାଜ ଏବଂ ସମଗ୍ର ଦେଶ ପାଇଁ ଗୌରବ ଆଣିଛନ୍ତି । ଏହି ପୁରସ୍କାରଗୁଡ଼ିକ ଦେଶର ସବୁ ପିଲାମାନଙ୍କୁ ପ୍ରେରଣା ଦେବ ବୋଲି ସେ ବିଶ୍ୱାସ ପ୍ରକଟ କରିଥିଲେ । 


    ରାଷ୍ଟ୍ରପତି କହିଥିଲେ,  ସାତ ବର୍ଷୀୟ ଭାକା ଲକ୍ଷ୍ମୀ ପ୍ରଜ୍ଞିକାଙ୍କ ଭଳି ପ୍ରତିଭାଶାଳୀ ପିଲାମାନଙ୍କ ଯୋଗୁଁ ହିଁ ଭାରତକୁ ବିଶ୍ୱ ସ୍ତରରେ ଏକ ଚେସ୍‌ ମହାଶକ୍ତି ଭାବରେ ବିବେଚନା କରାଯାଏ । ଅଜୟ ରାଜ ଏବଂ ମହମ୍ମଦ ସିଦାନ ପି ନିଜ ସାହସ ଓ ବୁଦ୍ଧିମତ୍ତା ବଳରେ ଅନ୍ୟମାନଙ୍କ ଜୀବନ ରକ୍ଷା କରିଛନ୍ତି । ସେମାନେ ସବୁ ପ୍ରଶଂସା ପାଇବାର ଯୋଗ୍ୟ । ନଅ ବର୍ଷୀୟ ଝିଅ ଭ୍ୟୋମା ପ୍ରିୟା ଏବଂ ଏଗାର ବର୍ଷୀୟ ସାହସୀ ପୁଅ କମଲେଶ କୁମାର ଅତୁଟ ସାହସ ପ୍ରଦର୍ଶନ କରି ଅନ୍ୟମାନଙ୍କ ଜୀବନ ରକ୍ଷା କରି ପ୍ରାଣ ହରାଇଥିଲେ । ଦଶ ବର୍ଷୀୟ ଶ୍ରବଣ ସିଂହ ଅପରେସନ୍‌ ସିନ୍ଦୂର ସମୟରେ ଯୁଦ୍ଧ ସହ ଜଡିତ ବିପଦ ସତ୍ତେ୍ୱ ନିୟମିତ ଭାବରେ ତାଙ୍କ ଘର ପାଖ ସୀମାରେ ନିୟୋଜିତ ଭାରତୀୟ ସୈନିକଙ୍କୁ ପାଣି, କ୍ଷୀର ଏବଂ ଲସି ପହଞ୍ଚାଇଥିଲେ । ଅନ୍ୟପକ୍ଷେ ଭିନ୍ନକ୍ଷମ ଝିଅ ଶିବାନୀ ହୋସୁରୁ ଉପ୍ପାରା ଆର୍ଥିକ ଏବଂ ଶାରୀରିକ ପ୍ରତିବନ୍ଧକକୁ ଅତିକ୍ରମ କରି କ୍ରୀଡ଼ା ଜଗତରେ ଅସାଧାରଣ ସଫଳତା ହାସଲ କରିଛନ୍ତି । ବୈଭବ ସୂର୍ଯ୍ୟବଂଶୀ ଅତ୍ୟନ୍ତ ପ୍ରତିଯୋଗିତାମୂଳକ ଓ ପ୍ରତିଭାପୂର୍ଣ୍ଣ କ୍ରିକେଟ୍‌ ଜଗତରେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଅନେକ ରେକର୍ଡ ପ୍ରତିଷ୍ଠା କରିଛନ୍ତି । ସେମାନଙ୍କ ପରି ସାହସୀ ଏବଂ ପ୍ରତିଭାଶାଳୀ ପିଲାମାନେ ଭଲ କାମ କରି ଚାଲିବେ ଏବଂ ଭାରତର ଭବିଷ୍ୟତକୁ ଉଜ୍ଜ୍ୱଳ କରିବେ ବୋଲି ରାଷ୍ଟ୍ରପତି ଦୃଢ ବିଶ୍ୱାସ ପ୍ରକଟ କରିଥିଲେ ।