ମୁକ୍ତି ସଂଗ୍ରାମୀ ଗୋକୁଳାନନ୍ଦ
କୃଷ୍ଣ ଚନ୍ଦ୍ର ସୁଆର : ଦେଶର ସ୍ୱାଧୀନତା ଆନ୍ଦୋଳନରେ ଗାନ୍ଧିଜୀଙ୍କ ନୀତି ନିୟମ ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଝାସ ଦେଇଥିବା ସଂଗ୍ରାମୀମାନଙ୍କ ମଧ୍ୟରେ ସ୍ୱର୍ଗୀୟ ଗୋକୁଳାନନ୍ଦ ମହାନ୍ତି ଅନ୍ୟତମ । ଅସହଯୋଗ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ, ନିଶା ନିବାରଣ ଆନ୍ଦୋଳନ, ବ୍ୟକ୍ତିଗତ ସତ୍ୟାଗ୍ରହ ଓ ଭାରତଛାଡ ଆନ୍ଦୋଳନ ପ୍ରଭୃତିରେ ଯୋଗଦେଇ ସେ ଦେଶ ପାଇଁ ବହୁବାର କାରାବରଣ କରିଥିଲେ । ଏଥିପାଇଁ ତାଙ୍କୁ ବାଲେଶ୍ୱର ଜେଲ, ପାଟନା କେମ୍ପ ଜେଲ ଓ ବ୍ରହ୍ମପୁର ସେଣ୍ଟ୍ରାଲ ଜେଲରେ ରହିବାକୁ ପଡିଥିଲା।
ସେ ଥିଲେ ଏକାଧାରରେ ଜଣେ ସ୍ୱାଧୀନତା ସଂଗ୍ରାମୀ, ସଙ୍ଗଠକ, ବିଧାୟକ, ସାଂସଦ, ସରଳ, ଅମାୟିକ ନିଷ୍ଠାପର କର୍ମୀ ଓ ବହୁମୁଖୀ ପ୍ରତିଭାର ଅଧିକାରୀ ତଥା ଗୋକୁଳିବାବୁ ନାମରେ ସମସ୍ତଙ୍କ ନିକଟରେ ଖୁବ୍ ପରିଚିତ । ସରଳ ଓ ନିରାଡମ୍ବର ଜୀବନ ଯାପନ କରିବାକୁ ସେ ପସନ୍ଦ ମଣୁଥିଲେ । ତାଙ୍କ ଚାଲିଚଳନ, କଥାଭାଷା, ବ୍ୟବହାର ଓ ପୋଷାକପତ୍ର ସବୁ ସରଳ ଥିଲା । ସେ ଖଣ୍ଡିଏ ଖଦଡ ଧାତି, ପଞ୍ଜାବି, କାନ୍ଧରେ ଖଦଡ ବ୍ୟାଗ ଓ ଚପଲ ହଳେ ପରିଧାନ କରୁଥିଲେ । ଉଚ୍ଚ ରାଜନୈତିକ ମର୍ଯ୍ୟାଦାର ଅଧିକାରୀ ଥାଇ ମଧ୍ୟ ତାଙ୍କ ମନରେ ତିଳେ ହେଲେ ଗର୍ବ ନଥିଲା ବା ସେ ନିଜ ପାଇଁ ଓ ନିଜ ପରିବାର ପାଇଁ କୋଣସି ସୁଖ ସୁବିଧାଜନକ ରହଣି ଓ ଚଳଣିର ସୁବିଧା ପରିପାରିନଥିଲେ । ତାଙ୍କ ଭଳି ତ୍ୟାଗୀ ମଣିଷ ବାସ୍ତବରେ ବିରଳ ।
ଏହି ପ୍ରଥିତଯଶାଙ୍କର ଆବିର୍ଭାବ ହୁଏ ୧୮୯୯ ମସିହା ଡିସେମ୍ବର ମାସ ୨୩ ତାରିଖରେ ଭଦ୍ରକ ସହରର କେନ୍ଦ୍ରସ୍ଥଳୀ କୁଆଁସ ଗ୍ରାମର ଏକ ସ୍ୱଚ୍ଛଳ ଜମିଦାର ପରିବାରରେ । ତାଙ୍କ ପିତାଙ୍କ ନାମ ଉଦୟନାଥ ମହାନ୍ତି ଓ ମାତାଙ୍କ ନାମ ମୁକ୍ତା ଦେବୀ । ତାଙ୍କୁ ଯେତେବେଳେ ଛଅ ବର୍ଷ ବୟସ ହୋଇଥିଲା ସେ ତାଙ୍କ ନିଜ ବଡବାପାଙ୍କ ପୁଅ ଗଦାଧରଙ୍କ ସହିତ ବ୍ରିଟିଶ ସରକାର ବିରୋଧରେ ଶୋଭାଯାତ୍ରାରେ ଯୋଗ ଦେଇଥିଲେ । ମହାତ୍ମା ଗାନ୍ଧି ଭାରତର ସ୍ୱାଧୀନତା ଆନ୍ଦୋଳନରେ ଯୋଗଦେଇ ଦାୟିତ୍ୱ ଦେବା ପୂର୍ବରୁ ୧୯୦୫ରେ ବଙ୍ଗଭଙ୍ଗ ଆନ୍ଦୋଳନ ବେଳରୁ ସେ ଖଦଡ ପିନ୍ଧୁଥିଲେ ଓ ସେ ଓଳସୀ କଣ୍ଠରେ ବନ୍ଦେ ମାତରମ ପକ୍ଷରୁ ସଙ୍ଗୀତ ବୋଲି ସମସ୍ତଙ୍କୁ ମୁଗ୍ଧ ଓ ଅନୁପ୍ରାଣିତ କରୁଥିଲେ । ଭାଇଙ୍କ ସଙ୍ଗୀତ ଶୁଣି ସେ ମୁଗ୍ଧ ହେବା ସାଙ୍ଗକୁ ତାଙ୍କ କୋମଳମତି ମନରେ ଗଭୀର ପ୍ରଭାବ ପକାଇଥିଲା । ଏତଦ୍ବ୍ୟତୀତ ଭଦ୍ରକ ହାଇସ୍କୁଲରେ ପାଠ ପଢୁଥିବା ବେଳେ ସେଠାକାର ପ୍ରଧାନଶିକ୍ଷକ ଶାକ୍ୟ ସିଂହ ସେନ ଜାତି ପ୍ରୀତି ତଥା ଦେଶାତ୍ମବୋଧ ଜ୍ଞାନ ଶିଖର ଥିଲେ । ତେଣୁ ତାଙ୍କ ମନରେ ଏଠାରୁ ର୍ହି ଦେଶ କାମ ଚିନ୍ତାଧାରାର ମୂଳଦୁଆ ପଡିଥିଲା । ସ୍ୱର୍ଗୀୟ ମହାନ୍ତି କୁଆଁସ ପ୍ରାଥମିକ ବିଦ୍ୟାଳୟରୁ ଶିକ୍ଷା ସମାପ୍ତି କରିବା ପରେ ଭଦ୍ରକ ହାଇସ୍କୁରରୁ ୧୯୧୬ ମସିହାରେ ପ୍ରଥମ ଶ୍ରେଣୀର ଉତ୍ତୀର୍ଣ୍ଣ ହୋଇ ଉଚ୍ଚଶିକ୍ଷା ନିମନ୍ତେ ସେ ରେଭେନ୍ସା ମହାବିଦ୍ୟାଳୟରେ ନାମ ଲେଖାଇଥିଲେ । ସେଠାରେ ସେ ବି.ଏ.ପଢୁଥିବା ସମୟରେ ସ୍ୱାଧୀନତା ଆନ୍ଦୋଳନରେ ଝାସ ଦେଇଥିଲେ । ତାଙ୍କର ସହପାଠୀମାନେ ଇଂରେଜ ସରକାରଙ୍କ ଉଚ୍ଚପଦସ୍ଥ ଅଧିକାରୀ ହେବା ପାଇଁ ପ୍ରସ୍ତୁତ କରୁଥିବା ବେଳେ ସେ ପଢା ଛାଡି ଦେଶମାତୃକାକୁ ମୁକ୍ତି କରିବା ନିମନ୍ତେ ଗାନ୍ଧିଜୀଙ୍କ ଆହ୍ୱାନରେ ୧୯୨୧ ମସିହାରେ ଅସହଯୋଗ ଆନ୍ଦୋଳନରେ ଯୋଗଦେଇ ପ୍ରଥମେ କାରାବରଣ କରିଥିଲେ । ଗୋପବନ୍ଧୁଙ୍କ ଭାଷଣରେ ସେ ପ୍ରଭାବିତ ହେବା ସାଙ୍ଗକୁ ଏଥିରେ ତାଙ୍କୁ ପ୍ରବର୍ତ୍ତାଇ ଥିଲେ ସହପାଠୀ ଯଦୁମଣି ମଙ୍ଗରାଜ। ପଲ୍ଲୀକବି ନନ୍ଦକିଶୋର ବଳଙ୍କ ସାନ୍ନିଧ୍ୟ ମଧ୍ୟ ତାଙ୍କୁ ତ୍ୟାଗପୂତ ସାଧନା ଆଡକୁ ପଥ ସୁଗମ କରିବା ଦିଗରେ ଯଥେଷ୍ଟ ସହାୟକ ହୋଇଥିଲଳା । ସେ ଜେଲରୁ ବାହାରି ଅକଳାଶ୍ରମର ଜାତୀୟ ବିଦ୍ୟାଳୟରେ କିଛିଦିନ ଶିକ୍ଷକତା କରିଥିଲେ।
୧୯୩୦ ମସିହାରେ ଐତିହାସିକ ଲବଣ ସତ୍ୟାଗ୍ରହ ବେଳେ ତାଙ୍କର ପ୍ରମୁଖ ଭୂମିକା ଥିଲା । ବାଲେଶ୍ୱର ଜିଲ୍ଲାର ଇଞ୍ଚୁଡିଠାରେ ଆଚାର୍ଯ୍ୟ ହରିହରଙ୍କ ନେତୃତ୍ୱରେ ପ୍ରଥମ ଲବଣ ସତ୍ୟାଗ୍ରହୀ ଭାବେ ମୁଠାଏ ଲୁଣ ଉଠାଇ ସେ ଆଇନ ଭଙ୍ଗ କରିଥିଲେ । ତେଣୁ ପୋଲିସ ଠାରୁ ଲାଠି ପ୍ରହାର ଖାଇବା ସହିତ ପାଟଣା କ୍ୟାମ୍ପ ଜେଲରେ ଛଅମାସ ଜେଲଦଣ୍ଡ ଭୋଗ କରିଥିଲେ । ସେଠାରେ ଜେଲରେ ଥିବାବେଳେ ସେଠି ଗୋଲକନନ୍ଦ ମହାନ୍ତି ନାମରେ ଜଣେ ଡକାୟତଙ୍କ ତିରୋଧାନ ହେବାରୁ ଇଂରେଜ ସରକାର ଗୋକୁଳାନନ୍ଦ ମହାନ୍ତି ମରିଗଲେ ବୋଲି ଜାଣିଶୁଣି ମିଥ୍ୟା ମୃତ୍ୟୁ ସମ୍ପାଦ ତାଙ୍କ ବାପାଙ୍କ ପାଖକୁ ଖବର ପଠାଇବାରୁ ସମସ୍ତେ ଘରେ ଛାନିଆ ହୋଇଯାଇଥିଲେ । ପରେ ତାଙ୍କ ପିଉସା ଗଜେନ୍ଦ୍ର ବାବୁ ଓକିଲଙ୍କୁ ଟେଲିଗ୍ରାମ କରିବାରୁ ସେ ସଠିକ୍ ଖବର ଦେବାରୁ ଆଶ୍ୱସ୍ତ ଅନୁଭବ କରିଥିଲେ । କାରାଗାରରୁ ମୁକୁଳି ସେ ନିଶା ନିବାରଣ ଆନ୍ଦୋଳନ ଆରମ୍ଭ କରିଥିଲେ । ୧୯୩୨ ମସିହାରେ ସେ ଚନ୍ଦନ ବଜାରର ଜଲିଲଙ୍କ ସେଟ୍ଟଜୀଙ୍କ ଅଫିମ ଗଞ୍ଜାମ ଦୋକାନ ଆଗରେ ପିକେଟିଂ କରିବାର ନେତୃତ୍ୱ ନେଇଥିଲେ । ତାଙ୍କ ସହିତ ସେତିକିବେଳେ ଥିଲେ ସଂଗ୍ରାମୀ ସାଥୀ ହନିଫ ବାବୁ ଓ ସରମଙ୍ଗା ଗ୍ରାମର ଭୋଳାନାଥ ମହାପାତ୍ର । ପୋଲିସର ମାଡ଼ ପରେ ତାଙ୍କ ସହିତ ଗିରଫ ହୋଇଥିଲେ ସମସ୍ତ ସତ୍ୟାଗ୍ରହୀ ।
୧୯୪୦ରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଚାଲିଥିବା ସମୟରେ ଇଂରେଜ ସରକାରଙ୍କୁ ଏଥିରେ କୋଣସି ପ୍ରକାର ସହଯୋଗ ନକରିବା ପାଇଁ ଗାନ୍ଧିଜୀ ସଂଗ୍ରାମୀମାନଙ୍କୁ ଆହ୍ୱାନ ଦେଇଥିଲେ ଏବଂ ଅହିଂସା ନୀତିରେ ଆନ୍ଦୋଳନକୁ ପରିଚାଳିତ କରିବା ପାଇଁ ସମସ୍ତଙ୍କୁ ଚେତାବନୀ ଶୁଣାଇଥିଲେ । ଗୋକୁଳାନନ୍ଦ ଏହି ବ୍ୟକ୍ତିଗତ ସତ୍ୟାଗ୍ରହରେ ଭାଗ ନେଇ କାରାବରଣ କରିଥିଲେ। ୧୯୪୨ ଭାରତଛାଡ ଆନ୍ଦୋଳନ ବେଳେ ଭଦ୍ରକ ସବ୍ଡିଭିଜନ ବାସୁଦେବପୁର ଥାନାର ଇରମ୍ଠାରେ ସତ୍ୟାଗ୍ରହୀମାନଙ୍କ ଉପରେ ପୋଲିସ ବାହିନୀର ନିର୍ମମ ଗୁଳିକାଣ୍ଡ ହୋଇଥିଲା । ଏଠାରେ ୨୮ଜଣ ମୃତାହତ ହେବା ସାଙ୍ଗକୁ ଶତାଧିକ ସତ୍ୟାଗ୍ରହୀ କ୍ଷତବିକ୍ଷତ ହୋଇଥିଲେ । ଗୋକୁଳାନନ୍ଦ ସେଠାରେ ପହଞ୍ଚ ସହିଦ ହୋଇଥିବା ଲୋକମାନଙ୍କ ପରିବାରକୁ ସାନ୍ତ୍ୱନା ଦେବା ସହିତ ଜନସାଧାରଣଙ୍କୁ ଯଥାସାଧ୍ୟ ସାହାଯ୍ୟ ଯୋଗାଇଥିବାରୁ ପୋଲିସ ତାଙ୍କୁ ଆରେଷ୍ଟ କରି ପ୍ରଥମେ ଭଦ୍ରକ ଜେଲ ଓ ତତ୍ପରେ ବାଲେଶ୍ୱର ଜେଲକୁ ସ୍ଥାନାନ୍ତରିତ କରିଥିଲେ । କିଛିଦିନ ପରେ ତାଙ୍କୁ ଭାରତ ରକ୍ଷା ଆଇନ ବଳରେ ବାଲେଶ୍ୱର ଜେଲରୁ ବ୍ରହ୍ମପୁର କେନ୍ଦ୍ରୀୟ ଜେଲକୁ ପଠାଇ ଅଟଳବନ୍ଦୀ ଭାବରେ ୧୯୪୫ ମସିହା ପର୍ଯ୍ୟନ୍ତ ରଖିଥିଲେ । ସେଠାରେ ବିଖ୍ୟାତ ନେତୃବୃନ୍ଦ ଯଥା- ନବକୃଷ୍ଣ ଚୋଧୁରୀ, ମୋହନ ନାୟକ, ମହମ୍ମଦ ହନିଫ୍, ବିନୋଦ କାନୁନଗୋ, ମୋହନ ଦାସ, ପ୍ରାଣନାଥ ପଟ୍ଟନାୟକ, ଜୟକୃଷ୍ଣ ମହାନ୍ତି ପ୍ରମୁଖ ତାଙ୍କର ସହବନ୍ଦୀ ଭାବରେ ରହିଥିଲେ । ଅବଶେଷରେ ୧୯୪୫ ମସିହା ଡିସେମ୍ବର ମାସରେ ସେ କାରାମୁକ୍ତ ହୋଇ ଗାନ୍ଧିଜୀଙ୍କର ଗ୍ରାମ୍ୟ ସ୍ୱରାଜର ସଫଳ ରୂପାୟନ ପାଇଁ ଚେଷ୍ଟିତ ହୋଇଥିଲେ।
ସେ ୧୯୪୮ ମସିହାରୁ ୧୯୫୨ ପର୍ଯ୍ୟନ୍ତ ବାଲେଶ୍ୱର ଜିଲ୍ଲା ବୋର୍ଡର ଅଧ୍ୟକ୍ଷ ଥିଲେ । ୧୯୫୨ରେ ବନ୍ତ ଭଣ୍ଡାରୀପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଏବଂ ୧୯୫୭ ଯାଏ ତା’ର ସଦସ୍ୟ ଥିଲେ । ୧୯୬୧ରେ ଭଣ୍ଡାରୀପୋଖରୀ ପଞ୍ଚାୟତ ସମିତିର ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇ ସେ ଅବିଭକ୍ତ ବାଲେଶ୍ୱର ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ। ୧୯୬୨ରେ ବାଲେଶ୍ୱର ନିର୍ବାଚନ ମଣ୍ଡଳୀରୁ ଲୋକସଭାକୁ ନିର୍ବାଚିତ ହୋଇ ୧୯୬୭ ଯାଏ ଜଣେ ଦକ୍ଷ ସାଂସଦ ଭାବେ କାର୍ଯ୍ୟ ତୁଲାଇଥିଲେ । ସେ ଶାଳନ୍ଦୀ ନଦୀ କୂଳରେ ପଥର ବନ୍ଧ, କୁଆଁସ ଠାରେ ମାଇନର ସ୍କୁଲ ପ୍ରତିଷ୍ଠା ସମେତ ବିଭିନ୍ନ ଜନହିତକର କାର୍ଯ୍ୟ କରିଥିଲେ । ଏକାଧିକବାର ବାଲେଶ୍ୱରର ପ୍ରଳୟଙ୍କାରୀ ବନ୍ୟା ଓ ଭଦ୍ରକ ସବ୍ଡିଭିଜନର ବ୍ୟାପକ କ୍ଷତି ହେତୁ ସେ ପୁଣ୍ୟତ୍ମା ଗୋପବନ୍ଧୁଙ୍କ ନିର୍ଦ୍ଦେଶରେ ବନ୍ୟା ଦୁର୍ଗତଙ୍କ ସେବାରେ ନିଜକୁ ନିୟୋଜିତ କରିଥିଲେ। ସଂଗ୍ରାମୀ ଜୀବନ ସହ ଅନେକ ଉନ୍ନତି ଓ ଗଠନମୂଳକ ପଦକ୍ଷେପ ନେଇ ସେ ଉଦାହରଣ ସୃଷ୍ଟି କରିଥିଲେ । ତନ୍ମଧ୍ୟରେ ଅସ୍ପୃଶ୍ୟତା ନିବାରଣ, ଖଦି ପ୍ରସାରଣ, ନିଶା ନିବାରଣ କୁଷ୍ଠରୋଗୀ ଚିକିତ୍ସା, ମୋଳିକ ଶିକ୍ଷା, ସାଂପ୍ରଦୟିକ ଏକତା, ବାଲ୍ୟବିବାହ ନିରାକରଣ, କୃଷକ ସମାଜ ଗଠନ, ପ୍ରାକୃତିକ ଦୁର୍ବିପାକରେ ବିପନ୍ନ ଜନସାଧାରଣଙ୍କୁ ରିଲିଫ ଯୋଗାଇବା ପାଇଁ ସେ ନିପଟ ମଫସଲରେ ଆଶ୍ରମ ସ୍ଥାପନା କରିବା ଥିଲା ଅନ୍ୟତମ।
ଏତଦ୍ବ୍ୟତୀତ ୧୯୩୪ରେ ଗାନ୍ଧିଜୀଙ୍କ ସହ ପଦଯାତ୍ରା କରିଥିଲେ । ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୋଧୁରୀଙ୍କର ପ୍ରୋତ୍ସାହନରେ ବିନୋବାଙ୍କର ପଦଯାତ୍ରା ଓ ଭୂମିଦାନ ଆନ୍ଦୋଳନରେ ସେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ୧୯୫୮-୬୦ ଭାରତ ସେବକ ସମାଜର ସଙ୍ଗଠନ ଥିଲେ ।ବାଲେଶ୍ୱର ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସଂଘର ସେ ସଭାପତି ଥିଲେ । ଉପଦେଶ ଛଳରେ ସେ କହୁଥିଲେ ସ୍ୱାଧୀନତା ସଂଗ୍ରାମୀମାନେ ସଙ୍ଗଠିତ ହୋଇ ଗାନ୍ଧୀମାର୍ଗରେ ସମାଜସେବା ନକରିଲେ ଭତ୍ତା ଗ୍ରହଣ କରିବା ସେମାନଙ୍କ ପକ୍ଷେ ଅନ୍ୟାୟ । ତାଙ୍କ ଜୀବନଶୈଳୀକୁ ଅନୁଧ୍ୟାନ କଲେ ଜଣାଯାଏ ସେ ଏହାକୁ ଅକ୍ଷରେ ଅକ୍ଷରେ କାର୍ଯ୍ୟକାରୀ କରିବା ଦିଗରେ ଶେଷ ନିଶ୍ୱାସ ତ୍ୟାଗ ପର୍ଯ୍ୟନ୍ତ ଚେଷ୍ଟିତ ଥିଲେ। ୧୯୭୪ ଡିସେମ୍ବର ୪ ତାରିଖରେ ତାଙ୍କର ପରଲୋକ ହୋଇଥିଲା । ସେ ଆଜି ନାହାନ୍ତି ସତ, ହେଲେ ରଖିଦେଇ ଯାଇଛନ୍ତି ଚିରନ୍ତନ ସ୍ମୃତି। ତାଙ୍କ ପରି ଜଣେ ନିଷ୍ଠାପର ସଂଗ୍ରାମୀ ଓ ଉତ୍ସର୍ଗୀକୃତ ମଣିଷ ବାସ୍ତବରେ ଆଜି ବିରଳ। ଆମେ ତାଙ୍କ କଠୋର ସାଧନା, ଅପରିମିତ ସାହସ ଓ ଦେଶପ୍ରୀତିରେ ଅନୁପ୍ରାଣିତ ହେବା ସଙ୍ଗେ ଆମ ଯୁବପିଢି ଉତ୍ତମ ବୁଝାମଣା ସହ ଆମ ସହାବସ୍ଥାନରେ କାନ୍ଧକୁ କାନ୍ଧ ମିଳାଇ କାର୍ଯ୍ୟ କଲେ ଆମ ସାମାଜିକ ଜୀବନ ସୁସ୍ଥ ଓ ସୁନ୍ଦର ରହିବା ସଙ୍ଗେ ଅଖଣ୍ଡତା ବଜାୟ ରହନ୍ତା ।
ଏମଆଇଜି-୧, ୪୨/୧
ହାଉସିଂବୋର୍ଡ କଲୋନୀ
ଚନ୍ଦ୍ରଶେଖରପୁର, ଭୁବନେଶ୍ୱର-୧୬
Samir Kumar Rout