ପ୍ରବାସୀ ଭାରତୀୟ ଦିବସ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା : ତ୍ରିନିଦାଦ ଓ ଟୋବାଗୋ ରାଷ୍ଟ୍ରପତି ମୁଖ୍ୟ ଅତିଥି

 ଆସନ୍ତା ୮ରୁ ୧୦ତାରିଖ ପର୍ୟ୍ୟନ୍ତ ୩ଦିନ ଧରି ଭୁବନେଶ୍ୱରର ଜନତା ମଇଦାନରେ ପାଳିତ ହେବ ‘ପ୍ରବାସୀ ଭାରତୀୟ ଦିବସ’ ସମାରୋହ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ତ୍ରିନିଦାଦ ଓ ଟୋବାଗୋ ରାଷ୍ଟ୍ରପତି କ୍ରିଷ୍ଟାଇନ୍ କାର୍ଲ କାଙ୍ଗାଲୁ । ତାଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,  ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ପର୍ୟ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ୍ ମଧ୍ୟ ଯୋଗଦେବେ ।  ଏହି ସମାରୋହରେ ଦେଶ ବିଦେଶରୁ ପ୍ରାୟ ୭ହଜାର ଅତିଥି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।  ଏହି ସମୀକ୍ଷା ବୈଠକରେ ଦୁଇ ଉପମୁଖ୍ୟମନ୍ତ୍ରୀ, ପୂର୍ତ୍ତ ମନ୍ତ୍ରୀ, ନଗର ଉନ୍ନୟନ ମନ୍ତ୍ରୀ, ସଂସ୍କୃତି ମନ୍ତ୍ରୀଙ୍କ ସମେତ ମୁଖ୍ୟ ସଚିବ ଓ ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ଥିଲେ । ଓଡ଼ିଶାର ସମୃଦ୍ଧ କଳା,ସଂସ୍କୃତି ଓ ଐତିହ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ପ୍ରବାସୀ ଭାରତୀୟ ଦିବସ ଏକ ପ୍ରକୃଷ୍ଟ ଅବସର ବୋଲି କହିଛନ୍ତି  ମୁଖ୍ୟମନ୍ତ୍ରୀ । ସମାରୋହର ସଫଳ ରୂପାୟନରେ ଭାଗିଦାରୀ ହେବାକୁ ସମସ୍ତଙ୍କୁ ନିବେଦନ କରିଛନ୍ତି । ଏହି ସମାରୋହକୁ ଦୃଷ୍ଟିରେ ରଖି ଅଧିକ ସଂଖ୍ୟକ ହାଇସିକ୍ୟୁରିଟି ଫୋର୍ସ, ୨୫୦ ଟ୍ରାଫିକ ନିୟନ୍ତ୍ରଣକାରୀ ଓ ୧୪୦ ଲିଆଜିନିଙ୍ଗ୍ ଅଫିସରଙ୍କୁ ନିୟୋଜିତ କରାଯାଇଛି ।

ସେହିପରି ବିଦେଶରୁ ଆସୁଥିବା ଅତିଥିମାନଙ୍କୁ ଏକ ସୁନ୍ଦର ଓ ସୌହର୍ଦ୍ଦ୍ୟପୂର୍ଣ୍ଣ ଅଭିଜ୍ଞତା ପ୍ରଦାନ ପାଇଁ ଟ୍ୱିନସିଟି ଭୁବନେଶ୍ୱର ଓ କଟକକୁ ସମ୍ପୂର୍ଣ୍ଣ ରୂପେ ସ୍ୱଚ୍ଛ ଓ ନିର୍ମଳ କରାଯାଇଛି ।  ସହରର ରାସ୍ତାଘାଟ, ଅଫିସ୍ ବିଲିଡିଂ, ବିଡିଏ ପାର୍କ ଓ ବରପୁତ୍ରଙ୍କ ପ୍ରତିମୂର୍ତ୍ତିଗୁଡ଼ିକୁ ପରିଷ୍କାର ପରିଚ୍ଛନ୍ନ କରାଯାଇ  ଆଲୋକମାଳାରେ ସୁସଜ୍ଜିତ କରାଯାଉଛି ।ପ୍ରବାସୀ ଭାରତୀୟ ଦିବସ ସମାରୋହ ଆୟୋଜନବେଳେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପଥ ଉତ୍ସବ,ଏକାମ୍ର ଉତ୍ସବ, ଆଦିବାସୀ ମେଳା ପ୍ରଭୁତି ଦ୍ୱାରା ରାଜଧାନୀକୁ ଉତ୍ସବ ମୁଖର କରାଯିବ ।ସେହିପରି ରାଜାରାଣୀ ସଙ୍ଗୀତ ଉତ୍ସବ, ଓଡ଼ିଶୀ ନୃତ୍ୟ,ମୁକ୍ତେଶ୍ୱର ଡ୍ୟାନ୍ସ ଫେଷ୍ଟିଭାଲ, ଦେଶଜ ନୃତ୍ୟ ଇତ୍ୟାଦି ମାଧୟ୍‌ମରେ ବିଭିନ୍ନ ସ୍ଥାନରେ ଓଡ଼ିଶାର କଳାସଂସ୍କୃତି ଓ ଐତିହ୍ୟର ପ୍ରଦର୍ଶନ କରାଯିବ । ଏହାର ସିଧାସଳଖ ପ୍ରସାରଣ ମଧ୍ୟ ଦୂରଦର୍ଶନରେ କରାଯିବ । ଭୁବନେଶ୍ୱର ସହିତ ଏହାର ଆଖପାଖ ଅଂଚଳର ପରିମଳ ବ୍ୟବସ୍ଥା ଓ ସୌନ୍ଦର୍ଯ୍ୟ କରଣ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ବିଏମସି ଓ ନଗର ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।