ପ୍ରଶାସନର ଗେଲ୍ଲାପୁଅ ସାଜିଛି ଲିଜଧାରୀ ; ବର୍ଷକର ଅନୁମତି ମାସ କେଇଟାରେ ଶେଷ
- କୁଆଡେ଼ ଗଲା ଟାସ୍କ ଫୋର୍ସ ?
ଯାଜପୁର : ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଧୀନ ରେଖିଦେଇପୁର ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଅନ୍ତର୍ଗତ ବିଛାଖଣ୍ଡି ମୌଜାରେ ଲିଜଧାରୀ ବେଆଇନ ଭାବରେ କଳାପଥର ଲୁଟ କରୁଥିବାର ଅଭିଯୋଗ ହେଉଛି । ଲଘୁ ଖଣି ବିଭାଗ ପକ୍ଷରୁ ବିଛାଖଣ୍ଡି ମୌଜାର ବିଏସକ୍ୟୁ ନଂ-୬, ଖାତା ୮୨୨, ପ୍ଲଟ ୨୩୮୮(ପି), ଏରିଆ ୯.୩୦ଏବଂ ୩୦୦୨୭ କ୍ୟୁବିକ୍ ମିଟର ବାର୍ଷିକ ପଥର ଉତ୍ତୋଳନ ପାଇଁ ଅନୁମତି ମିଳିଛି । ଅନୁମୋଦନ ଠାରୁ ଢେର ଗୁଣ କଳାପଥର ଲୁଟ ଯୋଗୁ ସରକାରଙ୍କ କୋଟି କୋଟି ଟଙ୍କା ରାଜସ୍ୱ ହାନି ହେଉଛି । ବିନାଟ୍ରାଂଜିଟ ପାସ୍ରେ ଖଣିରୁ ଶହ ଶହ ଟ୍ରିପ କଳାପଥର ଉତ୍ତୋଳନ ଅଭିଯୋଗକୁ ଅଣଦେଖା କରୁଛି ପ୍ରଶାସନ । ୨୪ ଘଣ୍ଟିଆ ବେଆଇନ ବ୍ଲାଷ୍ଟିଙ୍ଗ କରି ବେଶ ମୁନାଫା କମାଉଥିବା ବେଳେ ରାଜ୍ୟ ସରକାରଙ୍କୁ ହିଁ କ୍ଷତି ସହିବାକୁ ପଡୁଛି । ଲିଜଧାରୀଙ୍କୁ ନିର୍ଦ୍ଦିଷ୍ଟ ବାର୍ଷିକ ଉତ୍ତୋଳନ ପାଇଁ ଅନୁମତି ମିଳିଥିଲେ ହେଁ ମାସ କେଇଟାରେ ହଜାର ହଜାର କ୍ୟୁବିକ୍ ମିଟର ପଥର ଉତ୍ତୋଳନ ହୋଇଥିବାର ଅଭିଯୋଗ ସାମ୍ନାକୁ ଆସିଛି ।
ଖଣିରୁ ପଥର ଉତ୍ତୋଳନ କରିବାକୁ ସରକାରୀ ସ୍ତରରେ ଅନେକ ନୀତିନିୟମ ରହିଥିଲେ ମଧ୍ୟ ଏହାକୁ ଲିଜ ଧାରୀ ବେଆଇନ କାର୍ଯ୍ୟ କରୁଛନ୍ତି । ଦୈନିକ ଦୁଇ, ତିନୋଟି ବଡ଼ବଡ଼ ପ୍ରୋକ୍ଲିନ ମେସିନ ଲଗାଇ ଖଣିରୁ ଲକ୍ଷାଧିକ ଟଙ୍କାର ପଥର ଉତ୍ତୋଳନ କରୁଥିବାର ଅଭିଯୋଗ ହେଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଚୁପ ରହୁଛନ୍ତି । ଜିଲ୍ଲାରେ ଖଣି ଲୁଟ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କୁ ନେଇ ଟାସ୍କଫୋର୍ସ ଗଠନ କରାଯାଇଛି । ହେଲେ ଉକ୍ତ ଟାସ୍କଫୋର୍ସ କୋମାରେ ଥିବା ଭଳି ମନେହେଉଛି । ବିଭାଗୀୟ ଅଧିକାରୀ କାଗଜ କଲମରେ ଖଣି ଲିଜ ଦେଇ କେବଳ ଶୀତ ତାପ ନିୟନ୍ତ୍ରଣ କୋଠରୀରେ ବସି ସବୁକିଛି ଠିକ୍ଠାକ୍ ଚାଲିଥିବାର ରିପୋର୍ଟ କରିବାରେ ଲାଗିଛନ୍ତି । ହେଲେ ବାସ୍ତବତା କ’ଣ ତାହା ପରଖିବାକୁ କୌଣସି ଅଧିକାରୀଙ୍କ ପାଦ ଖଣିରେ ପଡ଼ୁନାହିଁ । ହାଇବା ଦ୍ୱାରା ମାତ୍ରାଧିକ ପରିବହନ କରି ରାସ୍ତା ଘାଟ ବିପର୍ଯସ୍ତ କରିବା, ବିସ୍ପୋରଣରେ ଘର ଦ୍ୱାରା ଫାଟିବା, ବେଆଇନ ବିସ୍ପୋରଣ ଦ୍ୱାରା ଭୁତଳ ଜଳ ଦୂଷିତ କରିବା ସହିତ ବିଭିନ୍ନ ମାରାତ୍ମକ ରୋଗରେ ଅଞ୍ଚଳବାସୀ ପୀଡିତ ହୋଇ ମୃତ୍ୟୁ ମୁଖରେ ପଡୁଛନ୍ତି । କେବେ ହେଲେ ଲିଜଧାରୀ ପାର୍ଶ୍ୱ ବର୍ତୀ ଗ୍ରାମ ମାନଙ୍କରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଥିବାର ଦେଖିବାକୁ ମିଳେନି । ଧର୍ମଶାଳା ତହସିଲ ଅଞ୍ଚଳରେ ଲଘୁ ଖଣିଜ ଦ୍ରବ୍ୟ ବାବୁ ମାନଙ୍କ ଆଶ୍ରିବାଦରେ ଲିଜଧାରୀ ଲୁଟ କରୁଛନ୍ତି । କଳାପଥରକୁ ଖୁଲମ ଖୁଲା ଖଣି ବିଭାଗର ଇସାରାରେ ଚୋରା ଚାଲାଣ ହେଉଥିବା ସବୁବେଳେ ଚର୍ଚ୍ଚା ହୋଇଆସୁଛି । ଜିଲ୍ଲା ପ୍ରଶାସନ ଏବଂ ଲଘୁ ଖଣି ବିଭାଗର ଲିଜଧାରୀ ଗେଲ୍ଲାପୁଅ ସାଜିଥିବା ଦେଖିବାକୁ ମିଳୁଛି । ବେଆଇନ ଖଣି ଖନନ ହେଉଥିବା ନେଇ ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା ଲଘୁ ଖଣିଜ ନିର୍ଦ୍ଦେଶକଙ୍କୁ ଅଭିଯୋଗ ହୋଇଥିବା ଜଣାପଡିଛି । ସରକାର ଏଥିପ୍ରତି ଦୁଷ୍ଟି ଦେଇ ଇଡ଼ି, ସିବିଆଇ ଦ୍ୱାରା ଯାଞ୍ଚ ସହିତ ଚଢ଼ାଉ କଲେ ଅନେକ ଭଦ୍ର ମୁଖା ଖୋଲିଯିବ ଏବଂ ସରକାର ରାଜସ୍ୱ କ୍ଷତିରୁ ମୁକୁଳିବେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।