ବିଦ୍ୟୁତ ଖୁଣ୍ଟ ପଡି ଛାତ୍ର ଗୁରୁତର ଆହତ
ସୋର : ବିଦ୍ୟୁତ ଖୁଣ୍ଟ ପଡି ନବମ ଶ୍ରେଣୀର ଛାତ୍ର ଦେବାଶିଷ ବେହେରା(୧୪) ଗୁରୁତର ଆହତ। ଛାତ୍ର ଜଣଙ୍କ ସୋର ଥାନା ସରଶଙ୍ଖ ଗ୍ରାମର। ସକାଳେ ଟିଉସନରୁ ଫେରିବା ବେଳେ ପଞ୍ଚାୟତ ଅଫିସ ପାଖ ଗୁଲାସାହି ନିକଟରେ ଏକ କୁକୁଡା ବୋଝେଇ ଟ୍ରକ୍ ରାସ୍ତା କଡ଼ରେ ଥିବା ବିଦ୍ୟୁତ ଖଣ୍ଟକୁ ଧକା ଦେଇଥିଲା। ଫଳରେ ବିଦ୍ୟୁତ ଖୁଣ୍ଟଟି ଦେବାଶିଷଙ୍କ ସାଇକେଲ ଉପରେ ପଡ଼ିଯାଇଥିଲା । ଦେବାଶିଷଙ୍କର ସାଇକେଲ ଭାଙ୍ଗି ଯାଇଥିବା ବେଳେ ସେ ଗୁରୁତର ଆହତ ହୋଇଥିଲେ। ତୁରନ୍ତ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଡ୍ରାଇଭର ଓ ହେଲପର୍ ଫେରାର ଥିବାବେଳେ ସୋର ପୁଲିସ ଗାଡିକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।