ପ୍ଲାଷ୍ଟିକ୍ ଜଳ ଓ ଗୋମାତାଙ୍କ ଶତ୍ରୁ: ଧର୍ମେନ୍ଦ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର : ବିଶ୍ୱ ପରିବେଶ ଦିବସ ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ ଗୋଲମାର୍କେଟ୍ ସ୍ଥିତ ପିଏମ୍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ‘ଏକ୍ ପେଡ୍ ମା’ କେ ନାମ ୨.୦’ ଅର୍ଥାତ୍ ‘ମା’ଙ୍କ ନାମରେ ଗୋଟିଏ ଗଛ ୨.୦’ ଅଭିଯାନର ଶୁଭାରମ୍ଭ କରିଛନ୍ତି । ଏହାସହ ବୃକ୍ଷରୋପଣ କରିଛନ୍ତି । ଏ ଅବସରରେ ଧର୍ମେନ୍ଦ୍ର ପ୍ରକୃତିର ସୁରକ୍ଷା ସହ ଜଡିତ ମଡୁ୍ୟଲ୍, ପୋର୍ଟାଲ୍ ଏବଂ ମାଇକ୍ରୋସାଇଟ୍ ମଧ୍ୟ ଉନ୍ମୋଚନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ପରିକଳ୍ପନାକୁ ଆଗକୁ ବଢ଼ାଇବା ଲକ୍ଷ୍ୟରେ ସମସ୍ତ ପଦକ୍ଷେପ ଦେଶର ଛାତ୍ରଛାତ୍ରୀଙ୍କ ମଧ୍ୟରେ ପରିବେଶ ସୁରକ୍ଷା ବିଷୟରେ ସଚେତନତା ବୃଦ୍ଧି କରିବ ବୋଲି ଧର୍ମେନ୍ଦ୍ର କହିଛନ୍ତି ।
ଏହାସହ ସେ କହିଛନ୍ତି ପ୍ଲାଷ୍ଟିକ ହେଉଛି ପରିବେଶ ପ୍ରଦୂଷଣର ମୁଖ୍ୟ କାରଣ ଏବଂ ଜଳ, ଗୋମାତାଙ୍କ ପ୍ରଥମ ଶତ୍ରୁ । ଆମର ଦୈନନ୍ଦିନ ଜୀବନରେ ପ୍ଲାଷ୍ଟିକ ବ୍ୟବହାର ବହୁ ପରିମାଣରେ ବୃଦ୍ଧି ହୋଇଛି । ସାରା ଭାରତରେ ୧୪୫ କୋଟି ଲୋକ ପ୍ରତିଦିନ ୨୬ କୋଟିରୁ ଊର୍ଦ୍ଧ୍ୱ ପ୍ଲାଷ୍ଟିକ ବ୍ୟବହର କରୁଛନ୍ତି । ଇ-କମର୍ସ ପ୍ଲାଟଫର୍ମରେ ମଧ୍ୟ ପ୍ଲାଷ୍ଟିକ ବ୍ୟାଗ୍ ବର୍ତ୍ତମାନ ମୁଣ୍ଡବ୍ୟଥାର କାରଣ ସାଜିଛି । ଏଣୁ ଦୈନନ୍ଦିନ ଜୀବନରେ ପ୍ଲାଷ୍ଟିକ ବ୍ୟବହାର ବନ୍ଦ ସହ ଛାତ୍ରଛାତ୍ରୀଙ୍କୁ ପରିବେଶ ସୁରକ୍ଷାରେ ଅଂଶୀଦାର ହେବା ପାଇଁ ପ୍ରୋତ୍ସାହିତ କରିବାକୁ ସେ ଆହ୍ୱାନ ଦେଇଛନ୍ତି ।  ଏ ଅବସରରେ ଧର୍ମେନ୍ଦ୍ର ଦେଶରେ ବଢୁଥିବା ମେଦବହୁଳତା ସମସ୍ୟା ଉପରେ ଆଲୋକପାତ କରିବା ସହ ଛାତ୍ରଛାତ୍ରୀ ଏବଂ ଯୁବପିଢିଙ୍କୁ କମ ତୈଳଯୁକ୍ତ ଖାଦ୍ୟ ଖାଇବାକୁ ପରାମର୍ଶ ଦେଇଥିଲେ ।