ଫୁଡ କୋର୍ଟ "ସୁଆଦ ସମ୍ବଲପୁର' ଉଦ୍ଘାଟିତ
ସମ୍ବଲପୁର : ମହାନଗର ନିଗମ ପକ୍ଷରୁ ଜେଲ୍ ଛକ ଠାରେ ମୁକ୍ତା ଯୋଜନାରେ ତିଆରି ହୋଇଥିବା ସୁଆଦ୍ ସମ୍ବଲପୁର ସାଂସଦ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକାର୍ପଣ କରିଛନ୍ତି । ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ, ଜୟ ନାରାୟଣ ମିଶ୍ର, ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ସଚିନ ରାମଚନ୍ଦ୍ର ଯାଧବ, ପୁଲିସ ଆଇଜି ହିମାଂଶୁ ଲାଲ, ଜିଲ୍ଲାପାଳ ସିଦେ୍ଧଶ୍ୱର ବଳିରାମ ବୋନ୍ଦର, ମହାନଗର ନିଗମ ଆୟୁକ୍ତ ବେଦ ଭୂଷଣ ପ୍ରମୁଖ ଉପସ୍ଥିତ ଥିଲେ । ସମ୍ବଲପୁରରେ ଏହି ପ୍ରକାରର ଖାଓ ଗଳି ପ୍ରଥମ ପରିକଳ୍ପନା ଅଟେ । ମୁକ୍ତା ଯୋଜନାର ଖାଲି ସ୍ଥାନ ଉନ୍ନତିକରଣ ପ୍ରକଳ୍ପ ମାଧ୍ୟମରେ ଶ୍ରୀ ଜଗନ୍ନାଥ ଏସଏଚଜି ୩୦ ଲକ୍ଷ ଟଙ୍କା ଅଟକଳରେ ଏହି କାର୍ଯ୍ୟଟିକୁ ସମ୍ପାଦନ କରିଛନ୍ତି । ଏହି ପ୍ରକଳ୍ପ ଭାରତ ସରକାରଙ୍କ ଥ୍ରୀ ଆର ନିୟମ ଆଧାରରେ ନିର୍ମିତ ହୋଇଛି । ଯେଉଁଥିରେ ଲୁହା, ଭଙ୍ଗା ନିର୍ମାଣ ସାମଗ୍ରୀ ଇତ୍ୟାଦିକୁ ବ୍ୟବହାର କରାଯାଇଛି । ଏତଦ୍ବ୍ୟତୀତ ଏହାର ନାମ ଫଳକକୁ ପତ୍ର ଆକାରରେ ତିଆରି କରାଯାଇଛି । ଯାହା ପରିବେଶ ତଥା ସବୁଜ ସହରର ବାର୍ତ୍ତା ବହନ କରୁଛି । ବର୍ତ୍ତମାନ୍ ଏଠାରେ ଲାଗିଥିବା ୧୪ ଗୋଟି ଖାଦ୍ୟ ଷ୍ଟଲରେ ସ୍ୱଚ୍ଛତାକୁ ବିଶେଷ ଗୁରୁତ୍ୱ ଦିଆଯାଇଛି । ଏହାକୁ ରାତ୍ର ୧୧ ଘଟିକା ପର୍ଯ୍ୟନ୍ତ ଚାଲୁ ରଖିବା ସହ ଭବିଷ୍ୟତରେ ବ୍ୟବସାୟୀ ତଥା ଗ୍ରାହକଙ୍କ ସୁବିଧା ନିମନ୍ତେ ଯଥାବିଧି ପଦକ୍ଷେପ ନିଆଯିବ ବୋଲି ମହାନଗର ନିଗମ ଆୟୁକ୍ତ ବେଦଭୂଷଣ ସୂଚନା ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସମ୍ବଲପୁର ସହରର ଖାଉ ଗଳିରେ ଫୁଡ୍ କୋର୍ଟ "ସ୍ୱାଦ ସମ୍ବଲପୁର'କୁ ଉଦଘାଟନ କରି ସ୍ଥାନୀୟ ସ୍ୱାଦିଷ୍ଟ ଷ୍ଟ୍ରିଟ୍ ଫୁଡ ନେଇ ଖୁସି ଜାହିର କରିଥିଲେ । ସମ୍ବଲପୁରର ପ୍ରସିଦ୍ଧ ସରସତିଆ, ଚାଉଳ ବରା ଏବଂ ଅନ୍ୟାନ୍ୟ ବ୍ୟଞ୍ଜନ ପ୍ରତି ସବୁଠି ଆକର୍ଷଣ ଅଛି । ବିଶେଷତଃ ଆଧୁନିକ ସମୟରେ ଯୁବପିଢିଙ୍କ ମଧ୍ୟରେ ଷ୍ଟ୍ରିଟ୍ ଫୁଡ ପ୍ରତି ଆଗ୍ରହ ବଢୁଥିବା ବେଳେ ଖାଓ ଗଳିରେ ଗୋଟିଏ ସ୍ଥାନରେ ପାରମ୍ପରିକ ଓ ଆଧୁନିକ ଖାଦ୍ୟ ଉପଲବ୍ଧ କରାଇବା ନିଶ୍ଚିତ ଭାବରେ ଏକ ଭଲ ପ୍ରୟାସ ବୋଲି ସେ କହିଥିଲେ ।