ବଙ୍ଗୋପସାଗରରେ ଲଘୁଚାପ
ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ଓ ତତ୍ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରର ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ଉପର ବାୟୁ ଘୂର୍ଣ୍ଣିବଳୟ ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟିହୋଇଛି । ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ୨୪ ଘଣ୍ଟା ମଧ୍ୟରେ ଏକ ଡିପ୍ରେସନ୍ ବା ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଅଗଷ୍ଟ ୧୯ ଦ୍ୱିପ୍ରହରରେ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ତାହା ଗତିକରିବ ବୋଲି ଅନୁମାନ କରାଯାଉଛି ।
ଏହାର ପ୍ରଭାବରେ ଆସନ୍ତାକାଲି କୋରାପୁଟ, ମାଲକାନାଗିରି ଓ ନବରଙ୍ଗପୁରର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଝଟକା ପବନର ବେଗ ୩୦ରୁ ୪୦ କିମି ରହିବାର ଥିବାବେଳେ କୋରାପୁଟରେ ବଜ୍ରପାତର ଅଧିକ ସମ୍ଭାବନା ଅଛି । ଏହି ତିନି ଜିଲ୍ଲାକୁ ରେଡ଼୍ ୱାର୍ଣ୍ଣିଂ ଜାରି କରାଯାଇଛି ।
ସେହିପରି ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ମଧ୍ୟ ଜାରିହୋଇଛି । ଏହି ତିନି ଜିଲ୍ଲା ହେଉଛି, କଳାହାଣ୍ଡି, ରାୟଗଡ଼ା ଓ ଗଜପତି । ସେଠାରେ ମଧ୍ୟ କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଅପରପକ୍ଷରେ ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ସୋନପୁର, ବଲାଙ୍ଗୀର, ନୂଆପଡ଼ା ଓ ନବରଙ୍ଗପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥଶନରେ ବିଜୁଳି ଓ ଘଡ଼ଘଡ଼ି ସହ ଘଣ୍ଟାପ୍ରତି ଝଟକାପବନର ବେଗ ୩୦ରୁ ୪୦ କିମି ରିବ । ସେହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି । ଉପରୋକ୍ତ ଜିଲ୍ଲା ବ୍ୟତୀତ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, କଳାହାଣ୍ଡି ଓ ରାୟଗଡ଼ାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ଆସନ୍ତା ୨୪ ଘଣ୍ଟା ପାଇଁ ଘଣ୍ଟାପ୍ରତି ୫୦ରୁ ୬୦ କିମି ବେଗରେ ପବନ ବହିପାରେ । ୧୮ରୁ ୨୦ ପର୍ଯ୍ୟନ୍ତ ଝଡ଼ବର୍ଷାର ସମ୍ଭାବନା ରହିଛି ।