ପ୍ରଧାନ ଶିକ୍ଷୟିତ୍ରୀଙ୍କ ଆତ୍ମହତ୍ୟା
କାକଟପୁର : ଅସ୍ତରଙ୍ଗ ଶିକ୍ଷା ମଣ୍ଡଳ ଅଧିନସ୍ଥ ବାଲିପନ୍ତାଳ କ୍ଲଷ୍ଟର ବେଘାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରେମଲତା ବେହେରା (ବୟସ ୫୨) ଆତ୍ମହତ୍ୟା କରିଥିବା ଜଣାପଡିଛି । ସୂଚନା ଅନୁସାରେ, ଅଳସାହି ଗ୍ରାମର ରଞ୍ଜନ ବେହେରାଙ୍କ ଧର୍ମପତ୍ନୀ ପ୍ରେମଲତା ବେହେରା ଛାତ ଉପରେ ନିଜ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସୂଚନାପାଇ ପରିବାର ଲୋକ ତାଙ୍କୁ ସଙ୍ଗେ ସଙ୍ଗେ ଅସ୍ତରଙ୍ଗ ଡାକ୍ତରଖାନା ଓ ପରେ ଚାରିଛକ ଡାକ୍ତରଖାନା ନେଇଥିଲେ । ଶରୀରର ୯୦ଭାଗ ପୋଡି ଯାଇଥିବାରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଚାରିଛକରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା । ଭୁବନେଶ୍ୱରରେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଏପରି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତେବେ ଆତ୍ମହତ୍ୟାର ସଠିକ କାରଣ ଜଣାପଡ଼ିନଥିବା ବେଳେ ଥାନାରେ କୌଣସି ଅଭିଯୋଗ ମଧ୍ୟ ହୋଇନାହିଁ ।