ସଂସଦରେ ଓଡ଼ିଶା ଏବଂ ଓଡ଼ିଆ ଲୋକଙ୍କର ଦୃଢ଼ ସ୍ୱର ହୁଅ: ନବୀନଙ୍କ ଗୁରୁମନ୍ତ୍ର
ଭୁବନେଶ୍ବର : ଓଡ଼ିଶାର ସାଢେ ଚାରି କୋଟି ଲୋକଙ୍କ ଅଧିକାର ଏବଂ ମର୍ୟ୍ୟାଦା ପାଇଁ ଲଢେଇ କର। ସଂସଦରେ ଓଡ଼ିଶା ଏବଂ ଓଡ଼ିଆ ଲୋକଙ୍କର ଦୃଢ଼ ସ୍ୱର ହୁଅ, ଏପରି କହି ସଂସଦର ବଜେଟ ଅଧିବେଶନ ପୂର୍ବରୁ ବିଜେଡିର ସାଂସଦଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ନବୀନ ପଟ୍ଟନାୟକ।
ଆଗାମୀ ଜାନୁଆରୀ ୩୧ରେ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ। ଏହା ପୂର୍ବରୁ ନବୀନ ନିବାସରେ ବିଜୁ ଜନତା ଦଳ ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହୋଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେଉଥିବା ବୈଠକରେ ବିଜେଡିର ସମସ୍ତ ସାତ ଜଣ ରାଜ୍ୟସଭା ସାଂସଦ ଉପସ୍ଥିତ ଥିଲେ। ବୈଠକରେ ସଂସଦରେ ଦଳର ଆଗାମୀ ରଣନୀତି ସମ୍ପର୍କରେ ଆଲୋଚନା ହେବା ସହ ବଜେଟ୍ ଅଧିବେଶନ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଦଳର ସାଂସଦମାନେ ରାଜ୍ୟ ସ୍ୱାର୍ଥ ସମ୍ପର୍କରେ ପ୍ରଭାବୀ ପ୍ରଦର୍ଶନ କରିବା ନେଇ ସୁପ୍ରିମୋ ପରାମର୍ଶ ଦେଇଛନ୍ତି।
ବୈଠକରେ ଅଧ୍ୟକ୍ଷତା କରି ନବୀନ ପଟ୍ଟନାୟକ ଦଳୀୟ ସାଂସଦମାନଙ୍କୁ ସଂସଦରେ ଓଡ଼ିଶା ଏବଂ ଓଡ଼ିଆଙ୍କ ସ୍ୱର ହେବାକୁ କହିଥିଲେ। ନବୀନ କହିଥିଲେ ଯେ ପ୍ରତ୍ୟେକ ସାଂସଦ ଓଡ଼ିଶାର ସାଢେ ଚାରି କୋଟି ଲୋକଙ୍କ ଅଧିକାର ଏବଂ ମର୍ୟ୍ୟାଦା ପାଇଁ ଲଢ଼ିବା ନେଇ ପରାମର୍ଶ ଦେଇଥିଲେ।
ଚଳିତ ବଜେଟ ଅଧିବେଶନରେ ପ୍ରାକୃତିକ ବିପର୍ୟ୍ୟୟ ପ୍ରଭାବିତ ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ପ୍ରଦାନଠୁ ଆରମ୍ଭ କରି କୋଇଲା ରାଜଭାଗ ବୃଦ୍ଧି, ଦରଦାମ ଏବଂ ମୁଦ୍ରାସ୍ଫୀତି ବୃଦ୍ଧି, ଚାଷୀ ଏବଂ କୃଷକମାରଣ ନୀତି, ପୋଲାଭରମ୍, ମହାନଦୀ, ଆଦିବାସୀଙ୍କ ବର୍ଗଙ୍କୁ ସ୍ୱୀକୃତି, ଆଦିବାସୀଙ୍କ ଭାଷାକୁ ସ୍ୱତନ୍ତ୍ର ଅନୁଚ୍ଛେଦରେ ସ୍ଥାନ ଦେବା, କେନ୍ଦୁ ପତ୍ର ଉପରେ ଜିଏସଟି ପ୍ରତ୍ୟାହାର, ରେଳ ସଂଯୋଗୀକରଣ, ମୋବାଇଲ୍ ଏବଂ ଡିଜିଟାଲ୍ ସଂଯୋଗ, କ୍ୟାପିଟାଲ ରିଂ ରୋଡ଼, ଉପକୂଳ ରାଜପଥ, ଜାତୀୟ ରାଜପଥ, ଜାତୀୟ ଜଳପଥ ସମ୍ପର୍କରେ କେନ୍ଦ୍ରୀୟ ଅବହେଳା ଆଦି ପ୍ରସଙ୍ଗ ଉପରେ ବିଜେଡି କେନ୍ଦ୍ର ସରକାରଙ୍କୁ ଘେରିବ ବୋଲି ଜଣାପଡିଛି।