ପୋଲାଭରମ୍ ଆଲୋଚନା ଦାବିରେ ବିଜେଡ଼ିର ହଟ୍ଟଗୋଳ
ଭୁବନେଶ୍ୱର : ବିଧାନସଭାରେ ଆଜି ପୋଲାଭରମ ତାତି ପରିଲକ୍ଷିତ ହୋଇଛି । ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ବିଜେଡ଼ି ବିଧାୟକମାନେ ଦାବି କରିଛନ୍ତି । ଅପରପକ୍ଷରେ କଂଗ୍ରେସ ବିଧାୟକମାନେ ପୂର୍ବଭଳି ପ୍ରତିବାଦ ଜାରି ରଖିଛନ୍ତି । ମହିଳା ଅତ୍ୟାଚାର ପ୍ରସଙ୍ଗ ସହ ତାରାଙ୍କ ନିଲମ୍ବନ ପ୍ରତ୍ୟାହାର ଦାବିରେ କଂଗ୍ରେସ ଅଟଳ ରହିଛି । ଗୃହରେ ବିଜେଡ଼ି ବିଧାୟକଙ୍କ ତୁମୁଳ ହଟ୍ଟଗୋଳ ଯୋଗୁଁ ବାରବାର ଗୃହ ମୁଲତବୀ ରହିଛି ।
ପୂର୍ବାହ୍ନ ସାଢ଼େ ୧୦ଟାରେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିଜେଡ଼ି ବିଧାୟକମାନେ ଗୃହର ମଧ୍ୟଭାଗକୁ ମାଡ଼ିଆସି ପୋଲାଭରମ୍ ଆଲୋଚନା ପାଇଁ ଦାବି କରିଥିଲେ । ଏନେଇ ସେମାନେ ନାରାବାଜି କରିବା ସହ ହଟ୍ଟଗୋଳ କରିଥିଲେ । ଅପରପକ୍ଷରେ ବାଚସ୍ପତି ପ୍ରଶ୍ନକାଳ ଆରମ୍ଭ କରିଥିଲେ । ମନ୍ତ୍ରୀ ଉତ୍ତର ଦେଉଥିବାବେଳେ କଂଗ୍ରେସ ଓ ବିଜେଡ଼ି ପ୍ରତିବାଦ ଜାରି ରଖିଥିଲେ । ବିଜେଡି ପକ୍ଷରୁ ପୋଲାଭରମ୍ ନେଇ ମୁଲତବୀ ନୋଟିସ୍ ଦିଆଯାଇଥିଲେ ମଧ୍ୟ ତାହା ଅଗ୍ରାହ୍ୟ କରାଯାଇଥିଲା । ବିରୋଧୀଙ୍କ ହଟ୍ଟଗୋ ଯୋଗୁଁ ବାଚସ୍ପତି ଗୃହକୁ ୧୦ ଟା ୩୪ ରୁ ୧୧ ଟା ୩୦ ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ । ଶୂନ୍ୟକାଳରେ ସମାନ ପ୍ରସଙ୍ଗରେ ବିଜେଡି ପୁଣି ପ୍ରତିବାଦ କରିଥିଲା । ଅନ୍ୟପକ୍ଷରେ ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତୀ ତଳେ ଧାରଣାରେ ବସିଥିବା କଂଗ୍ରେସ ବିଧାୟକମାନେ ଶୂନ୍ୟକାଳରେ ଗୃହକୁ ଆସିଥିଲେ ।
ବାଚସ୍ପତି ସୁରମା ପାଢ଼ୀ ରୁଲିଂ ଦେଇ କହିଥିଲେଯେ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଓ ପ୍ରତାପ ଦେବ ପୋଲାଭରମ ସମ୍ପର୍କିତ ମୁଲତବୀ ଆଲୋଚନା ପାଇଁ ନୋଟିସ ଦେଇଥିଲେ । ନୋଟିସ ମିଳିବା ପରେ ବିଭାଗୀୟ ମନ୍ତ୍ରୀଙ୍କ ନିକଟକୁ ପଠା ଯାଇଥିଲା । ଏହି ପ୍ରସଙ୍ଗଟି ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରାଧୀନ ଥିବା ବିଭାଗୀୟ ମନ୍ତ୍ରୀ ଜଣାଇଛନ୍ତି । ବିଧାନସଭା କର୍ଯ୍ୟବିଧି ଓ କାର୍ଯ୍ୟ ପରିଚାଳନା ଆଇନ ଅନୁସାରେ ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରାଧୀନ ଥିବା ଏହି ପ୍ରସଙ୍ଗରେ ଗୃହରେ ଆଲୋଚନା ହୋଇପାରିବ ନାହିଁ ବୋଲି ବାଚସ୍ପତି କହିଥିଲେ । ଏହି ପ୍ରସଙ୍ଗରେ ଆଲୋଚନା ପାଇଁ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ମଧ୍ୟ ନୋଟିସ ଦେଇଥିବା ନେଇ ବାଚସ୍ପତି କହିଥିଲେ । ବାଚସ୍ପତିଙ୍କ ରୁଲିଂ ସତ୍ତ୍ୱେ ବିଜେଡି ବିଧାୟକମାନେ ପୋଲାଭରମ ପ୍ରସଙ୍ଗରେ ଆଲୋଚନା ଦାବିରେ ପ୍ରତିବାଦ ଜାରି ରଖିଥିଲେ । ଫଳରେ ଗୃହକୁ ୧୧ ଟା ୩୩ ରୁ ୧୨ ଟା ୧୫ ପର୍ଯ୍ୟନ୍ତ ଓ ପୁଣି ୧୫ ମିନିଟ ପାଇଁ ମୁଲତବୀ ରହିଥିଲା । ଶେଷରେ ବାଚସ୍ପତି ଗୃହକୁ ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ । ଅପରାହ୍ନ ୪ଟାରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ କଂଗ୍ରେସ ବିଧାୟକମାନେ ବର୍ଜନ କରିଥିଲେ । ତେବେ ଜଙ୍ଗଲ ଓ ପରିବେଶ ବିଭାଗ ସଂକ୍ରାନ୍ତୀୟ ଖର୍ଚ୍ଚଦାବି ଆଲୋଚନାରେ ବିଜେଡ଼ି ବିଧାୟକମାନେ ଅଂଶଗ୍ରହଣ କରିଥିଲେ ।