ବଜ୍ରାଘାତ : ତିନି ମୃତ,ଦୁଇ ଗୁରୁତର

ବଜ୍ରାଘାତରେ ୩ଜଣ ଶ୍ରମିକ ମୃତ। ଏପରି ଅଘଟଣ ଘଟିଛି ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳ ରାଇପାଳ ନିକଟରେ । ଏମାନଙ୍କ ମଧ୍ୟରେ ୨ ଜଣ ମହିଳା ଥିବା ବେଳେ ତୃତୀୟ ବ୍ୟକ୍ତି ଜଣେ ଜେସିବି ଅପରେଟର । ମୃତକମାନେ ହେଲେ ମାମି ସିଂ, ବଢ଼େଇପଲା ଓ ଅଜିତ କୁମାର ହାଜିଦା।
ସୂଚନା ଅନୁସାରେ ନୀଳଗିରି ଉପଖଣ୍ଡ ବରହମପୁର ଥାନା ଅଧୀନ ଅଶୋକନାଳ ଗ୍ରାମର ମାମି ସିଂ, ବଢେଇପଲା ଗ୍ରାମର ଆଲୁମଣି ସିଂ ଓ ମଥାନି ଅଞ୍ଚଳର ଜେସିବି ଅପରେଟର ଅଜିତ କୁମାର ହାଜିଦା ରାଇପାଳସ୍ଥିତ କେନାଲ କାର୍ଯ୍ୟରେ ନିୟୋଜିତ ଥିଲେ। ସେଠାରେ ଶ୍ରମିକମାନେ କାମ କରୁଥିଲେ । ହେଲେ ହଠାତ ବର୍ଷା ହେବାରୁ ଶ୍ରମିକମାନେ ନିକଟସ୍ଥ କ୍ୟାମ୍ପକୁ ଆସିଥିଲେ। ସେଠାରେ ୧୦ରୁ ଊର୍ଦ୍ଧ୍ବ ଶ୍ରମିକ ଛିଡ଼ା ହୋଇଥିବା ବେଳେ ହଠାତ ବଜ୍ରାଘାତ ହେବାରୁ ୩ ଜଣ ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲେ ଏବଂ ଦୁଇଜଣ ଆଂଶିକ ଆହତ ହୋଇଥିଲେ । ସେମାନଙ୍କୁ ବରହମପୁର ଗୋଷ୍ଠୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବରହମପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି।