ବଡ ନିନ୍ଦୁକ କିଏ ?
ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବିଚାର ‘ଅମୃତ ବିନ୍ଦୁ ' ‘ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ କରିବା ସବୁଠାରୁ ବଡ ନିନ୍ଦୁକ କିଏ ? ଆଜିର ଏତକ କଥା ଆପଣ ଗ୍ରହଣ କରିବେ, ବିଚାରିବେ, ବୁଝିବେ ବୋଲି ଆଶା ।
ଯେଉଁ ଲୋକ କାମ କରେ ନାହିଁ ବା ଯାହା ପାଖରେ କିଛି କରିବା ପାଇଁ କାମ ନଥାଏ ସେ ହିଁ କେବଳ ଅନ୍ୟର ଭୁଲ୍ ବାଛେ । ଅନ୍ୟର ଖୁଣ ଖୋଜେ, ପରର ଛିଦ୍ର ଅଣ୍ଡାଳୁ ଥାଏ । କିଛି କରୁନଥିବା ଲୋକଟି ପୃଥିବୀର ସବୁଠାରୁ ବଡ ନିନ୍ଦୁକ । କିଛି କରୁନଥିବା ଲୋକମାନଙ୍କୁ ଅଳସୁଆ ବୋଲି କୁହାଯାଏ ।
ପୃଥିବୀରେ ଯେତେ ଯାହା କରିଲେ ବି କିଛି ଅଳସୁଆ ନିଶ୍ଚୟ ରହିବେ ଏବଂ ସେମାନେ କୌଶଳ କ୍ରମେ ଅନ୍ୟର ପରିଶ୍ରମ ଅର୍ଜିତ ଫଳକୁ ଲୁଟି ଖାଇବାକୁ ଆଖି ମେଲେଇ ଅନେଇ ରହିଥିବେ । ନ ମିଳିଲେ ନିନ୍ଦୁକ !
ଏଣେ ଯେଉଁ ଲୋକ କାମ କରେ ତାର ଭୁଲ୍ ହେବାଟା ନିଶ୍ଚିତ । କାମ କରୁଥିବା ଲୋକଟିର ପ୍ରତ୍ୟେକଟି ଭୁଲ୍ ତା’ ପାଇଁ ଏକ ଶିକ୍ଷା ହୋଇଥାଏ । ଭୁଲ୍ କରୁଥିବା ମଣିଷ ଜୀବନର ଅଭିଜ୍ଞତା ହାସଲ କରିବା ସହିତ ଜୀବନକୁ ଉପଭୋଗ କରିପାରେ । ତେଣୁ ପ୍ରତ୍ୟେକଟି ଭୁଲ୍ ବିଚାରବନ୍ତ ଲୋକ ପାଇଁ ଜ୍ଞାନ ଆହରଣର ଗୋଟିଏ ଗୋଟିଏ ସୁଯୋଗ ବା ଅବସର ।
ତେବେ ପୃଥିବୀରେ ଦୁଇ ପ୍ରକାର ଲୋକ ଥାଆନ୍ତି । ଗୋଟିଏ ପ୍ରକାରର ଲୋକ ପରିଶ୍ରମ କରି ଜୀବନ ନିର୍ବାହ କରିିବାକୁ ଚାହାନ୍ତି । ଆଉ ଗୋଟିଏ ଗୋଷ୍ଠୀ ଅନ୍ୟର ପରିଶ୍ରମକୁ ଅପହରଣ କରି ବଞ୍ଚିବାକୁ ଚାହାନ୍ତି । ଏହି ଦୁଇ ଗୋଷ୍ଠୀରୁ ସାମ୍ୟବାଦ ଦର୍ଶନରେ ବୁର୍ଜୁଆ ଏବଂ ପ୍ରଲୋଟରେଟ୍ ଶବ୍ଦ ଦୁଇଟିର ସୃଷ୍ଟି ହୋଇଛି । କେବଳ ମନୁଷ୍ୟ ସମାଜ ନୁହେଁ ପ୍ରାଣୀଜଗତ ତଥା ପଶୁପକ୍ଷୀ ଜଗତରେ ମଧ୍ୟ ଏହି ପ୍ରକାରର ମନୋବୃତ୍ତିଯୁକ୍ତ ଦୁଇ ପ୍ରକାରର ଗୋଷ୍ଠୀ ଦେଖାଯାନ୍ତି । ଏପରିକି ଉଦ୍ଭିଦ ଜଗତରେ ମଧ୍ୟ ଏଭଳି ମନୋବୃତ୍ତି ରହିଛି । କିଛି ଉଦ୍ଭିଦ ଅନ୍ୟକୁ ଶୋଷି ବଞ୍ଚନ୍ତି । କିଛି ପ୍ରାଣୀ ଅନ୍ୟର ଖାଦ୍ୟ ଚୋରି କରି ବଞ୍ଚନ୍ତି । ଠିକ୍ ସେମିତି କିଛି ମଣିଷ ବି । ଏଭଳି ବ୍ୟକ୍ତିମାନଙ୍କର ପ୍ରକୃତିରେ ପରିବର୍ତ୍ତନ କରାଯାଇପାରିବ ନାହିଁ । ଏମାନଙ୍କ ଠାରୁ ଦୂରେଇ ରହିବାଟା ଭଲ ।
ପଢିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ 'ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।