ବର୍ଦ୍ଧିତ ପେନ୍‌ସନ୍‌ ନେବେନି ପ୍ରସାଦ : ସମ୍ପତ୍ତି ତାଲିକା ଦିଅନ୍ତୁ ସବୁ ବିଧାୟକ

ଭୁବନେଶ୍ୱର : ବର୍ଦ୍ଧିତ ଭତ୍ତା ନେବେ ନାହିଁ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ । ନିକଟରେ ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା ଓ ଭତ୍ତା ବୃଦ୍ଧି ନେଇ ବିଧାନସଭାରେ ବିଧେୟକ ପାରିତ ହୋଇଛି । ହେଲେ ପୂର୍ବତନ ବିଧାୟକଙ୍କ ଭତ୍ତା ବାବଦକୁ ବଢ଼ିଥିବା ରାଶି ଗ୍ରହଣ କରିବେ ନାହିଁ ବୋଲି ଆଜି ଶ୍ରୀ ହରିଚନ୍ଦନ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ।


   ଶ୍ରୀ ହରିଚନ୍ଦନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତିଯେ, ସାମ୍ବିଧାନିକ ବିଧି ବିଧାନ ଅନୁଯାୟୀ ବିଧାୟକଙ୍କ ଦରମା ବୃଦ୍ଧି ନେଇ ଗୃହରେ ନିଷ୍ପତ୍ତି ହୁଏ । ଏପରି ସାମ୍ବିଧାନିକ ଅଧିକାରକୁ ଅତି ସଂଯମତା ଓ ସତର୍କତାର ସହ ପାଳନ କରାଯିବା ଉଚିତ । କିନ୍ତୁ ଡବଲ ଇଞ୍ଜିନ ସରକାରରେ ଏବେ ରାଜ୍ୟ ବିଧାନସଭାର ସଦସ୍ୟ ଓ ପୂର୍ବତନ ବିଧାୟକମାନଙ୍କ ଦରମା ଓ ଭତ୍ତା ତିନି ଗୁଣ ବଢ଼ାଯାଇଛି । ମାତ୍ର ଏହି ବୃଦ୍ଧି ସାଧାରଣ ଲୋକଙ୍କର ହଜମ ହଉନି। ଏ ଦରମା ଓ ଭତ୍ତା ବୃଦ୍ଧିକୁ ମୁଁ ନାପସନ୍ଦ କରୁଛି, ମାତ୍ର ଭତ୍ତା କ୍ଷେତ୍ରରେ ଆଇନରେ ଅନ୍ୟ ଏକ ବ୍ୟବସ୍ଥା ଅଛି । ଯାହାକି ଅନୁପାଳନ ହେଉନାହିଁ । ଏହି ନିୟମ ଅନୁଯାୟୀ, ଦରମା ପ୍ରାପ୍ତ ସଦସ୍ୟମାନଙ୍କ ଦରମାରୁ ଭତ୍ତାକୁ ବାଦ ଦିଆଯାଇ ଦେୟ ପ୍ରଦାନ କରାଯାଏ । ଏହା ସହିତ ଜଣେ ସଦସ୍ୟ ଏକାଧିକ ଭତ୍ତା ନେଇ ପାରିବେ ନାହିଁ । କିନ୍ତୁ ବର୍ତ୍ତମାନ ରାଜ୍ୟରେ ତିନି ଶ୍ରେଣୀର ଭତ୍ତାଧାରୀ ପୂର୍ବତନ ସାଂସଦ ଓ ପୂର୍ବତନ ବିଧାନସଭା ସଦସ୍ୟ ଅଛନ୍ତି । 


   ପ୍ରଥମତଃ ସରକାରୀ ଚାକିରିଆ ଅବସର ପରେ ଭତ୍ତା ପାଉଛନ୍ତି । ଏହାସହ ସେମାନେ ସାଂସଦ କିମ୍ବା ବିଧାୟକ ହେଲେ ମଧ୍ୟ ଭତ୍ତା ନେଉଛନ୍ତି । ଅନ୍ୟ ଶ୍ରେଣୀରେ ପୂର୍ବତନ ବିଧାୟକ ଓ ପୂର୍ବତନ ସାଂସଦ ଭାବରେ ଦୁଇଟି ଟି ଭତ୍ତା ନେଉଛନ୍ତି । ସେ କହିଛନ୍ତି, ମୁଁ ୨୦୦୯ ମସିହାରେ ଗୃହର ସଦସ୍ୟ ଭାବରେ ସତ୍ୟବାଦୀରୁ ନିର୍ବାଚିତ ହେବାପରେ ବିଧି ବିଧାନ ଅନୁଯାୟୀ, ଭତ୍ତାକୁ ବାଦ୍‌ ଦେଇ ଦରମା ଦେବା ପାଇଁ ବିଧାନସଭା ସଚିବାଳୟ, ପ୍ରମୁଖ ଲେଖାକାର ଓ ସରକାରଙ୍କୁ ଲିଖିତ ଆକାରରେ ଜଣାଇଥିଲି । କିନ୍ତୁ ବାରମ୍ବାର ଜଣାଇବା ସତ୍ତେ୍ୱ ମଧ୍ୟ କୌଣସି ଉତ୍ତର ମିଳିଲା ନାହିଁ । ସେପରି ସ୍ଥଳେ ସେତେବେଳର ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡେ଼ଇଙ୍କୁ ଏ ସମ୍ପର୍କରେ ମୌଖିକ ଓ ଲିଖିତ ଭାବେ ଜଣାଇଥିଲି । ସରକାର ମୋର ଟାଣ ମନୋଭାବକୁ ଲକ୍ଷ୍ୟ କରିବା ପରେ ବାଧ୍ୟ ହୋଇ ପଇସା ଫେରସ୍ତ ଦେବା ପାଇଁ ଅନୁମତି ଦେଇଥିଲେ । ଏହା ପରେ ମୁଁ ସରକାରଙ୍କ ତହବିଲକୁ ଅର୍ଥ ଫେରାଇଥିଲି ।


    ଏହାବ୍ୟତୀତ ସେ ଆହୁରି କହିଛନ୍ତି, ମୁଁ  ତ୍ରୟୋଦଶ ବିଧାନସଭାର ସଭ୍ୟ ଥିବାବେଳେ ସଦାଚାର କମିଟିର ମଧ୍ୟ ସଭ୍ୟ ଥିଲି । ବିଧାୟକମାନେ ସେମାନଙ୍କର ସମ୍ପତ୍ତି ତାଲିକା ପ୍ରତି ବର୍ଷ ଓଡ଼ିଶା ବିଧାସଭା ଓ ସଂସଦୀୟ ବ୍ୟାପାର ବିଭାଗ ନିକଟରେ ଦାଖଲ କରିବା ପାଇଁ ସଦାଚାର କମିଟି ସୁପାରିଶ କରିଥିଲେ । ସରକାର ମଧ୍ୟ ତାହା ଗ୍ରହଣ କରିଥିଲେ। ମୁଁ ତୁରନ୍ତ ମୋର ସମ୍ପତ୍ତି ତାଲିକା ଯଥା ବିଧି ଦାଖଲ କରିଥିଲି । କିନ୍ତୁ ଏବେ ତାହାର ଅନୁସରଣ କରାଯାଉ ନାହିଁ । ବର୍ତ୍ତମାନ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ଏହି ବିଲ ରହିଛି । ରାଜ୍ୟପାଳ ଏହି ବିଲର ପୁନର୍ବିଚାର ପାଇଁ ଗୃହକୁ ଫେରେଇ ଦେଇପାରିବେ। ଏହା ହେଲେ ସରକାରଙ୍କ ଚେତା ପଶିବ ଓ ସରକାର ବିଚାର କରିବେ ବୋଲି ପ୍ରସାଦ ଆଶାପ୍ରକଟ କରିଛନ୍ତି ।