କିସ୍ ଛାତ୍ରୀ ଜୋସ୍ନା ଶବରଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ପୁରସ୍କାର
ଭୁବନେଶ୍ୱର : କିସ୍ ଛାତ୍ରୀ ଜୋସ୍ନା ଶବର ସମ୍ମାନଜନକ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି । ଆଜି ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଜୋସ୍ନାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଗଜପତି ଜିଲ୍ଲାର ଜୋସ୍ନା ଏବେ କିସ୍ରେ +୨ କଳାର ଛାତ୍ରୀ । ଦୋହା ଏସିଆନ୍ ଯୁବ ଭାରୋତ୍ତୋଳନ ଚାମ୍ପିୟନ୍ସିପ୍ ୨୦୨୪ରେ ଜ୍ୟୋସ୍ନା ୪୦ କେଜି ଭାରୋତ୍ତୋଳନ ବର୍ଗରେ ୟୁଥ ଏସିଆ ରେକର୍ଡ ସହ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ସେହିପରି ୨୦୨୫ରେ ପେରୁରେ ହୋଇଥିବା ଆଇଡବ୍ଲୁଏପ୍ ବିଶ୍ୱ ୟୁଥ ଚାମ୍ପିୟନ୍ସିପରେ ସ୍ୱର୍ଣ୍ଣ ପଦକ ମଧ୍ୟ ହାସଲ କରିଥିଲେ । ଏସିଆନ୍ ଜୁନିଅର ଆଣ୍ଡ ୟୁଥ ଚାମ୍ପିୟନସିପ୍ ୨୦୨୩ରେ ଦୁଇଟି କାଂସ୍ୟ ପଦକ ଓ ୟୁଥ ୱାଲ୍ର୍ଡ ୱେଟ୍ ଲିଫ୍ଟିଂ ଚାମ୍ପିୟନ୍ସିପ୍ ୨୦୨୩ରେ ରୌପ୍ୟ ପଦକ ହାସଲ କରିଥିଲେ । ୨୦୨୩ ଓ ୨୦୨୪ରେ ହୋଇଥିବା ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ଚାମ୍ପିୟନ୍ସିପ୍ରେ ୪୦ କେଜି ବର୍ଗରେ ସ୍ୱର୍ଣ୍ଣପଦକ ହାସଲ କରିଥିଲେ । ବର୍ତ୍ତମାନ ସେ କିଟ୍ କ୍ରୀଡା ଏକାଡମୀରେ ଅଭ୍ୟାସ କରୁଛନ୍ତି । ଆଗାମୀ ଅଲିମ୍ପିକ୍ସରେ ପଦକ ଜିତିବା ତାଙ୍କର ଲକ୍ଷ୍ୟ ରହିଛି ବୋଲି ଜ୍ୟୋସ୍ନା କହିଛନ୍ତି । ଜ୍ୟୋତ୍ସ୍ନାଙ୍କ ସଫଳତାରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସନ୍ତୋଷ ବ୍ୟକ୍ତ କରିବା ସହ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆଗାମୀ ଅଲିମ୍ପିକ୍ସରେ ଯେପରି ସଫଳତା ହାସଲ କରିବେ ସେଥିପାଇଁ କିଟ୍ ଓ କିସ୍ ସମସ୍ତ ପ୍ରକାର ପ୍ରୋତ୍ସାହନ ଓ ସହଯୋଗ ଯୋଗାଇ ଦେବ ବୋଲି ସାମନ୍ତ ପ୍ରକାଶ କରିଛନ୍ତି ।
Samir Kumar Rout