ଆରମ୍ଭ ହେଲାଣି ରାଜ୍ୟସଭା ଅଙ୍କକଷା  ଜଣାପଡ଼ିିବ ବିଜେଡ଼ିର ଅସଲ ଚେହେରା

ଭକ୍ତଙ୍କ ସହ କଥା ହେବେ ତ ନବୀନ ?

ଭୁବନେଶ୍ୱର : ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କର ବିଜେପି ସହ କେମିତି ସମ୍ପର୍କ ରହିଛି ? ମୋଦି ଓ କେନ୍ଦ୍ର ସରକାରଙ୍କ ବିରୋଧରେ ନୀରବ କାହିଁକି ? ସତରେ କ’ଣ ବିଜେପି ସହ ଲଢେ଼ଇ ଚାହୁଁଛି ବିଜେଡ଼ି? ନା ଉପରେ ସଲାକୁସ୍ତି ଓ ଭିତରେ କୋଳାକୋଳି ଚାଲିଛି ? ୨୦୨୪ ଭଳି ୨୦୨୯ରେ ମେଣ୍ଟ ପାଇଁ ଭିତିରିଆ ଯୋଜନା ଚାଲିନି ତ ? ରାଜନୀତିକ ଅଳିନ୍ଦରେ ଏମିତି ଗଦାଗଦା ଅସମାହିତ ପ୍ରଶ୍ନ ଘୂରି ବୁଲୁଥିବାବେଳେ ରାଜ୍ୟସଭା ନିର୍ବାଚନ ବେଳେ ହିଁ ବିଜେଡ଼ିର ଅସଲ ଚେହେରା ସାମ୍ନାକୁ ଆସିବ ବୋଲି ଅନୁମାନ କରାଯାଉଛି । 
କ୍ଷମତାରୁ ଯିବା ପରେ ଏହା ହେଉଛି ବିଜେଡ଼ିର ପ୍ରଥମ ରାଜ୍ୟସଭା ନିର୍ବାଚନ । ଯେଉଁ ନିର୍ବାଚନରେ ଦଳ ପ୍ରାର୍ଥୀ ଦେବ । ପୂର୍ବରୁ ବିଜେଡ଼ିର ଦୁଇ ରାଜ୍ୟସଭା ସାଂସଦ ସୁଜିତ କୁମାର ଓ ମମତା ମହନ୍ତଙ୍କ ଇସ୍ତଫା ପରେ ଉପନିର୍ବାଚନ ହୋଇଥିଲେବି ପ୍ରାର୍ଥୀ ଦେବାର ସୁଯୋଗ ନଥିଲା । କାହିଁକିନା ଜିତିବା ପାଇଁ ଦଳ ପକ୍ଷରେ ସଂଖ୍ୟା ହିଁ ନଥିଲା । ଏଥର କିନ୍ତୁ ଦଳ ପାଖରେ ଜିତିବା ପାଇଁ ସଂଖ୍ୟା ଅଛି । ସେହିପରି ଦୁଇ ପ୍ରମୁଖ ବିରୋଧୀ ଏକାଠି ହେଲେ ଶାସକ ବିଜେପିକୁ ଚକମା ଦେଇ ଆଉ ଏକ ଆସନ ବି ହାତେଇ ନେଇହେବ । କିନ୍ତୁ ବିଜେଡ଼ିର ରାଜ୍ୟସଭା ଆଭିମୁଖ୍ୟ ଏଯାଏଁ ସ୍ପଷ୍ଟ ହୋଇପାରିନାହିଁ ।
ବିଧାନସଭାର ସଂଖ୍ୟା ଗଣିତ କହୁଛି ବିଜେପି ଦୁଇ ଓ ବିଜେଡ଼ି ଗୋଟିଏ ଆସନ ପାଇବ ସମ୍ପର୍କ । ମୁଣ୍ଡା ମେଥଡ଼ ହିସାବରେ ଜଣେ ପ୍ରାର୍ଥୀଙ୍କୁ ଜିତିବା ପାଇଁ ୩୦ଟି ପ୍ରଥମ ପସନ୍ଦର ଭୋଟ୍‌ ଦରକାର । ବିଜେଡ଼ି ପାଖରେ ଏବେ ୫୦ ବିଧାୟକ ଅଛନ୍ତି । ଯଦି ଦୁଇ ନିଲମ୍ବିତ ବିଧାୟକଙ୍କ କଥା ବିଚାରକୁ ନେବା ତେବେ ଏହି ସଂଖ୍ୟା ୪୮ ହେବ । ଅତଏବ ଦଳ ଗୋଟିଏ ଆସନରେ ଜିତିବା ପରେ ଆଉ ୧୮ ବଳକା ରହିବ । ସେପଟେ କଂଗ୍ରେସ ପାଖରେ ବି ୧୪ ବିଧାୟକ ଅଛନ୍ତି । ଉଭୟ ଦଳ ମିଶିଲେ ଜଣେ ସ୍ୱାଧୀନ ପ୍ରାର୍ଥୀ ଜିତାଇ ପାରିବେ । କଳା, ସଂସ୍କୃତି ଆଦି କ୍ଷେତ୍ରରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଯଦି ବିଜେଡ଼ି ଓ କଂଗ୍ରେସ ଚତୁର୍ଥ ପ୍ରାର୍ଥୀ କରନ୍ତି ତେବେ ବିଜେପି ବି ପ୍ରାର୍ଥୀ ନଦେଇ ସମର୍ଥନ ଦେବାକୁ ବାଧ୍ୟ ହୋଇପାରେ । ନଚେତ୍‌ ବିଜେପି ଓ ବିଜେଡ଼ି ବି ଏନେଇ ମିଳିତ ପ୍ରୟାସ କରି ଜଣଙ୍କୁ ସ୍ୱାଧୀନ ଭାବେ ଛାଡ଼ିପାରିବେ । ପରିବର୍ତ୍ତିତ ସ୍ଥିତିରେ କଂଗ୍ରେସ ସହ ଆଲୋଚନା କରାଯାଇପାରିବ । ଯଦି ଏମିତି ହୁଏ ତେବେ ତିନି ଦଳ ୱିନ ୱିନ୍‌ ସ୍ଥିତିରେ ରହିପାରିବେ ।
ଏସବୁ ଭିତରେ ପିସିସି ସଭାପତି ଭକ୍ତ ଚରଣ ଦାସ ପ୍ରଥମେ କଂଗ୍ରେସ ପ୍ରାର୍ଥୀ ଦେବ ବୋଲି ଘୋଷଣା କରିଥିଲେ । ସେମିତି ହୋଇଥିଲେ ବିଜେପିର ତୃତୀୟ ପ୍ରାର୍ଥୀ ଆରାମରେ ଜିତିପାରିବେ । ହେଲେ ଏବେ ଭକ୍ତଙ୍କ ଚୈତନ୍ୟ ଉଦୟ ହୋଇଛି  । ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବାକୁ ଭକ୍ତ ସମୟ ମାଗିଛନ୍ତି । ଉଭୟ ଦଳ ମିଶି ଜଣେ ଭଲ ନେତାଙ୍କୁ ପ୍ରାର୍ଥୀ କରିବାକୁ ଭକ୍ତ ଚାହୁଁଛନ୍ତି । ହେଲେ ନବୀନ ତାଙ୍କୁ ସମୟ ଦେବେ ତ ? ସମୟ ଯଦି ଦିଅନ୍ତି ତେବେ ଭକ୍ତଙ୍କ ପ୍ରସ୍ତାବରେ ରାଜି ହେବେ ତ ? ଅବଶ୍ୟ ଏହାର ଉତ୍ତର ସମୟ ହିଁ ଦେଇପାରିବ । ଯଦି ଏଭଳି ହେବ ତେବେ ବିଜୁ ଜନତା ଦଳ ଦ୍ଭସିଧାସଳଖ ଭାବେ ବିଜେପି ବିରୋଧରେ ଯୁଦ୍ଧଂଦେହୀ ଡାକରା ଦେଲା ବୋଲି ବାର୍ତ୍ତା ଯିବ । ଏମିତିକି କଂଗ୍ରେସର ବି ରାଜ୍ୟର ୩୨ ଆସନରେ ଶକ୍ତି ରହିଛି । ବିଜେଡ଼ି ଓ କଂଗ୍ରେସ ମଧ୍ୟରେ ବୁଝାମଣା ହେଲେ ତାହା ବି ଦୁଇ ବିରୋଧୀ ଦଳଙ୍କ ପାଇଁ ଭଲ ହେବ । ଏମିତିବି କଂଗ୍ରେସକୁ ଅଟକାଇବା ପାଇଁ ବିଜେଡ଼ି ସହ ବିଜେପି ବନ୍ଧୁତ୍ୱ ଆଚରଣ କରିବାକୁ ବାଧ୍ୟ ହେଉଛି  । ହେଲେ ବିଜେପି କିନ୍ତୁ ତା’ ବାଟରେ ବିଜେଡ଼ିକୁ ଗୁଣ୍ଡ କରିବା ପାଇଁ ଯୋଜନା କରିଛି । ବିଜେଡ଼ିର ଦୁଇ ରାଜ୍ୟସଭା ସାଂସଦଙ୍କୁ ନିଜ ଦଳକୁ ଟାଣିନେବା ପରେ ବି ନବୀନଙ୍କର ବିଜେପି ପ୍ରୀତି ଯାଉନଥିବା ଦଳୀୟ ଅଳିନ୍ଦରେ ଆଲୋଚନା ହେଉଛି । ଦଳର ଅନେକ ନେତା ଚାହୁଁଛନ୍ତି ବିଜେପିକୁ ଚେକ୍‌ ଦେବା ପାଇଁ ବିଜେଡ଼ି-କଂଗ୍ରେସ ଭିତରେ ବୁଝାମଣାର ଆବଶ୍ୟକତା ରହିଛି । ତେବେ ପାଣ୍ଡିଆନ୍‌ ଏକଥାରେ ଏକମତ ନୁହଁନ୍ତି । ସେ ବିଜେପି ସହ ହିଁ ବୁଝାମଣା କରିବାକୁ ଚାହୁଁଛନ୍ତି ବୋଲି ଜଣେ ବରିଷ୍ଠ ବିଜେଡ଼ି ନେତା ପ୍ରକାଶ କରିଛନ୍ତି । ୨୦୨୪ରେ ପାଣ୍ଡିଆନଙ୍କ ଏମିତି ରଣନୀତି ଦଳକୁ କ୍ଷମତାରୁ ବାହାର କରିଦେଇଛି । ଆଗାମୀ ଦିନରେ ଯଦି ନବୀନଙ୍କ ବିଜେପି ପ୍ରୀତି ନଯାଏ ତେବେ ବିଜେଡ଼ି ଆଉ ମଜବୁତ୍‌ ହେବ ବୋଲି ଭାବିବା ବୋକାମୀ ହେବ । ଦେଖାଯାଉ, ନବୀନ ରାଜ୍ୟସଭା ନିର୍ବାଚନରେ କି ନିଷ୍ପତ୍ତି ନେଇ ଦଳର ନେତା ଓ କର୍ମୀଙ୍କୁ କି ବାର୍ତ୍ତା ଦେଉଛନ୍ତି ।