ବର୍ମିଂହାମରୁ ଫେରିଲା ଓଡ଼ିଶା ଦଳ : ଅନ୍ତର୍ଜାତୀୟ କ୍ରୀଡ଼ାବିତ୍ଙ୍କୁ ଡିଜିପିଙ୍କ ସମ୍ବର୍ଦ୍ଧନା

 ଭୁବନେଶ୍ୱର : ଆମେରିକାର ବର୍ମିଂହାମରେ ଦୀର୍ଘଦିନ ଧରି ଚାଲିଥିବା ବିଶ୍ୱ ପୁଲିସ ଏବଂ ଅଗ୍ନିଶମ କ୍ରୀଡ଼ା ଉଦ୍ୟାପିତ ହୋଇଛି । ଏଥିରେ ଓଡ଼ିଶା ପୁଲିସର ବହୁ କ୍ରୀଡ଼ାବିତ୍ ଭାଗ ନେଇ ବିଭିନ୍ନ ପଦକ ଜିଣି ରାଜ୍ୟ ତଥା ଦେଶକୁ ଗୌରବାନ୍ୱିତ କରିଛନ୍ତି । ଆଜି ଓଡ଼ିଶା ପୁଲିସ୍ର ଏହି ଆନ୍ତର୍ଜାତିକ କ୍ରୀଡ଼ାବିତ୍ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରିବା ପରେ ସେମାନଙ୍କୁ ଓଡ଼ିଶା ପୁଲିସ୍ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି କ୍ରୀଡ଼ାବିତମାନେ ଡିଜିପିଙ୍କ କ୍ୟାମ୍ପ କାର୍ଯ୍ୟାଳୟଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଡିଜିପି ଯୋଗେଶ ବାହାଦୁର ଖୁରାନିଆଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏ ଅବସରରେ ଡିଜିପି ଶ୍ରୀ ଖୁରାନିଆ ପଦକ ବିଜେତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଖେଳାଳିଙ୍କ ଅସାଧାରଣ ପ୍ରତିଭା ଏବଂ କ୍ରୀଡ଼ା ଉକôର୍ଷତା ନିମନ୍ତେ ଭୂୟସୀ ପ୍ରଶଂସା କରିଛନ୍ତି । କ୍ରୀଡ଼ାବିତଙ୍କ ଏହି ଅସାଧାରଣ ସଫଳତା ଦେଶ, ଓଡ଼ିଶା ରାଜ୍ୟ ତଥା ଓଡ଼ିଶା ପୁଲିସ ବାହିନୀ ପାଇଁ ଗୌରବ ଆଣିଛି ବୋଲି ଡିଜିପି ମତବ୍ୟକ୍ତ କରିଛନ୍ତି । 
ଉଲ୍ଲେଖ ଯୋଗ୍ୟ ଯେ, ଆମେରିକାର ବର୍ମିଂହାମରେ ଚଳିତ ଜୁନ୍ ୨୭ରୁ ଜୁଲାଇ ୬ ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ଏହି ବିଶ୍ୱ ପୁଲିସ ଏବଂ ଅଗ୍ନିଶମ କ୍ରୀଡ଼ା ୨୦୨୫ରେ ୭ ଜଣ ଓଡ଼ିଶା ପୁଲିସ କର୍ମଚାରୀ (୫ ପୁରୁଷ ଏବଂ ୨ ମହିଳା)ଙ୍କ ଏକ ଦଳ ଭାରତୀୟ ପୁଲିସ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ । ସେମାନେ ୨୦ ପଦକ ହାସଲ କରି ଭାରତୀୟ କ୍ରୀଡା ଇତିହାସରେ ଏକ ଗୌରବମୟ ଅଧ୍ୟାୟ ଲେଖିଛନ୍ତି । ଓଡ଼ିଶା ପୁଲିସର ଖେଳାଳିମାନେ ବିଭିନ୍ନ ଆଥଲେଟିକ୍ସ ଏବଂ କରାଟେ ଇଭେଣ୍ଟରେ ବ୍ୟକ୍ତିଗତ ଭାବରେ ୧୩ ସ୍ୱର୍ଣ୍ଣ, ୩ ରୌପ୍ୟ ଏବଂ ୪ କାଂସ୍ୟ ସହ ମୋଟ ୨୦ ପଦକ ହାସଲ କରିଛନ୍ତି । ଆଜିର କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ମହାନିଦେ୍ର୍ଦଶକ (ରେଳବାଇ ଓ ଉପକୂଳ ସୁରକ୍ଷା) ଅରୁଣ ବୋଥ୍ରା, ଅତିରିକ୍ତ ଆରକ୍ଷୀ ମହାନିଦେ୍ର୍ଦଶକ ( ସଶସ୍ତ୍ର) ରାଜେଶ କୁମାର, ଭୁବନେଶ୍ୱର-କଟକ ପୁଲିସ କମିଶନର ଡ଼ଃ. ଏସ. ଦେବଦତ୍ତ ସିଂ, ଅତିରିକ୍ତ ଆରକ୍ଷୀ ମହାନିଦେ୍ର୍ଦଶକ (ମୁଖ୍ୟାଳୟ) ପ୍ରତୀକ ମହାନ୍ତି, ଅତିରିକ୍ତ ପୁଲିସ କମିଶନର ନରସିଂହ ଭୋଳ, ଆଇଜି (ଗୁଇନ୍ଦା), ଜୟ ନାରାୟଣ ପଙ୍କଜ, ରେଳବାଇ ଏସପି ବିବେକାନନ୍ଦ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।