ଖୁସିର ମାହୋଲରେ ଶୋକର ଲୁହ
ବେଙ୍ଗାଲୁରୁ : ଖୁସିର ମାହୋଲ୍ରେ ଶୋକର ଲୁହ୧୮ ବର୍ଷର ଆଇପିଏଲ୍ ଟ୍ରଫି ଭୋକ ଗତ ରାତିରେ ମେଣ୍ଟି ଯାଇଥିଲା । ଆରସିବିର ବହୁ ପ୍ରତୀକ୍ଷିତ ବିଜୟ ପରେ ଆଜି ସାରା ବେଙ୍ଗାଲୁର ହୋଇ ଯାଇଥିଲା ଉତ୍ସବ ମୁଖରିତ । ନିଜ ଟିମ୍ର ବିଜୟ ଉତ୍ସବରେ ସାମିଲ୍ ହେବାକୁ ଲକ୍ଷ ଲକ୍ଷ ଆରସିବି ଫ୍ୟାନ୍ ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ୍ ଆଡ଼କୁ ଛୁଟିଥିଲେ । ହେଲେ କିଏ ଅବା ଜାଣିଥିଲା, ଏହି ବିଜୟ ଉତ୍ସବରେ ହିଁ ଯମ ଛକିବସିଛି । ଲକ୍ଷ ଲକ୍ଷ ଲୋକଙ୍କ କୋଳାହଳରେ ଗଗନପବନ ପ୍ରକମ୍ପିତ ହୋଇ ଉଠୁଥିବାବେଳେ ହଠାତ୍ ଆରମ୍ଭ ହୋଇଗଲା ଠେଲାପେଲା । ଧିରେଧିରେ ତାହା ଦଳଚକଟାର ରୂପ ନେଲା । ନିଜ ପ୍ରିୟ ଖେଳାଳୀଙ୍କ ଝଲକ ପାଇବାକୁ ଫ୍ୟାନଙ୍କ ପ୍ରତିଯୋଗିତାରେ ୧୧ ଜଣଙ୍କର ଜୀବନ ଚାଲିଯାଇଛି । ଆରସିବିର ବିଜୟ ଉତ୍ସବ ପାଇଁ କର୍ଣ୍ଣାଟକ କ୍ରିକେଟ ଆସୋସିଏସନ ପକ୍ଷରୁ ଆଜି ଭବ୍ୟ ଆୟୋଜନ କରାଯାଇଥିଲା । ସକାଳ ୧୦ଟାରୁ ହିଁ ସେଠାକୁ ଲୋକଙ୍କ ସୁଅ ଛୁଟିବା ଆରମ୍ଭ ହୋଇଯାଇଥିଲା । ଅପରାହ୍ନ ବେଳକୁ ସେଠାରେ ଏତେ ଲୋକ ଗଦା ହୋଇଯାଇଥିଲେଯେ, ସୋରିଷ ପଡ଼ିବାକୁ ବି ଜାଗା ନଥିଲା । ତେବେ ନିକଟରେ ଥିବା ଏକ ସ୍ଥାନରେ ଡ୍ରେନ୍ ଉପରେ ଅସ୍ଥାୟୀ ସ୍ଳାବଟେ ପଡ଼ିଥିଲା । ବହୁତ ଲୋକ ଗଦା ହୋଇଯିବାରୁ ସ୍ଳାବଟି ଭାର ସହିପାରିନଥିଲା । ଫଳରେ ସ୍ଳାବଟି ଭାଙ୍ଗି ଡ୍ରେନ ଭିତରକୁ ଖସି ପଡ଼ିଥିଲା । ତେଣୁ ଲୋକମାନେ ଭୟରେ ଡ୍ରେନ୍ ଉପରୁ ଚାଲିଯାଇଥିଲେ । ଏହି କାରଣରୁ ଦଳାଚକଟା ଆରମ୍ଭ ହୋଇଯାଇଥିଲା ବୋଲି ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ।
ଅପରପକ୍ଷରେ ଠେଲାପେଲା ଆରମ୍ଭ ହୋଇଯିବାରୁ ପୁଲିସ୍ ବି ମୃଦୁ ଲାଠିଚାଳନା କରିଥିଲା । ଯାହାଫଳରେ ଦଳାଚକଟା ବଢ଼ିଯାଇଥିବା ଜାଣିବାକୁ ମିଳିଛି । ଭିଡ଼ ନିୟନ୍ତ୍ରଣ ପାଇଁ ସେଠାରେ ୫ ହଜାର ପୁଲିସଙ୍କୁ ମୁତୟନ କରାଯାଇଥିଲା । ଗଣମାଧ୍ୟମ ଜରିଆରେ ଚିନ୍ନାସ୍ୱାମୀ ଷ୍ଟାଡ଼ିୟମକୁ ନଆସିବା ପାଇଁ ନିବେଦନ ବି କରାଯାଇଥିଲା । ଭିଡ଼ ଅସମ୍ଭାଳ ହେବା ସହ ଦଳାଚକଟାରେ ଲୋକଙ୍କର ମୃତୁ୍ୟ ହେବାରୁ ମାତ୍ର ଦଶ କୋଡ଼ିଏ ମିନିଟ୍ରେ ଏହି କାର୍ଯ୍ୟକ୍ରମ ଶେଷ ହୋଇଯାଇଥିଲା । ଦଳା ଚକଟାରେ ମୃତକମାନଙ୍କ ବୟସ ୧୩ରୁ ୩୫ ବର୍ଷ ବୟସ ହେବ । ଗୁରୁତର ଅବସ୍ଥାରେ ହସପିଟାଲ ଆଣିବା ବେଳେ ୬ ଜଣଙ୍କର ମୃତୁ୍ୟ ହୋଇଯାଇଥିଲା । ସେମାନଙ୍କ ମଧ୍ୟରେ ୩ ଜଣ ପୁରୁଷ ଥିବାବେଳେ ୩ ଜଣ ମହିଳା ଥିଲେ । ବୈଦେହୀ ହସପିଟାଲରେ ୪ ଜଣ ମୃତୁ୍ୟବରଣ କରିଥିବାବେଳେ ମଣିପାଳ ହସପିଟାଲରେ ଜଣଙ୍କର ମୃତୁ୍ୟ ହୋଇଛି । ପ୍ରବଳ ଭିଡ଼ ଯୋଗୁଁ ଆମ୍ବୁଲାନ୍ସ ଯିବାରେ ବି ସମସ୍ୟା ହୋଇଥିଲା । ଯେଉଁଥିପାଇଁ ଠିକ୍ ସମୟରେ ଅସୁସ୍ଥମାନେ ହସପିଟାଲରେ ପହଁଚି ପାରିନଥିଲେ । ଏହାକୁ ନେଇ ରାଜନୀତି ବି ଜୋରଧରିଛି । କର୍ଣ୍ଣାଟକ ସରକାରଙ୍କୁ ବିଜେପି କଡ଼ା ସମାଲୋଚନା କରିଛି । ଏଭଳି ଏକ ଭବ୍ୟ କାର୍ଯ୍ୟକ୍ରମ ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇନଥିଲା ବୋଲି ବିଜେପି ପକ୍ଷରୁ କୁହାଯାଇଛି ।