ବସୁପୁର ବାଲି ଖାଦାନ ଚଳାଇବାକୁ ପ୍ରଶାସନିକ ଉଦ୍ୟମ
କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ତହସିଲ ଅଞ୍ଚଳରେ ଥିବା ବାଲି ଖାଦାନଗୁଡିକୁ ନିଲାମରେ ଧରିବା ପାଇଁ ହତ୍ୟାଠାରୁ ଆରମ୍ଭ କରି ଆକ୍ରମଣ ମଧ୍ୟ ହୋଇଛି । ଏବେ ମଧ୍ୟ ବିଭିନ୍ନ ସ୍ଥାନରେ ବାଲି ଖାଦାନ ନିଲାମ ନେଇ ଚଳାଇବା ପାଇଁ ବିଭିନ୍ନ ଗୋଷ୍ଠୀ, ଯୁବକମାନେ ଓ ଅପରଧୀମାନେ ଏକତ୍ରିତ ହୋଇ ଉଦ୍ୟମ ଜାରି ରଖିଛନ୍ତି । ଏହିଭଳି ଏକ ବହୁ ଚର୍ଚ୍ଚିତ ବସୁପୁର ବାଲି ଖାଦାନକୁ ଚଳେଇବା ପାଇଁ ପ୍ରକୃତ ନିଲାମ ନେଇଥିବା ମାଲିକ ଅପରାଧୀମାନଙ୍କ ଭୟରେ କେନ୍ଦ୍ରାପଡା ଜିଲ୍ଲାକୁ ନ ଆସି ନିଜ ଗାଁରେ ରହି ପ୍ରାୟ ୩ ଜଣଙ୍କୁ ବାଲି ବିକିବା ପାଇଁ କ୍ଷମତା ପ୍ରଦାନ କରିଛନ୍ତି । କ୍ଷମତା ନେଇଥିବା ଯୁବକମାନେ କିଏ ଅସଲି କିଏ ନକଲି ଏହା ସ୍ଥିର ହୋଇ ନଥିବାରୁ ନିଜ ଭିତରେ ବଳ କଷାକଷି ହୋଇ ଶେଷରେ ରାଜନୈତିକ ଚାପ ପକାଇ ପ୍ରଶାସନ ନିକଟରେ ପହଁଚିଛନ୍ତି । ଜିଲ୍ଲା ପ୍ରଶାସନ ଏହାର ଗୋଟିଏ ପ୍ରକାର ସମାଧାନ କରିବା ପାଇଁ ଉଦ୍ୟମ କରି ପୁନର୍ବାର ସେହି ବାଲି ଖାଦାନକୁ ଚଳେଇବା ପାଇଁ ଅନୁମତି ପ୍ରଦାନ କରିବାକୁ ଆଲୋଚନା କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଆଲୋଚନାରେ ଜିଲ୍ଲା ଖଣୀ ଅଧିକାରୀ ରଞ୍ଜିତ୍ ବେହେରା, ଡେରାବିଶ ତହସିଲଦାର, ବରିଷ୍ଠ କିରାଣୀ ସୁକାନ୍ତ କୁମାର ଜେନାଙ୍କ ସହ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।